ଚଷା ଘରର ପୁଅ ଏବେ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ସହର ଓ ଭଲ ରୋଜଗାରର ମୋହ ତାଙ୍କୁ ସହରକୁ ଟାଣି ନେଉଛି। କିନ୍ତୁ ବାଲିପାଟଣା ବ୍ଲକ ତରଡ଼ପଡ଼ା ଗ୍ରାମର ଚାଷୀ କରୁଣାକର ସେନାପତି ଓରଫ୍ କୋକ ଭାଇନା ଏ କ୍ଷେତ୍ରରେ ବ୍ୟତିକ୍ରମ। କଠିନ ପରିଶ୍ରମ ସାଙ୍ଗକୁ ନିଜସ୍ୱ ଉଦ୍ୟମରେ ପ୍ରାୟ ୩ ଏକର ଜମିରେ ଫଳାଇଛନ୍ତି ସୁନା। ତାଙ୍କ ବାଡ଼ିର ଗଛ କି ପୋଖରୀର ମାଛକୁ ଯିଏ ଦେଖିବ ସିଏ ସେଠି ଘଡ଼ିଏ ଅଟକି ଯିବ। ଝଙ୍କାଳିଆ ଆମ୍ବ ଗଛରେ ପେନ୍ଥାପେନ୍ଥା ଆମ୍ବ, ସପେଟା, ଲିଚୁ, ଜାମୁରୋଳ, କାନ୍ଦିକାନ୍ଦି କଦଳୀ, ଭାଡ଼ିରେ ଓହଳିଥିବା ଛନଛନିଆ ପୋଟଳକୁ ଦେଖିଲେ ପେଟ ପୂରିଯିବ। ଗଡ଼ିଆ ହେଉ କି ଆମ୍ବ ତୋଟା, କଦଳୀ ବଗିଚା ହେଉ କି ପୋଟଳ କିଆରି। କରିଛନ୍ତି ଏଭଳି ଉନ୍ନତ ଧରଣର ଦୁଇଟି କୃଷି ଫାର୍ମ। ସରକାରଙ୍କଠାରୁ ଟଙ୍କାଟିଏ ବି ସହଯୋଗ ମିଳିନି। ତଥାପି ନିଜ ଶିଙ୍ଘରେ ମାଟି ତାଡ଼ିଲା ଭଳି ଅମଳ କରୁଛନ୍ତି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଫଳ, ପନିପରିବା ଓ ମାଛ। ବର୍ଷକୁ ୫୦ରୁ ୬୦ କ୍ୱିଣ୍ଟାଲ ମାଛ, ୪୦ରୁ ୫୦କ୍ୱିଣ୍ଟାଲ ଦାମୀ ଆମ୍ବ, ୫୦କ୍ୱିଣ୍ଟାଲରୁ ପୋଟଳ, ଚାରିଶହ କାନ୍ଦି ଦେଶୀ ପାଚିଲା କଦଳୀ, ଲକ୍ଷେ ଟଙ୍କାରୁ ଅଧିକ ଟଙ୍କାର ପୋଟଳ ଚାରା ସହ ଅମୃତଭଣ୍ଡା, ସପେଟା, ଲିଚୁ, ପିଜୁଳି, ଆତ, ଜାମୁରୋଳ, ବରକୋଳି, କରମଙ୍ଗା, କଲିକତି ଜାମୁକୋଳି ଭଳି ଜାତିଜାତିକା ଫଳ ଓ ପନିପରିବା ଉତ୍ପାଦନ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉନ୍ନତମାନର ଚାଷ ପାଇଁ ସେ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ବି ପରିଚିତ। କିନ୍ତୁ ପରିତାପର ବିଷୟ, ରାଜ୍ୟ ସରକାରଙ୍କ ଉଦ୍ୟାନ, ମତ୍ସ୍ୟ କି କୃଷି ବିଭାଗର ଜଣେ ବି ଅଧିକାରୀ ତାଙ୍କ ପାଖରେ ଆଜି ଯାଏ ପହଞ୍ଚି ନାହାନ୍ତି। ସରକାରୀ ସହାୟତା ପାଇଁ ବାରମ୍ବାର ଏହି ସମସ୍ତ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। କିନ୍ତୁ ଫଳ କିଛି ମିଳିନି। କରୁଣାକର ପଶ୍ଚିମବଙ୍ଗରୁ ଧାନୀ(ସ୍ପନ୍) ଆଣି ମାଛ ଚାଷ କରନ୍ତି। ତାଙ୍କ ମୁଣ୍ଡା ଯାଆଁଳ ମାଛର ଏତେ ଚାହିଦା ଯେ ସେ ଚାଷୀ ଓ ବ୍ୟବସାୟୀମାନଙ୍କୁ ଯୋଗାଇ ପାରନ୍ତିନି। ତାଙ୍କ ବଗିଚାରେ ମଲ୍ଲିକା, ଦଶରୀ, ଆମ୍ରପଲ୍ଲି, ଲେଙ୍ଗେଡ଼ା, ଆଲଫାନ୍ସୁ, ବାଇଗଣ ପଲେଇ, କେସର, ହିମସାଗର, ଲାଟସୁନ୍ଦରୀ, କାଇପୋଇ, ଲେଙ୍ଗେଡ଼ା ସୁନ୍ଦରୀ ଭଳି ୨୫ଟି ଉନ୍ନତ କିସମର ଶହେ ଆମ୍ବଗଛ ରହିଛି। ଚାରିଶହ ଦେଶୀ ପାଟକପୁରା କଦଳୀ ଚାଷ ବି କରିଛନ୍ତି। ୧୨ଗୁଣ୍ଠରେ ‘ସୋନା ଆଲକିକ୍’ କିସମର ପୋଟଳ କିଆରି କରିଛନ୍ତି। ସରକାରୀ ଅଣଦେଖା ଯୋଗୁଁ କରୁଣାକରଙ୍କ ମନରେ ଭାରି କ୍ଷୋଭ। ସେ କୁହନ୍ତି, ମୁଁ ଭଗବାନ୍ଙ୍କୁ ପ୍ରାର୍ଥନା କରୁଛି ଆର ଜନ୍ମରେ ଭଗବାନ ମୋତେ ପଞ୍ଜାବ, ହରିଆନା କି ଆନ୍ଧ୍ରରେ ଜନ୍ମ ଦିଅନ୍ତୁ।
ରିପୋର୍ଟ: ହେମନ୍ତ ଦାଶ