‌‌ମେଣ୍ଢାଶାଳରେ କୁମ୍ଭୀର ଆତଙ୍କ

‌‌ମେଣ୍ଢାଶାଳ: ଚନ୍ଦକା ଅଭୟାରଣ୍ୟ ହଳଦିଆ ରେଞ୍ଜ ଅନ୍ତର୍ଗତ ମେଣ୍ଢାଶାଳ ଗାଁରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗାଁ ମୁଣ୍ଡରେ ଥିବା ପଞ୍ଚାୟତ ହ୍ରଦ ପୋଖରୀରେ ଗତବର୍ଷ ଭଳି ଏବର୍ଷ ଦୁଇଟି ବୃହତ୍ତକାୟ କୁମ୍ଭୀର ଦେଖିବାକୁ ମିଳିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଲୋକମାନେ ଭୟଭୀତ ହୋଇ ହ୍ରଦ ପୋଖରୀର ଆଖପାଖ ମାଡ଼ୁନାହାନ୍ତି। ନିତ୍ୟ ବ୍ୟବହାର ଯଥା ଗାଧୁଆ, ଶୌଚ ପାଇଁ ଆସୁଥିବା ଲୋକେ ମଧ୍ୟ ଡରିମରି ଏଠାକୁ ଆସୁଛନ୍ତି। ନିଛାଟିଆ ସମୟରେ ଏହି ଦୁଇଟି କୁମ୍ଭୀର କୂଳକୁ ଆସି ଶୋଇ ରହୁଥିବା ଲୋକେ ଦେଖିଥିବା କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କୁମ୍ଭୀର ଦୁଇଟିର ଆକାର ପ୍ରାୟ ଛ’ଫୁଟ ଲମ୍ବ ଓ ତିନିଫୁଟ୍‌ ଗୋଲେଇ। ନିକଟରେ ହୋଇଥିବା ପ୍ରବଳ ବର୍ଷାରେ ଉପରମୁଣ୍ଡ ଡେରାଶ ଡ୍ୟାମ୍‌ରୁ ପାଣି ସୁଅରେ ଏଠାକୁ ଚାଲି ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବରରେ ଏକ ବଡ଼ କୁମ୍ଭୀର ୧୨ଦିନ ଏହି ହ୍ରଦ ପୋଖରୀରେ ଆତଙ୍କ ଖେଳାଇବା ପରେ ବନ କର୍ମଚାରୀ ଓ ସ୍ଥାନୀୟ ଯୁବକ ତାକୁ ଉଦ୍ଧାର କରି ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଅମ୍ବିଲ ୱାଚ୍‌ଟାୱାର ନିକଟ ପୋଖରୀ‌ରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର