ହକି ହୃଦ୍‌ ସ୍ପନ୍ଦନ : ‘ଟିକେଟ୍‌ କାଉଣ୍ଟର୍‌ରେ ଭିଡ଼

ଭୁବନେଶ୍ବର : ଶୀତର ହାଲ୍‌କା ଅନୁଭବ ରାଜଧାନୀ ମାଟି ସ୍ପର୍ଶ କରିଛି। ପାଗ ବଦଳିବା ସହ ରାଜଧାନୀକୁ ଲାଗିଛି ହକି ଜ୍ବର। ଆଜି ଟିକେଟ୍‌ ବିକ୍ରି ହେବା ପରେ ଯେମିତି ଉତ୍ସବ ଆରମ୍ଭ ହୋଇଯାଇଛି। ହକି ବିଶ୍ବକପ୍‌ ଆୟୋଜନ ପାଇଁ ୨୨ଦିନ ବାକି ଅଛି। ମାତ୍ର ଲୋକଙ୍କ ଉତ୍ସାହ ଏବଂ ଟିକେଟ୍‌ କାଉଣ୍ଟର ଆଗରେ ଖେଳପ୍ରେମୀଙ୍କ ଲମ୍ବା ଲାଇନ୍‌ ଲୋକେ ହକି ପାଇଁ କେତେ ପାଗଳ ତାହା ପ୍ରମାଣିତ କରିଛି। ସହରର ୧୮ଟି ସ୍ଥାନରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ସବୁଠି ଲାଗିଥିଲା ଲମ୍ବା ଲାଇନ୍‌। ଆଜି ପ୍ରାୟ ସମସ୍ତ କାଉଣ୍ଟର୍‌ରେ କ୍ବାର୍ଟର ଫାଇନାଲ୍‌ ପାଇଁ ଟିକେଟ୍‌ ବିକ୍ରି ହୋଇଥିଲା। ଅର୍ଥାତ ଭାରତ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ହୋଇ ନଥିଲା। ମାତ୍ର ଏନେଇ ଟିକେ ବି କେହି ଚିନ୍ତା କରୁନଥିଲେ। ସୁଯୋଗ ଆସିଛି ମାନେ, ଯେକୌଣସି ମ୍ୟାଚ୍‌ ଦେଖିବାକୁ ପ୍ରସ୍ତୁତ ବୋଲି କହିଥିଲେ କୋରାପୁଟରୁ ଟିକେଟ୍‌ ପାଇଁ ଆସିଥିବା ଦୀପକ ପଢ଼ିଆରୀ କହିଛନ୍ତି।

ଆଜି ଟିକେଟ୍‌ ବିକ୍ରି ହେବା ଖବର ପ୍ରଚାର ହେବା ପରେ ଯେମିତି କାଲିଠୁ ଏହାକୁ ଚାହିଁ ବସିଥିଲେ ‌ଅନେକ। ରାତି ପାହିବା କ୍ଷଣି ଲାଇନ୍‌ ଲାଗିଥିଲା। ଟିକେଟ୍‌ କାଉଣ୍ଟର ପୂର୍ବାହ୍ନ ୧୦ଟାରେ ଖୋଲିଥିଲା। ମାତ୍ର ସକାଳ କାଉଣ୍ଟର ସାମ୍ନାରେ ଲମ୍ବା ଲାଇନ୍‌ ଲାଗିଥିଲା। କଳିଙ୍ଗ ଷ୍ଟାଡିୟମ୍‌ର ୯ ନମ୍ବର ଗେଟ୍‌ ନିକଟରେ ଖୋଲିଥିବା କାଉଣ୍ଟର୍‌ ସାମ୍ନାରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ‌ଖାଲି ସେଇଠି ନୁହେଁ ବରଂ ଯେଉଁଠି ବି ଟିକେଟ୍‌ ବିକ୍ରି ହେଉଥିଲା ସେଠାରେ ଥରକରେ ଟିକେଟ୍‌ କାଟି କେହି ସନ୍ତୁଷ୍ଟ ରହୁ ନଥିଲେ। ଥରକରେ ମାତ୍ର ୨ଟି ଟିକେଟ୍‌ ମିଳୁଥିବାରୁ ଖରାରେ ବାରମ୍ବାର ଲାଇନ୍‌ ଲଗେଇ ଟିକେଟ୍‌ କିଣୁଥିଲେ ଅନେକ ଯୁବକ।

ଏତେ ଖେଳୁଆଡ଼ ମନୋଭାବ ଯେ, ଟିକେଟ୍‌ କାଟିବା ପାଇଁ ମଧ୍ୟ ‌କିଛି ବ୍ୟକ୍ତି ମୁହଁକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଏବଂ ହାତରେ ଜାତୀୟ ପତାକା ଧରି ଟିକେଟ୍‌ କାଟୁଥିବା ଲକ୍ଷ୍ୟ କରାଯାଉଥିଲା। ଏଥିସହ ରାଜଧାନୀ ବାହାରୁ ଆସି ଟିକେଟ୍‌ କାଟୁଥିବା କିଛି ପିଲା ରାଜଧାନୀର କଥାକୁହା କାନ୍ଥ ଦେଖି ଅଟକି ଯାଉଥିଲେ। ମହିଳା ଓ ବୃଦ୍ଧ/ବୃଦ୍ଧାମାନେ ମଧ୍ୟ ବାଦ ପଡ଼ି ନଥିଲେ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍‌ ହୋଇଥିଲା। ମାତ୍ର ବୃଦ୍ଧ/ବୃଦ୍ଧାଙ୍କ ପାଇଁ ସେପରି କୌଣସି ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ନଥିଲା। ମାତ୍ର ଏହା ପରେ ବି ଉଦୁଉଦିଆ ଖରାରେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଟିକେଟ୍‌ କାଟିଥିଲେ। ଆଜି ୯ନମ୍ବର ଗେଟ୍‌ ନିକଟରେ ହୋଇଥିବା କାଉଣ୍ଟରରେ ୧୨ ଓ ୧୩ ତାରିଖ କ୍ବାର୍ଟର ଫାଇନାଲ୍‌ ପାଇଁ ଟିକେଟ୍‌ ଉପଲବ୍ଧ ହେଉଥିଲା। ଭାରତ ଯେ ନିଶ୍ଚେ କ୍ବାର୍ଟର ଫାଇନାଲ୍‌କୁ ଓହ୍ଲାଇବ ଏବଂ କ୍ବାର୍ଟର ଫାଇନାଲ୍‌ରେ ଭାରତର ଖେଳ ଦେଖିବାର ସୁଯୋଗ ମିଳିବ ବୋଲି ୭୨ ବର୍ଷୀୟ ମନ୍ମଥ ମିଶ୍ର କହିଛନ୍ତି।

ତେବେ ଇଣ୍ଡିଆ ମ୍ୟାଚ୍‌ ପାଇଁ ଟିକେଟ୍‌ ଉପଲବ୍ଧ ନଥିବାରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ। ସକାଳୁ ଆସି ୫ ଘଣ୍ଟା ଧାଡ଼ି ଲଗାଇବା ପରେ ଭାରତ ମ୍ୟାଚ୍‌ ପାଇଁ ଟିକେଟ୍‌ ନମିଳିବାରୁ ଏନେଇ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ଲୋକ ଏତେ ଘଣ୍ଟା ଧାଡ଼ି ବାନ୍ଧିଥିବାରୁ ବାଧ୍ୟ ହୋଇ କ୍ବାର୍ଟର ଫାଇନାଲ୍‌ ଟିକେଟ୍‌ ନେଇଥିଲେ। ଆଉ କିଛି କିନ୍ତୁ ଅଭିମାନ କରି ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର