ଥରଉଛି ପେଥାଇ

ଭୁବନେଶ୍ବର : ଦିନ ସାରା ଆକାଶରେ ଘୋଟି ରହିଥିଲା ବାଦଲ। କୋହଲା ପାଗ। ତା’ସାଙ୍ଗକୁ ହାଲ୍‌କା ବର୍ଷା। ଦେହ ଥରିଗଲା ପରି ଲାଗୁଥିଲା। ଘରୁ ବାହାରିବା ସମୟରେ ବିଚଳିତ ହୋଇପଡ଼ୁଥିଲେ ଲୋ‌କେ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପିନ୍ଧିବେ ନା ‌ବର୍ଷାରୁ ରକ୍ଷା ପାଇବା ଲାଗି ରେନ୍‌କୋର୍ଟ। ଦ୍ବନ୍ଦ୍ବରେ ପଡ଼ି କେହି କେହି ଶୀତବସ୍ତ୍ର ଉପରେ ରେନ୍‌କୋର୍ଟ ପିନ୍ଧି ବାହାରକୁ ବାହାରିଥିଲେ। ଘୂର୍ଣ୍ଣିଝଡ଼ ‘ପେଥାଇ’ ପ୍ରଭାବରେ ଆଜି ଦିନ ତମାମ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀରେ।

‘ପେଥାଇ’ ପ୍ରଭାବ‌ରେ ଗତକାଲି ଅପରାହ୍ଣଠାରୁ ଭୁବନେଶ୍ବରର ପାରଦ ଖସିବାରେ ଲାଗିଛି। କୋହଲା ପାଗ ସାଙ୍ଗକୁ ହାଲକା ବର୍ଷା ଲାଗିରହିଛି। ଏପରିକି ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ହକି ମ୍ୟାଚ୍‌ ଚାଲିଥିବା ବେଳେ ହାଲ୍‌କା ବର୍ଷା ହୋଇଥିଲା। ଆଉ ଆଜି ସକାଳୁ ପାଗ ଆହୁରି ବିଗିଡ଼ି ଯାଇଥିଲା। ଦିନତମାମ ଖରାର ଦେଖା ହିଁ ନ ଥିଲା। ବଜାରଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ସବୁଠି କୋହଲା ପାଗର ପ୍ରଭାବ ଦେଖିବାକୁ ମିଳିଥିଲା। ସୋମବାର ରାସ୍ତାରେ ଯେଉଁଭଳି ଭିଡ଼ ଦେଖିବାକୁ ମିଳିଥାଏ ତାହା ଆଜି ନ ଥିଲା। ମେଘୁଆ ପାଗ ଯୋଗୁଁ ସ୍କୁଲଗୁଡ଼ିକରେ ଉପସ୍ଥାନ ବହୁ ପରିମାଣରେ ହ୍ରାସ ପାଇଥିଲା। ଚଳିତ ମାସରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଉପରେ ରହୁଥିବା ବେଳେ ଆଜି ହଠାତ୍‌ ୨୨ ଡିଗ୍ରିକୁ ଖସି ଆସିଥିଲା। ରାତି ସମୟରେ ସହରର ସର୍ବନିମ୍ନ ତାପମାତ୍ରା ୧୫ରୁ ୧୬ ଡିଗ୍ରି ରହୁଥିବା ବେଳେ ଆଜି ଅପରାହ୍ଣରେ ତାପମାତ୍ରା ୧୬ ଡିଗ୍ରିକୁ ହ୍ରାସ ପାଇଥିଲା। ସମୟ ସମୟରେ ଘଣ୍ଟାପ୍ରତି ୨୦ରୁ ୨୫ କିମି ବେଗରେ ପବନ ବି ହେଉଥିଲା। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଏଭଳି ପାଗ ଆଉ ୧୨ ଘଣ୍ଟା ଲାଗିରହିବ। ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ଏପାଖସେପାଖ ହେବ। ମଙ୍ଗଳବାର ସର୍ବାଧିକ ତାପମାତ୍ରା ୨୩ ଡିଗ୍ରି ଓ ସର୍ବନିମ୍ନ ୧୬ ଡିଗ୍ରି ରହିବ। ପେଥାଇ ପ୍ରଭାବରେ ଏଭଳି ମେଘୁଆ ପାଗ ହୋଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ସମୁଦ୍ର ଆଡ଼ୁ ପବନ ଆସୁଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି।

ଦିନରେ ନିଆଁ ଜାଳି ବସିଲେ

ଥଣ୍ଡାର ପ୍ରକୋପ ଏପରି ଥିଲା ‌ଯେ ଲୋକେ ଦିନରେ ନିଆଁ ଜାଳି ବସିଥିଲେ। ବସ୍ତି ଅଞ୍ଚଳ ସମେତ ରାସ୍ତାପାର୍ଶ୍ବରେ ବସବାସ କରୁଥିବା ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଥିଲେ। ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ରାସ୍ତା, ଆଚାର୍ଯ୍ୟ ବିହାରରୁ ବାଣୀବିହାର, ସୈନିକ ସ୍କୁଲରୁ ଆଚାର୍ଯ୍ୟ ବିହାର ଛକ ରାସ୍ତାପାର୍ଶ୍ବରେ ରହୁଥିବା ‌ଲୋକଙ୍କ ସମେତ ବସ୍ତି ଅଞ୍ଚଳର ପିଲାମାନେ ବି ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏଭଳି ପନ୍ଥା ଆପଣାଇଥିଲେ। ସକାଳୁ କାମରେ ବାହାରିଥିବା ଶ୍ରମିକ ହାଟରେ ଆଜି ଗ୍ରାହକଙ୍କୁ ଦେଖିବାକୁ ମିଳି ନଥିଲା।

ରାସ୍ତାକଡ଼ରେ ପରୀକ୍ଷାର୍ଥୀ

ପୁଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଆସିଥିବା କେତେକ ପରୀକ୍ଷାର୍ଥୀ ଆଜି ଦିନତମାମ ଥଣ୍ଡାରେ ଥରିଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨୦ ବାଟାଲିଆନ୍‌ ପାଚେରିକୁ ଲାଗି ୩୦ରୁ ଅଧିକ ପରୀକ୍ଷାର୍ଥୀ ଥଣ୍ଡା,ବର୍ଷାରେ ପଡ଼ି ରହିଥିଲେ। ସାଙ୍ଗରେ ଆଣିଥିବା ବେଡସିଟ୍‌କୁ ଦେହରେ ଘୋଡ଼ାଇ ହୋଇ ଶୋଇଥିଲେ। ଭିଭିଆଇପି ଯିବା ଆସିବା କରୁଥିବା ଏହି ରାସ୍ତାପାର୍ଶ୍ବରେ ପରୀକ୍ଷାର୍ଥୀଙ୍କ ଅବସ୍ଥାକୁ ଦେଖି କେହି କେହି ବିଚଳିତ ହୋଇ ପାଖକୁ ଯାଇ ସେମାନଙ୍କ ବିଷୟରେ ପଚାରୁଥିଲେ। ବେଡସିଟ୍‌ ଘୋଡ଼ାଇ ହୋଇ ଥଣ୍ଡାରୁ ରକ୍ଷା ପାଇଥି‌ଲେ ମଧ୍ୟ ବର୍ଷା ସମୟରେ ସେମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର