ସୁରକ୍ଷାରେ ଢିଲା : ୩ ବର୍ଷରେ ୩୨ ଅପରାଧୀ ଚମ୍ପଟ

ଭୁବନେଶ୍ୱର : ପ୍ରତ୍ୟେକ ଦିନ ୩୦ରୁ ୪୦ଜଣ ଅଭିଯୁକ୍ତଙ୍କୁ କମିସନରେଟ୍‌ ପୁଲିସ ବିଭିନ୍ନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରୁଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବାବେଳେ କମିସନରଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥାର ମଧ୍ୟ ବନ୍ଦୋବସ୍ତ ହେଉଛି। କିନ୍ତୁ କେତେକ ଧୃତ ଅଭିଯୁକ୍ତ ପୁଲିସର ଏହି କଡ଼ା ସୁରକ୍ଷା ବଳୟକୁ ଭେଦ କରି ଚମ୍ପଟ ମାରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ପାଖାପାଖି ୩୨ ଜଣ ଅପରାଧୀ ଭୁବନେଶ୍ୱର କୋର୍ଟ ଓ କ୍ୟାପିଟାଲ ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି। ପୁଲିସ ପଦକ୍ଷେପ ସ୍ୱରୂପ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରୁଛି। କିନ୍ତୁ ଯାହାକୁ ତାହା, କିଛି ଦିନ ଅନ୍ତରରେ ପୁଣି ଜଣେ ଅଭିଯୁକ୍ତ ପୁଲିସ ହାତରୁ ଖସି ଯାଉଛି। ଚଳିତ ବର୍ଷ ଦୁଇ ଜଣ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ଯାଇ ସାରିଲେଣି। ଅବଶ୍ୟ ପରେ ପୁଲିସ ସେମାନଙ୍କୁ ଗିରଫ କରି ନେଇଥିଲା। ଏହି କାରଣରୁ ଏବେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣବେଳେ କମିସନରେଟ୍‌ ପୁଲିସର ସୁରକ୍ଷା ବନ୍ଦୋବସ୍ତକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ୱର କୋର୍ଟ ପରିସରରେ ଛୋଟ ବଡ଼ ମିଶାଇ ପ୍ରାୟ ୩୫ଟି କୋର୍ଟ ରହିଛି। ଦୈନିକ ଏହି କୋର୍ଟକୁ ଭୁବନେଶ୍ୱର ସମେତ ରାଜଧାନୀ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାର ୩୦/୪୦ ଅଭିଯୁକ୍ତ ବିଭିନ୍ନ କାମରେ ଆସିଥାନ୍ତି।। ସେମାନଙ୍କୁ ପୁଲିସ ଫୋର୍ସ କୋର୍ଟ ନେଇ ଆସିଥାଏ। ଏହା ପୂର୍ବରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥାଏ। କିନ୍ତୁ କେତେକ ଅଭିଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଢିଲାପଣ ସୁଯୋଗ ନେଇ ଚମ୍ପଟ ହୋଇ ଯାଇଥାନ୍ତି।

୧୩ ଏପ୍ରିଲ ୨୦୧୮। ଭୁବନେଶ୍ୱର କୋର୍ଟରୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ରଂଜନ ମାର୍ଥା ପୁଲିସକୁ ଚକ୍‌ମା ଦେଇ ଖସି ଯାଇଥିଲା। ଏ ନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତାକୁ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିଥିଲା। ସେହିପରି ୩ ଦିନ ତଳେ ଏୟାରଫିଲଡ୍‌ ଥାନା ପୁଲିସ ପାଞ୍ଚ ଗାଁର ପୃଥ୍ଵୀରାଜ ଗୁରୁ ଓରଫ ଭିକିକୁ ଗିରଫ କରିଥିଲା। ପୁଲିସ ଭିକିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇ ଥିଲା। ପରିସ୍ରା ଯିବା ବାହାନାରେ ଟଏଲେଟ୍‌ ଝରକା ତାଡ଼ି ଫେରାର ହୋଇ ଯାଇଥିଲା ଭିକି। ପରେ ତାକୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। କେବଳ ଏହି ଦୁଇଟି ଘଟଣା କାହିକିଁ ବର୍ଷକ ତଳେ ରାଜଧାନୀ ଦୁର୍ଦାନ୍ତ ଲୁଟେରା ପାଟୁ ଖାନ୍‌ ଯାହାକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଚିକିତ୍ସାବେଳେ ପୁଲିସକୁ ତିନି ତିନି ଥର ଚକ୍‌ମା ଦେଇ ଖସି ଯାଇଥିଲା ପାଟୁ। ସେତେବେଳେ ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚା ହୋଇଥିଲା।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି ୧୦ ବର୍ଷ ତଳେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଡକାୟତି ମାମଲାରେ ଉମେଶ ପାଣ୍ଡେ ନାମକ ଜଣେ ଡକାୟତକୁ କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣବେଳେ ଉମେଶ ପୁଲିସ ହେପାଜତରୁ ଖସି ଯାଇଥିଲା। ପୁଲିସ ଏବେ ବି ଉମେଶକୁ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ କୋର୍ଟ ସମ୍ମୁଖରେ ଦୁଇ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯିବା କଥା। କିନ୍ତୁ ଅଧିକାଂଶ କୋର୍ଟରେ କୌଣସି ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳନ୍ତି ନାହିଁ। କିଛି ପୁଲିସ କର୍ମଚାରୀ ବିଚାରଧୀନ କଏଦୀଙ୍କୁ ମୋବାଇଲ୍‌ ଫୋନ୍‌ରେ ଗପିବା ସୁଯୋଗ ଦେବା ସହିତ, ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେଉଛନ୍ତି। ଫଳରେ ଅଭିଯୁକ୍ତମାନେ ପୁଲିସ ହେପାଜତରୁ ଖସି ଯିବାକୁ ସାହସ କରୁଛନ୍ତି ବୋଲି ଆଇନଜୀବୀ ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିବାବେଳେ ଭିକି ଫେରାର ହେବା ଘଟଣାକୁ ଗୁରୁତ୍ୱର ସହିତ ନେଇଛି କମିସନରେଟ ପୁଲିସ। ଡିସିପି ଅନୁପ ସାହୁ ଏ ନେଇ ଏୟାରଫିଲ୍‌ଡ ଥାନା ଏସିପି ଇନଚାର୍ଜ ତଥା ଇନ୍ସପେକ୍ଟର ଦେବୀ ପ୍ରତାପଙ୍କୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର