‘ଫନି’ର ଦୁଇ ସପ୍ତାହ ପରେ ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା

ଭୁବନେଶ୍ବର : ‘ଫନି’ ମାଡ଼ର ଦୁଇ ସପ୍ତାହ ପରେ ବି ପ୍ରଭାବିତ ଅଞ୍ଚଳରେ ଅନେକ ସମ୍ବେଦନଶୀଳ ସମସ୍ୟା ରହିଛି। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଥଇଥାନ ଓ ପୁନର୍ବାସ ପ୍ରକ୍ରିୟାରେ ମାନ ବୃଦ୍ଧି କରିବା ପାଇଁ ରାଜ୍ୟର ୩୦ରୁ ଅଧିକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ‘ଫନି ମୁକାବିଲା ନାଗରିକ ସମୂହ’ ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାସନ୍‌କାର୍ଡ ନଥିଲେ ବି ରିଲିଫ୍‌ ସହାୟତା ମିଳିବା ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉନଥିବା, ପ୍ରଭାବିତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନିଷ୍କ୍ରିୟତା ଓ ଧାନର ଅଭାବୀ ବିକ୍ରି, ଘୋଷିତ ସହାୟତା ରାଶି ଯଥେଷ୍ଟ ହେଉନଥିବା, ମିଳୁଥିବା ତାର୍ପୋଲିନ୍‌ ଛୋଟ ହେଉଥିବା ଓ ମଶା ଦାଉରେ ଲୋକେ ହଇରାଣ ହେଉଥିବା, ରିଲିଫ ଟଙ୍କାରେ ଋଣ କିସ୍ତି ସୁଝୁଥିବା, ମହିଳାଙ୍କୁ ଆଶ୍ରୟ ଓ ରନ୍ଧା ଖାଦ୍ୟ ନ ମିଳିବା ଓ ରିଲିଫ ବଣ୍ଟନରେ ପାତରଅନ୍ତର ହେଉଥିବା ଭଳି ସମସ୍ୟା ସାମ୍ନାକୁ ଆସିଛି। ଅନେକ ପ୍ରଭାବିତ ଯୌଥ ପରିବାରଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ପର୍ଯ୍ୟାପ୍ତ ନୁହେଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଛି। ଏଥିରେ ସିୱାଇଏସ୍‌ଡିର ମାର୍ଗଦର୍ଶକ ତଥା ସହ ପ୍ରତିଷ୍ଠାତା ଜଗଦାନନ୍ଦ, ସାମ୍ବାଦିକ ରାଜେଶ ମହାପାତ୍ର, ‘ଆଇନା’ର ସମ୍ପାଦିକା ସ୍ନେହା ମିଶ୍ର, ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର