ଯୌତୁକ ବିରୋଧରେ ସାଇକେଲ ଯାତ୍ରା

0 11

ଭୁବନେଶ୍ୱର : ମହାରାଷ୍ଟ୍ର ଜଲାନା ଜିଲ୍ଲାର ନିବାସୀ ହେଉଛନ୍ତି ଭାଉ ସାହେବ। ବୟସ ୪୫। ୧୯୯୩ ମସିହାରେ ଭଉଣୀର ବିବାହ ପାଇଁ ଯେତେବେଳେ ପୁଅ ଦେଖିବାକୁ ଗଲେ ସେଠି ପୁଅ ଘରବାଲା ଯୌତୁକ ଦାବି କଲେ। ଯୌତୁକ କଥା ଶୁଣି ଭାଉ ସେଠାରୁ ଉଠି ଚାଲି ଆସିଥିଲେ ଏବଂ ସେଠାରେ ତାଙ୍କ ଭଉଣୀର ବିବାହ କରାଇ ନଥିଲେ। ଏହାପରେ ଭାଉଙ୍କ ମନ ଭିତରେ ଯୌତୁକ ସମସ୍ୟା କଥା ଘେରା ବନ୍ଧିଲା ଓ ଏହି ବ୍ୟାଧିକୁ ସବୁଦିନ ପାଇଁ ସମାଜରୁ ମୂଳୋତ୍ପାଟନ କରିବାକୁ ସ୍ଥିର କଲେ। ଆଉ କିଛି ନଭାବି ନଚିନ୍ତି ବାହାରି ପଡ଼ିଲେ ସାଇକେଲ ଯୋଗେ ନାରୀମାନଙ୍କ ପ୍ରତି ହେଉଥିବା ନିର୍ଯାତନାର ବିରୋଧରେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ। ଏହି ସାଇକେଲ ଯାତ୍ରା ଏତେ ପରିମାଣରେ ସଫଳ ହେଲା ଯେ ସେ ଏ ପର୍ଯ୍ୟନ୍ତ ଲକ୍ଷଲକ୍ଷ କିଲୋମିଟର ସାଇକେଲ ଚଲେଇ ସାରିଲେଣି। ସାଇକେଲରେ ଚାରି ଥର ପୂରା ଭାରତ ଭ୍ରମଣ କରି ସାରିଲେଣି। ଏହି ଭ୍ରମଣ ସମୟରେ ଯେଉଁଠି ଜାଗା ମିଳେ ସେ ସେଇଠାରେ ରାତି କାଟି ଦିଅନ୍ତି। ସ୍କୁଲଗୁଡ଼ିକୁୁ ଯାଇ ପିଲାମାନଙ୍କୁ ଯୌତୁକ ବିରୋଧରେ ସଚେତନତାର ବାର୍ତ୍ତା ଦିଅନ୍ତି। ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ଚା’ ଦୋକାନରେ କିଛି ଲୋକ ବସି କଥା ହେଉଥିବାର ଦେଖନ୍ତି, ସେଠାକୁ ଯାଇ ଯୌତୁକ ପ୍ରଥା ବିଷୟରେ ଅଲୋଚନା କରିବା ଆରମ୍ଭ କରିଦେଇଥାନ୍ତି। ଭାଉଙ୍କ କହିବା କଥା, ଯଦି ଆମେ ଆଜି ଛୋଟଛୋଟ ଗୋଷ୍ଠୀକୁ ଯୌତୁକ ପ୍ରଥା ବିରୋଧରେ ସଚେତନ କରିବା ଏହା ପରବର୍ତୀ ସମୟରେ ଫଳପ୍ରଦ ହେବ। ଭାଉଙ୍କ କହିବାନୁଯାୟୀ ଏକ ବଡ଼ ସଭାରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଯଦି ଏହି ବାର୍ତ୍ତା ଦିଆଯାଏ ତାହା ଏତେ ପରିମାଣରେ ସଫଳ ହେବ ନାହିଁ।

ଭାରତରେ ସବୁ ଭଉଣୀଙ୍କ ଭାଇ

ଭାଉଙ୍କ ଘରେ ବୁଢ଼ୀ ମା’ ଓ ତାଙ୍କ ସାନ ଭାଇଙ୍କ ପରିବାର ରୁହନ୍ତି। ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି କି ଆଗକୁ କରିବାର କୌଣସି ଯୋଜନା ମଧ୍ୟ ନାହିଁ। ସେ କହନ୍ତି, ସମଗ୍ର ଭାରତବର୍ଷ ତାଙ୍କର ପରିବାର। ଭାଉ କହନ୍ତ ସେ ଛୋଟ ପରିବାରକୁ ଛାଡ଼ି ବଡ଼ ପରିବାରରେ ସାମିଲ ହୋଇଛନ୍ତି। ଏହି ସାଇକେଲ ଯାତ୍ରାରେ ଭାଉଙ୍କୁ ଅନେକ ପ୍ରକାର ଲୋକ ମିଳନ୍ତି କିଏ ଭାଉଙ୍କୁ ମା’ ଭଳି ଖାଇବାକୁ ଦିଏ ତ କିଏ ବାପାଙ୍କ ଭଳି ଗାଳି କରି ବୁଝାନ୍ତି। ତାଙ୍କ କହିବାନୁସାରେ ଏହି ଯାତ୍ରା ଫଳରେ ସେ ଲୋକଙ୍କ ଭିତରେ ଛୋଟ ଛୋଟ ପରିବର୍ତ୍ତନ ଦେଖିଛନ୍ତି। ଖାସ କରି ଯୁବକମାନେ ତାଙ୍କ ଏହି ଯୌତୁକ ବିରୋଧୀ ସଚେତନତା କାର୍ଯ୍ୟକ୍ରମରେ ପ୍ରଭାବିତ ହେଉଥିବା ସେ ଅନେକ ସ୍ଥାନରେ ଅନୁଭବ କରିଛନ୍ତି। ସେ ଯେଉଁ ରାଜ୍ୟରେ ପହଞ୍ଚନ୍ତି, ସେହି ରାଜ୍ୟର ନେତା ଓ ମନ୍ତ୍ରୀଙ୍କ ସହ ଦେଖା କରନ୍ତି ଓ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରନ୍ତି କି ଏହି ଯୌତୁକ ପ୍ରଥାକୁ ସବୁଦିନ ପାଇଁ ଆମ ସମାଜରୁ ହଟିବା ପାଇଁ କଣ କଣ କରିବା ଦରକାର। ଭାଉ ତାଙ୍କ ସାଇକେଲ ଯାତ୍ରାର ଅନୁଭବରୁ ଆଶା କରିଛନ୍ତି ଯେ ଦିନେ ନା ଦିନେ ଭାରତରେ ଏହାର ପ୍ରଭାବ ନିଶ୍ଚିତ ରୂପେ ପଡ଼ିବ।

ଗୋଟିଏ ଦିନରେ ୬୦ କିଲୋମିଟରର ସାଇକେଲ ଯାତ୍ରା

ଯାତ୍ରା ସମୟରେ ଭାଉ ପ୍ରତ୍ୟେକ ଦିନ ସାଇକେଲରେ ୬୦ କିଲୋମିଟର ଯାତ୍ରା କରନ୍ତି। ୪୫ ବର୍ଷୀୟା ଭାଉ ସଂପୂର୍ଣ୍ଣ ନିରାମିଷାସୀ। ଯାତ୍ରା ସମୟରେ ତାଙ୍କୁ ସବୁଠି ନିରାମିଷ ଖାଦ୍ୟ ମିଳେ ନାହିଁ। ତେଣୁ ସାଙ୍ଗରେ ରଖିଥିବା କିଛି ଶୁଖିଲା ଖାଦ୍ୟ ଖାଇ ସେହି ଦିନଟି କାଟି ଦିଅନ୍ତି।

ମୋବାଇଲ ବିନା ବୁଲନ୍ତି ପୂରା ଭାରତ

ଆଜିର ଡିଜିଟାଲ ଯୁଗରେ ମଧ୍ୟ ମୋବାଇଲଠାରୁ ଦୂରେଇ ରହିଛନ୍ତି ଭାଉ। ଦୁଇ ତିନି ମାସରେ ଥରେ ସେ ଟେଲିଫୋନ ବୁଥରୁ ତାଙ୍କ ଘରକୁ ଫୋନ କରି ତାଙ୍କ ସାନ ଭାଇଙ୍କ ସହ କଥା ହୋଇ ଘରର ଭଲମନ୍ଦ ବିଷୟରେ ବୁଝିଥାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.