ରକ୍ଷା ହୋଇ ପାରିଲାନି ପରମ୍ପରା: ଅଲଗା ଚାପ ଖେଳିଲେ ଶ୍ରୀକପିଳନାଥ

ଆସିଲେନି ମଲିଆ ସେବାୟତ, ୧୨ ଘଣ୍ଟା ନୀତି ବିଳମ୍ବ

ପୁରୁଣା ଭୁବନେଶ୍ୱର: ସବୁ ଫେଲ ମାରିଲା। ଦେବୋତ୍ତର କମିସନ୍‌ଙ୍କ ଆଦେଶ ବି ଚୁଲିକୁ ଗଲା। ୨୦୧୫ ମସିହାରୁ ଉଜୁଡ଼ି ଯାଇଥିବା ପରମ୍ପରା ଏଥର ବି ରକ୍ଷା ହୋଇ ପାରିଲାନି। ପବିତ୍ର ଅକ୍ଷୟ ତୃତୀୟାରେ ଲିଙ୍ଗରାଜ ଓ କପିଳନାଥ ଏକତ୍ର ଚାପ ଖେଳିବାକୁ ନେଇ ଯେଉଁ ଅନନ୍ୟ ପରମ୍ପରା ରହିଥିଲା ତାହା ଦେଖିବାକୁ ମିଳିଲାନି। ଉଭୟ ଠାକୁରଙ୍କୁ ଏକତ୍ର ଚାପରେ ଦର୍ଶନ କଲେ ମହାପୁଣ୍ୟ ମିଳିବା ବିଶ୍ୱାସ ଥିବାରୁ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇଥିଲେ। ପୂର୍ବରୁ ମଲିଆ ସେବାୟତମାନେ ନୀତି କରିଆସୁଥିବା ବେଳେ ଏଥର ଖୁଣ୍ଟିଆ ସେବାୟତଙ୍କୁ ତାଙ୍କ ନୀତି କରିବା ପାଇଁ ସୁଯୋଗ ଦେବାକୁ ଦେବୋତ୍ତର କମିସନ ଆଦେଶ ଦେଇଥିଲେ ମଧ୍ୟ ଉଭୟ ସେବାୟତଙ୍କ ଛକାପଞ୍ଝାରେ ପରମ୍ପରା ବଳି ପଡ଼ିଛି। ମଲିଆ ସେବାୟତମାନେ ନ ଆସିବାରୁ ଦ୍ୱାର ଫିଟା ଯାଇ ପାରିନାହିଁ। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମହାପ୍ରଭୁ ଉପବାସ ରହିବା ସହ ମନ୍ଦିର ତାଲା ପଡ଼ି ରହିଛି। ମଙ୍ଗଳବାର ରାତିରୁ ଏହି ଛକା ପଞ୍ଝା ଲାଗିଥିବା ଦେଖାଯାଇଛି। ଆଜି ଚନ୍ଦନ ଯାତ୍ରା ଥିବା ବେଳେ କପିଳେଶ୍ୱର ମନ୍ଦିରରେ ଯେପରି ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ କାର୍ଯ୍ୟ କରିବେ ଏହାକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ କପିଳେଶ୍ୱର ମନ୍ଦିରର ବିଭିନ୍ନ ସ୍ଥାନରେ ତାଲା ପକାଇ ନିଜ ଆୟତ୍ତକୁ ନେଇଥିଲା। ମଙ୍ଗଳବାର ରାତିରେ ମନ୍ଦିରରେ ମଙ୍ଗଳ ଆଳତି ସରିବା ପରେ ଦେବୋତ୍ତର ବିଭାଗ ଡିଆଇ ଓ ଚପରାସି ଏହି ତାଲା ପକାଇଥିଲେ। ତେବେ ଆଜି ସକାଳୁ ମନ୍ଦିରରେ ପୁଲିସ ଉପସ୍ଥିତରେ ଦେବୋତ୍ତର ଡିଆଇ, ଆସିଷ୍ଟାଣ୍ଟ କମିସନର୍‌ ପହଞ୍ଚି ଖୁଣ୍ଟିଆ ସେବାୟତଙ୍କୁ ମଙ୍ଗଳ ଆଳତି କରିବାକୁ କହିଥିଲେ।

ଅନ୍ୟପଟେ କପିଳେଶ୍ୱରଙ୍କ ମୁଖ୍ୟମନ୍ଦିର ମଧ୍ୟ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଦେବୋତ୍ତର ବିଭାଗ ଅଧିକାରୀ ମଲିଆ ସେବାୟତଙ୍କୁ ଅପେକ୍ଷା କରି ରହିଥିଲେ। ମୁଖ୍ୟ ମନ୍ଦିରରେ ତାଲା କିଏ ପକାଇଛି ସେ ନେଇ କୌଣସି ସେବାୟତ କହିପାରି ନଥିଲେ। ସନ୍ଦେହରେ ସମସ୍ତେ ଅପେକ୍ଷାରେ ରହିଥିଲେ। ଭୋର ୫ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ତାଲା ଖୋଲି ନଥିଲା। କୌଣସି ପ୍ରକାରର ଉତ୍ତେଜନାକୁ ଆଖିଆଗରେ ରଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ସହ ଏସିପି ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ। ୧୨ଘଣ୍ଟା ପର୍ଯ୍ୟନ୍ତ ଠାକୁର ଉପବାସରେ ରହିଥିଲେ। ପବିତ୍ର ଅକ୍ଷୟ ତୃତୀୟାରେ ଏଭଳି ଏକ ପରିବେଶ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ମଲିଆ ସେବାୟତ ସେବା କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଏହି ସେବା କରିବାକୁ ଖୁଣ୍ଟିଆ ସେବାୟତଙ୍କୁ ଦେବୋତ୍ତର ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏହା ନିୟମ ବିରୁଦ୍ଧ ହୋଇଥିବାରୁ ଖୁଣ୍ଟିଆ ସେବାୟତମାନେ କରି ନଥିଲେ। ପରବର୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ମଲିଆ ସେବାୟତ ମନ୍ଦିରରେ ସବୁ ସେବା କରିବା ପାଇଁ ଦେବୋତ୍ତର ବିଭାଗ ଲିଖିତ ଜଣାଇଥିଲା। ଏହା ପରେ ମଲିଆ ସେବାୟତ ମନ୍ଦିରରେ ଅପରାହ୍ଣ ୩ଟା ପରେ ନୀତି କରିବାକୁ ଆସିଥିଲେ। ଏହା ପରେ ମଣିକର୍ଣ୍ଣିକା ପୁଷ୍କରିଣୀରେ କପିଳନାଥଙ୍କୁ ଚନ୍ଦନ ଯାତ୍ରା ପାଇଁ ବିଜେ କରାଇଥିଲେ। ସେଠାରେ ଠାକୁରଙ୍କର ସବୁ ନୀତି କରାଯିବା ସହ ରାତି ପ୍ରାୟ ସାଢ଼େ ୮ଟାରେ ଚାପ ଖେଳ କରା ଯାଇଥିଲା। ବିଭିନ୍ନ ମଲିଆ ସେବାୟତ ଏଥିରେ ଯୋଗ ଦେଇଥିଲେ। ତେବେ ମଣିକର୍ଣ୍ଣିମାରେ ଚାପ ଖେଳିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପରମ୍ପରାକୁ ନେଇ ପ୍ରଶ୍ନ ଉଠିଛି।

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ


ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ ଦିନିଆ ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସନ୍ଧ୍ୟା ୭ଟାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିଥିଲେ। ଏହାପରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ବର୍ତ୍ତିବା ପାଇଁ ଦେବଦେବୀଗଣ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିରରରେ ସମସ୍ତ ନୀତି କାନ୍ତି ଶେଷ ହେବା ପରେ ଦେବଦେବୀମାନେ ବିନ୍ଦୁସାଗର ଉଦ୍ଦେଶ୍ୟରେ ବାହାରିଥିଲେ। ଶ୍ରୀଲିଙ୍ଗରାଜ ମହାପ୍ରଭୁ ସନ୍ଧ୍ୟା ୭ଟାରେ ବିନ୍ଦୁସାଗରର ବ୍ରହ୍ମା ଘାଟ କୂଳକୁ ଯାଇଥିଲେ । ସେଠାରେ ଚାପ ଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରାପହଁରା କରିଥିଲେ। ଏହା ପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବିରାଜିଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବିରାଜମାନ କରିଥିବା ବେଳେ ଦୁଇ ପାର୍ଶ୍ୱରେ ଥିବା ସିଂହାସନରେ ବାସୁଦେବ ଯାତ୍ରା କରିଥିଲେ। ଠାକୁର ପ୍ରଥମେ ମହନୀ ଘାଟରେ ଭୋଗ ଖାଇବା ପରେ ମଠ ଘାଟରେ ଭୋଗ ଖାଇଥିଲେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ। ସେଠାରେ ନୀତି ପୂଜା କରାଯିବା ପରେ ଚନ୍ଦନ ପାଣିରେ ବୁଡ଼ିଥିଲେ। ପୁଣି ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ପ୍ରତ୍ୟାବର୍ତନ କରିଥିଲେ। ବାଟରେ ଆସିବା ବେଳେ ବା୍ରହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗଠାରେ ଠାକୁର ଭୋଗ ଖାଇଥିଲେ। ସେହିପରି ରାସ୍ତାରେ ଫେରିବା ସମୟରେ ସ୍ଥାନେ ସ୍ଥାନେ ଠାକୁରଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା।

ସୁବାସିତ ଚନ୍ଦନ ପାଣିରେ ବୁଡ଼ିଲେ
ଦେବଦେବୀମାନେ ଚାପଖେଳି ଜଗତିକୁ ଯିବା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ସୁଗନ୍ଧିତ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପକାଯାଇ ସୁବାସିତ ଜଳକୁଣ୍ଡ ପ୍ରସ୍ତୁତ ହୋଇଥିଲା। ଶରୀରରେ ଟିକେ ଶୀତଳତା ଭରିଦେବା ପାଇଁ ଠାକୁରମାନେ ସେଥିରେ ବେକ ପର୍ଯ୍ୟନ୍ତ ବୁଡ଼ି ରହିଥିଲୋ ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବୁଡ଼ିଥିବା ବେଳେ ବାସୁଦେବ ସ୍ୱତନ୍ତ୍ର କୁଣ୍ଡରେ ବୁଡ଼ିଥିଲେ। ତେବେ ଦେହ ଶୀତଳ ପଡ଼ିବା ପରେ ଠାକୁରମାନେ କୁଣ୍ଡରୁ ବାହାରି ପୁଣି ଚାପ ଖେଳି ଫେରିଥିଲେ।

ସମ୍ବନ୍ଧିତ ଖବର