ସରିଲା ଉତ୍କଳ ଡ୍ୟାନ୍ସ ଆଣ୍ଡ୍‌ ରିସର୍ଚ୍ଚ ଏକାଡେମିର କୁମାର ଉତ୍ସବ

ଭୁବନେଶ୍ୱର: ଉତ୍କଳ ଡ୍ୟାନ୍ସ ଆଣ୍ଡ୍‌ ରିସର୍ଚ୍ଚ ଏକାଡେମି ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହାର ବାର୍ଷିକ ଉତ୍ସବ ତଥା ‘ପଞ୍ଚଦଶ କୁମାର ଉତ୍ସବ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମର୍ଦ୍ଦଳ, ମଞ୍ଜିରା, ଖୋଳ ଓ ଖଞ୍ଜଣୀକୁ ନେଇ ମଞ୍ଚସ୍ଥ ହୋଇଥିବା ନୃତ୍ୟାଭିନୟ ବାଦ୍ୟ ମାଧୁରୀ ବେଶ୍‌ ଚିତାକର୍ଷକ ଥିଲା। ଏହାପରେ ପରେ ଆରତୀ କର, ଶୁଭଲକ୍ଷ୍ମୀ ଓ ସାଥୀ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା ନୃତ୍ୟାଭିନୟ ‘ନାରୀ’। ଗୁରୁ ଦୁର୍ଗାଚରଣ ରଣବୀର ଉପସ୍ଥାପନ କରିଥିଲେ ମଙ୍ଗଳାଚରଣରେ ‘କୃଷ୍ଣ ସ୍ତୁତି’ ଓ ଗୀତଗୋବିନ୍ଦରେ ଅଷ୍ଟପଦୀ।
ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିଶ୍ୱକେଶ ତ୍ରିପାଠୀ ଓ ଖୋର୍ଧା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର