କଫ୍ ସିରପ୍ ଜବତ ଘଟଣା, କଟକରୁ ଆସୁଛି ରାଜଧାନୀ

୩୩ ଲକ୍ଷ ଟଙ୍କାର ସିରପ୍‌ ଜବତ, ଟାର୍ଗେଟ୍‌ରେ ବସ୍ତି ବାସିନ୍ଦା

ଭୁବନେଶ୍ୱର: କଟକରୁ କଫ୍‌ ସିରପ୍‌ ଆସୁଛି ଭୁବନେଶ୍ବର। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ରୢାକେଟ୍‌ ପରିଚାଳନା କରୁଛି। ଏଭଳି ଖବର ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ବଡ଼ଗଡ଼ ଥାନା ପୁଲିସ। କଟକରେ ଥିବା ଷ୍ଟକିଷ୍ଟ ଉପରେ ଚଢ଼ଉ କରି ୨୬ ହଜାର ୫ଶହ ବୋତଲ କଫ୍ ସିରପ୍‌ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଜବତ କଫ୍ ସିରଫର ମୂଲ୍ୟ ପାଖାପାଖି ୩୩ ଲକ୍ଷ ୨୧ହଜାର ଟଙ୍କା ହେବ। ଗିରଫ ହୋଇଥିବା ବେପାରୀମାନେ ହେଲେ, ପୁରୀଘାଟ ଜୁଆଳିପଟିର ଅଜୟ ଅଗ୍ରୱାଲ, ମଙ୍ଗଳାବାଗ୍‌ ଥୋରିଆ ସାହିର ବିଶ୍ବନାଥ ମୂଳିଆ ଓରଫ କୁନା ଓ ବିକାଶ ମହାରଣା ଓରଫ ବିକି ଏବଂ ଦରଘାବଜାର ବାଉଁଶ ଗଳିର ସେକ୍‌ ଆଝାରୁଦ୍ଦିନ। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଆବଶ୍ୟକ ହେଲେ, ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ପୁଲିସ ସୂଚନା ମୁତାବକ, ଗତକାଲି ରାତିରେ ଏଭଳି ନିଶା ଔଷଧ ଆଣି ସେକ୍‌ ଆଝାରୁଦ୍ଦିନ୍‌ ନାମକ ଜଣେ ଯୁବକ ଭୁବନେଶ୍ବର ଆସୁଥିବା ପୁଲିସ ଖବର ପାଇଥିଲା। ସେକ୍‌ ଆଝାରୁଦ୍ଦିନ୍‌ କଳ୍ପନା ଛକରେ ପହଞ୍ଚିବା ବେଳେ ସେଠାରୁ ପୂର୍ବରୁ ଛପି ରହିଥିବା ବଡ଼ଗଡ଼ ଥାନା ପୁଲିସର ଏକ ଟିମ୍‌ ତାକୁ ଗିରଫ କରିଥିଲା। ତା’ଠାରୁ ୩୨୦ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ କରାଯାଇଥିଲା। ଏକ ମୋପେଡ୍‌ରେ ପେଟିକୁ ବାନ୍ଧି ସେ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଯାଉଥିବା ବେଳେ ଧରା ପଡ଼ିଥିଲା। ତା’ଠାରୁ ଏହି ବେପାରର ମୂଳ ଠିକଣା ଜଣାପଡ଼ିଥିଲା। ବିଳମ୍ବିତ ରାତିରେ ପୁଲିସ କଟକର ନନ୍ଦି ସାହିରେ ଥିବା ଅଜୟ ଫାର୍ମା ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୨୬ହଜାର ୫ଶହ ବୋତଲ କଫ୍ ସିରପ୍‌ କରାଯାଇଥିଲା। ଏଥିରେ ୫ପ୍ରକାର ବ୍ରାଣ୍ଡ ରହିଛି। ତେବେ ଭୁବନେଶ୍ବରରେ କିଏ ଷ୍ଟକିଷ୍ଟ ଅଛି, କିଏ ଆଣି ମାଲ୍‌ ଦେଉଛି, ତାହା ଉପରେ ଖୋଳତାଡ଼ ଚାଲିଛି। ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। ଜବତ ହୋଇଥିବା କଫ୍ ସରିପ ମଧ୍ୟରେ ପ୍ରତି ୧୦୦ ମିଲିଲିଟର ବୋତଲରେ ୨୦୦ମିଲିଗ୍ରାମ୍‌ କୋଡିନ୍‌ ରହିଛି। ଜବତ ୨୬ହଜାର ୫ଶହ ବୋତଲରେ ମୋଟ ୫ କେଜି ୩ଶହ ଗ୍ରାମ୍‌ କୋଡିନ୍‌ ରହିଛି। ଏଭଳି ପ୍ରଚୁର ମାତ୍ରାରେ ‌କୋଡିନ୍‌(ନିଶାଦ୍ରବ୍ୟ) ଥିବାରୁ ଏହି ବେପାରୀମାନେ ଅଭ୍ୟାସଗତ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ସହ ମୋଟା ଅଙ୍କର ଲାଭ ନେଇ ମାଲାମାଲ ହେଉଥିବା ଜଣାପଡ଼ିଛି। କଟକର ଅଜୟ ଫାର୍ମା ମାଲିକ ଏହାକୁ ଷ୍ଟକ୍‌ ରଖୁଥିବା ବେଳେ ଅନ୍ୟ ଯୁବକମାନେ ଏହାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ବ୍ୟବସ୍ଥା କରୁଥିବା ପୁଲିସ କହିଛି। ସେମାନଙ୍କଠାରୁ ୩ଟି ମୋପେଡ୍‌(ହୋଣ୍ଡା ଆଭିଏଟର) ଓ ଏକ ଆଣ୍ଡ୍ରଏଡ୍‌ ମୋବାଇଲ ଜବତ କରାଯାଇଛି।

ତେବେ ପୁଲିସର ଏହି କାରବାର ପଛରେ କାହାଣୀ ଭିନ୍ନ ଥିବା ଅଭିଯୋଗ ହୋଇଛି। ସେକ୍‌ ଆଝାରୁଦ୍ଦିନ ଜଣେ ଭଲ ଛାତ୍ର। ସେ ଭୁବନେଶ୍ବର ଆସିନଥିଲେ କିମ୍ବା ଏଭଳି ବ୍ୟବସାୟରେ ସାମିଲ ନଥିଲେ। ସେ ସନ୍ଧ୍ୟାରେ ଚା’ ପିଇବା ପାଇଁ ଯାଇଥିଲେ। ରାତିରେ ତାଙ୍କର ପ୍ରୋଜେକ୍ଟ କରିବାର ଥିଲା। ସେଠାରୁ ପୁଲିସ ଉଠାଇ ଆଣିଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏ ନେଇ ଗତକାଲି ବିଳମ୍ବିତ ରାତିରେ ଦରଘା ବଜାର ଥାନାରେ ସେ ନିଖୋଜ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏତେ ପରିମାଣର ନିଷିଦ୍ଧ ସାମଗ୍ରୀ କିଭଳି ଏକ ଲାଇସେନ୍‌ସ୍‌ପ୍ରାପ୍ତ ଫାର୍ମା ରଖିଥିଲା, କିଭଳି ଡ୍ରଗ୍‌ସ୍‌ ଇନ୍‌ସ୍‌ପେକ୍ଟର ଜାଣି ପାରୁନଥିଲେ କିମ୍ବା ଉଭୟଙ୍କ ମଧୁଚନ୍ଦ୍ରିକାରେ ବେପାର ଚାଲିଥିଲା, ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଡ୍ରଗ୍‌ସ କଣ୍ଟ୍ରୋଲରର ଚଢ଼ଉ, ଖାଲି ହାତରେ ଫେରିଲେ
ଭୁବନେଶ୍ବର: ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ଗତକାଲି ବିପୁଳ ପରିମାଣର କଫ୍ ସିରପ୍ ଜବତ ହେବା ପରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ଚେଇଁ ଉଠିଛି। ଆଜି ରାଜଧାନୀର ୪ଟି ରେଞ୍ଜ୍‌ର ଡ୍ରଗ୍ ଇନ୍‌ସପେକ୍ଟର ବା ଡିଆଇ କିଛି ଅଞ୍ଚଳରେ ଚଢ଼ଉ କରିଥିଲେ। ହେଲେ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ତେବେ କେବଳ ରାଜଧାନୀ ନୁହେଁ ଅବିଭକ୍ତ ପୁରୀ ଓ କଟକ ଜିଲ୍ଲାରେ ଏହି ଚଢ଼ଉ ଜାରି ରଖିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ଭୁବନେଶ୍ବରର ରେଞ୍ଜ୍‌ ୧,୨,୩ ଓ ଖୋର୍ଧା ରେଞ୍ଜର ଡିଆଇ ମିଳିତ ଭାବେ ରାଜଧାନୀର ଏକ ଅଞ୍ଚଳରେ ଚଢ଼ଉ କରିଥିଲେ। ହେଲେ ସେଠାରେ କୌଣସି ଜିନିଷ ମିଳି ନ ଥିଲା। ସେହିପରି ସଂଧ୍ୟାରେ ମଧ୍ୟ ଆଉ ଏକ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ରାଜଧାନୀରେ ଏତେ ପରିମାଣର କଫ୍ ସିରପ ଆସିବା ଓ ଏହାକୁ ରଖିଥିବା ହୋଲସେଲର୍‌ ବିରୋଧରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି। ନିକଟରେ ଅନୁଗୁଳରୁ ବିପୁଳ ପରିମାଣର କଫ୍ ସିରପ ଜବତ କରାଯାଇଥିଲା। ନିୟମିତଭାବେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବିପୁଳ ପରିମାଣର କଫ୍ ସିରପ୍ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ଖୁବଶୀଘ୍ର ରାଜଧାନୀକୁ ଆସୁଥିବା କଫ୍ ସିରପ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିବ। ଏହାସହ ନିୟମିତଭାବେ ଅବିଭକ୍ତ ପୁରୀ ଓ କଟକ ଜିଲ୍ଲାରେ ଏଭଳି ଚଢ଼ଉ କରାଯିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର