୭ ଘଣ୍ଟା ଖରାରେ ଠିଆ ହେଲେ ତଥାପି ମିଳିଲାନି ରିଲିଫ୍‌

ଭୁବନେଶ୍ବର : ସରକାରଙ୍କ ବାତ୍ୟା ସହାୟତା ପାଇବା ପାଇଁ ଆଜି ଶହଶହ ଲୋକ ବିଜୁ ପଟ୍ଟନାୟକ କଲେଜ ପରିସରରେ ଦୀର୍ଘ ୭ଘଣ୍ଟା କାଳ ଖରାରେ ଛିଡ଼ା ହୋଇଥିଲେ ହେଁ ସେମାନଙ୍କୁ ସହାୟତା ମିଳିନି। ଯାହାକୁ ନେଇ ଆଜି ବିଜୁ ପଟ୍ଟନାୟକ କଲେଜ ଛକରେ ଉତ୍ତେଜନା ଦେଖାଦେଇଛି।

ମୁଖ୍ୟମନ୍ତ୍ରୀ ବାତ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ନେଇ ରବିବାର ଘୋଷଣା କରିବା ପରେ ସାଲିଆସାହି ୱାର୍ଡ ନଂ.୨୬ର ବାସିନ୍ଦାମାନଙ୍କୁ ଏହି ସହାୟତା ସୋମବାର ମିଳିବ ବୋଲି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର କହିଥିଲେ। ଏହାପରେ ଶହଶହ ଲୋକ ଭୋର୍‌ ୫ଟାରୁ ବିଜୁ ପଟ୍ଟନାୟକ କଲେଜ ପରିସରରେ ଧାଡ଼ି ଲଗାଇଥିଲେ। ସକାଳ ୮ଟାରୁ ଖରାର ପ୍ରକୋପ ବଢ଼ିଥିଲେ ହେଁ ଧାଡ଼ି ଛାଡ଼ିଲେ କାଳେ ସହାୟତା ମିଳିବନି ବୋଲି ଭାବି ଲୋକ ଡହଡହ ଖରାରେ ଛିଡ଼ା ହୋଇଥିଲେ। ଯେ‌ତେବେଳେ ପ୍ରଶାସନର କାହାର ଦେଖା ସାକ୍ଷାତ ମିଳିଲାନି ଲୋକମାନେ ବ୍ୟାଗ୍, ଇଟା, ଅଣ୍ଡା କାର୍ଟୁନ୍, ଚପଲ ‌ଧାଡ଼ିରେ ରଖି କଲେଜ ବାରଣ୍ଡାକୁ ଉଠିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବି କାହାକୁ ଆଜି ସହାୟତା ମିଳିନି। ଯେଉଁଥିପାଇଁ ଆଜି ଲୋକମାନେ ପ୍ରଶାସନକୁ ମନଇଚ୍ଛା ଗାଳି ଦେଇଛନ୍ତି।

ଭୋଟ୍‌ ବେଳେ ଗୋଡ଼ ତଳେ ପଡ଼ିଲେ, ଏବେ ଦେଖାନାହିଁ

ବାତ୍ୟା ସମୟରେ ଆମକୁ ଆଶ୍ରୟସ୍ଥଳୀକୁ ନେଲେନି। ଆମେ ନିଜ ନିଜ ବ୍ୟବସ୍ଥାରେ ରହିଲୁ। ବାତ୍ୟା‌ ଯୋଗୁଁ ଘର ଭାଙ୍ଗିଯାଇଛି। ହେଲେ ଏବେ କେହି ଆମ ପାଖକୁ ଆସୁ ନାହାଁନ୍ତି କି କିଛି ବୁଝୁ ନାହାନ୍ତି। ଖରାବର୍ଷା ଖାଇ ରହୁଛୁ। ଆମ କଥା ବୁଝିବାକୁ କେହି ନେତା କି ସରକାରୀବାବୁ ଆସୁ ନାହାନ୍ତି। ହେଲେ ଭୋଟ ବେଳକୁ ଆମ ଗୋଡ଼ ତଳେ ପଡ଼ିଯାଉଛନ୍ତି।
ତ୍ରିଲୋଚନ ମଲ୍ଲିକ

ଥରେ ବସ୍ତିକୁ ଆସି ବୁଲିଯାଅ

ନିର୍ବାଚନ ବେ‌ଳେ ଭୋଟ ପାଇଁ ଘରକୁ ଦୌଡ଼ି ଆସୁଛ। ଭାଇ ଭଉଣୀ କହି ଗୋଡ଼ହାତ ତଳେ ପଡ଼ି ଭୋଟ ମାଗୁଛ। ଅମୁକ କରିଦବୁ ସମୁକ କରିଦେବୁ କହି ଲମ୍ବା ପ୍ରତିଶ୍ରୁତି ‌ଦେଉଥିଲେ। ହେଲେ ଏବେ ଦେଖା ନାହିଁ। ରନ୍ଧାଖାଦ୍ୟ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ଏପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପାଇବା ତ ଦୂରର କଥା ଚୁଡ଼ାଗୁଡ଼ ବି ମିଳିଲାନି। ଏମିତିକି ପାଣି ମୁନ୍ଦାଏ ବି ଦେଇପାରୁନାହାନ୍ତି। ଆମେ ବହୁ କ‌ଷ୍ଟରେ ଅଛୁ। ପ୍ରଶାସନକୁ ଆମର ଅନୁରୋଧ ଥରେ ବସ୍ତିକୁ ଆସି ବୁଲିଯାଅ।
ମହେଶ୍ବର ପ୍ରଧାନ

ବାବୁ ବସ୍ତିକୁ ଆସିଲେ ପ୍ରକୃତ ଛବି ଦେଖିବେ

ଘର ଛପର ଉଡ଼ିଯାଇଛି। ବାତ୍ୟା ଯୋଗୁଁ ଖାଇବା ପାଇଁ ଯାହା ରଖିଥିଲୁ ସବୁ ନଷ୍ଟ ହୋଇଯାଇଛି। ୪ଦିନ ହେଲା ଓଳିଏ ଖାଇ ରହୁଛୁ। ଏମିତି କି ପାଣି କିଣିବାକୁ ପଡ଼ୁଛି। ଏଭଳି କଷ୍ଟରେ ଥିଲେ ବି କେହି ଆସୁନାହାନ୍ତି। ଅମା କଥା କେହି ବୁଝୁ ନାହାନ୍ତି। ବାବୁମାନେ ଏସି ଘର ଛାଡ଼ି ଆମ ବସ୍ତିକୁ ଆସନ୍ତୁ। ପ୍ରକୃତ ଛବି କ’ଣ ଦେଖି ପାରିବେ।
ରଶ୍ମିତା ପ୍ରଧାନ

ସମ୍ବନ୍ଧିତ ଖବର