ସାଇବର ଫରେନସିକ୍‌ ଡିଭିଜନ୍‌ ଲୋକାର୍ପିତ

ଭୁବନେଶ୍ୱର: ଏଣିକି ଫରେନସିକ ଯାଞ୍ଚ ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର ରସୁଲଗଡ଼ଠାରେ ଫରେନସିକ୍‌ ଲ୍ୟାବ ପରିସରରେ ଥିବା ସାଇବର ଫରେନ୍‌ସିକ ଡିଭିଜନ ଆଜି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଏହା ଫଳରେ ରାଜ୍ୟରେ ଘଟୁଥିବା ସାଇବର ଅପରାଧର ସାଇବର ଅପରାଧ ସମ୍ପର୍କିତ ସମସ୍ତ ସିଡି, ମୋବାଇଲ୍‌ ଫୋନ୍‌, ହାର୍ଡଡିସ୍କ ସହ ବିଭିନ୍ନ ସାମଗ୍ରୀ ଯାଞ୍ଚ କରାଯାଇ ତୁରନ୍ତ ରିପୋର୍ଟ ପ୍ରଦାନ କରାଯିବ। ଫଳରେ ସାଇବର ଅପରାଧର ତଦନ୍ତ ସହଜ ଓ ଶୀଘ୍ର ହୋଇ ପାରିବ। ଏଥିପାଇଁ ଦୁଇ ଜଣ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ଅବସରରେ ଡିଜି ଡ. ଶର୍ମା କହିଥିଲେ, ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି। ଫେସବୁକ୍‌, ହ୍ଵାଟ୍‌ସଆପ୍‌ର ଏବେ ବହୁଳ ବ୍ୟବହାର ହେଉଛି। ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି। ଯୁବପିଢ଼ି ଓ ଅସାମାଜିକ ଯୁବକମାନେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ସମୟର ଫଟୋ ଓ ଭିଡିଓକୁ ସହଜରେ ଭାଇରାଲ କରିବାରେ ସକ୍ଷମ ହେଉଛନ୍ତି। ଏହିସବୁ ମାମଲାର ଯାଞ୍ଚ ଠିକ୍‌ ଭାବେ ହୋଇପାରୁନଥିବାରୁ ଭାଇରାଲ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଦୀର୍ଘ ଦିନ ଧରି ଘୂରି ବୁଲୁଛି। ଯେଉଁଥିପାଇଁ ବିଭିନ୍ନ ସମୟରେ ଯୁବତୀ ଓ ଛାତ୍ରୀମାନେ ଆତ୍ମହତ୍ୟା ବି କରୁଛନ୍ତି। ଏହାଛଡ଼ା ଏଟିଏମ୍‌, ଇଣ୍ଟରନେଟ୍‌ ଠକେଇ ଆଦିର ମଧ୍ୟ ସାଇବର ତଦନ୍ତର ଆବଶ୍ୟକତା ପଡ଼ୁଛି। ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ଫରେନ୍‌ସିକ ଯାଞ୍ଚର ଆବଶ୍ୟକତା ପଡ଼ୁଥିଲା। ବିଭିନ୍ନ ସମୟରେ ରାଜ୍ୟ ପୁଲିସ କୋଲକାତା, ହାଇଦ୍ରାବାଦ ଓ ଚଣ୍ଡୀଗଡ଼ ଯିବାକୁ ପଡ଼ୁଛି। ତେଣୁ ଏଠାରେ ସାଇବର ଫରେନସିକ୍‌ ଲ୍ୟାବ ପ୍ରତିଷ୍ଠା ହେବା ପରେ ସାଇବର ଅପରାଧର ତଦନ୍ତ ସହଜ ଓ ଶୀଘ୍ର ହେବ। ଏଥିପାଇଁ ଦୁଇଜଣ ବିଶେଷଜ୍ଞ ଅଫିସରଙ୍କୁ ପ୍ରଶିକ୍ଷଶ ଦିଆଯାଇଛି। ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୁଇନ୍ଦା ନିର୍ଦେଶକ ସୁନୀଲ ରୟ, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର