ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆରମ୍ଭ ହେବ ସାଇକେଲ ସେୟାରିଂ

ଭୁବନେଶ୍ୱର: ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ ହେବ ସାଇକେଲ ସେୟାରିଂ ବ୍ୟବସ୍ଥା । ଅର୍ଥାତ୍‌ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଜରିଆରେ ଯାତ୍ରୀ ଭଡାରେ ସାଇକେଲ ନେଇପାରିବେ। ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ନେବା ପରେ ଏହାଠାରୁ ଅଧିକ ହେଲେ ଯାତ୍ରୀଙ୍କୁ ପାଉଣା ଦେବା ପାଇଁ ପଡିବ । ୟ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୨ ହଜାରରୁ ଅଢେଇ ହଜାର ସାଇକେଲ ଆସିବ । ଠିକ୍‌ ସେହିପରି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ରାସ୍ତାଗୁଡିକର ପାର୍ଶ୍ୱରେ ୪୦ କି.ମି ପର୍ଯ୍ୟନ୍ତ ସାଇକେଲ ଟ୍ରାକ ହେବ। ଏଥିପାଇଁ ପ୍ରଥମେ ୩ଟି ରୁଟକୁ ଚିହ୍ନଟ କରିଛି ବିଏମସି । ଗୋଟିଏ ଏୟାରପୋର୍ଟରୁ କିଟ ସ୍କୋୟାରକୁ ଯିବ । ୨ୟ ରୁଟଟି ବାଣୀବିହାରରୁ ରାଜମହଲ ଛକ ଏବଂ ୩ୟ ଟି ରାଜଭବନ ଛକରୁ ଜୟଦେବ ବିହାର ଅଭିମୁଖେ ଯିବେ ।


ସୂଚନାଯୋଗ୍ୟ, ମୋବାଇକ ନାମକ ଏକ ଅର୍ନ୍ତଜାତୀୟ କମ୍ପାନି ପ୍ରଥମ ପର୍ଯ୍ୟାୟରେ ୨ହଜାର ଅତ୍ୟାଧୁନିକ ସାଇକେଲ ବିଏମସିକୁ ଦେବ । ଏହି ସାଇକେଲଗୁଡ଼ିକ ମୋବାଇକ ମୋବାଇଲ ଆପ ମାଧ୍ୟମରେ ଚାଲିବ । ଏହାକୁ ଟ୍ରାକ କରିବା ପାଇଁ ସାଇକେଲରେ ଜିପିଏସ ସିଷ୍ଟମ ରହିଛି । ଏହି ଅତ୍ୟାଧୁନିକ ସାଇକେଲର ଦାମ ପାଖାପାଖି ୪୦ରୁ ୫୦ ହଜାର ଟଙ୍କା ରହିଛି । ଏହି ବ୍ୟବସ୍ଥାକୁ ଆସନ୍ତା ନଭେମ୍ବର ମାସ ଅର୍ଥାତ ପୁରୁଷ ବିଶ୍ୱ ହକି କପ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା । ଏହାଛଡ଼ା ଭିଡ ରୋକିବା ପାଇଁ ମଧ୍ୟ ଏହି ଅଭିନବ ବ୍ୟବସ୍ଥା କରାଯାଉଛି । ପୁଣେ ଓ ଭୋପାଳରେ ମଧ୍ୟ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧିତ ଖବର