୧୬ରୁ ଭୁବନେଶ୍ବର ସାଇକ୍ଲୋଥୋନ୍: ମୁଁ ଆସିବି…, ଆପଣ ବି ଆସନ୍ତୁ…

ଭୁବନେଶ୍ବର: ସୁସ୍ଥ ରହିବା ପାଇଁ ବ୍ୟାୟାମ ଯେ ଜରୁରୀ ଏହା ସମସ୍ତଙ୍କୁ ଜଣା। ମାତ୍ର ଦୈନନ୍ଦିନ କର୍ମମୟ ଜୀବନରେ ସାଇକେଲ୍‌କୁ ସାମିଲ୍ କରିପାରିଲେ ଜଣେ ବ୍ୟକ୍ତି ନିଜେ ସୁସ୍ଥ ରହିବା ସହ ପରିବେଶକୁ ମଧ୍ୟ ସୁସ୍ଥ ରଖିବାରେ ଅବଦାନ ରଖେ। ଏଇ ଉଦ୍ଦେଶ୍ୟରେ ସାଇକେଲ୍ ଚାଳନା ସହ ଏକ ସୁସ୍ଥ ଜୀବନଯାପନର ବାର୍ତା ନେଇ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହେବ ‘ଭୁବନେଶ୍ବର ସାଇକ୍ଲୋଥୋନ୍’। ଆବାଳବୃଦ୍ଧବନିତା ସମସ୍ତେ ଏଥିରେ ସାମିଲ୍ ହେଇପାରିବେ। ସିନେ ଦୁନିଆର ସେଲେବ୍ରିଟିଙ୍କ ସମେତ ଜାତୀୟ ସ୍ତରର କ୍ରୀଡ଼ାବିତ୍ ମଧ୍ୟ ଏଥିରେ ସାମିଲ୍ ହୋଇ ସାଇକେଲ୍ ଚାଳନା କରିବେ। ଆସନ୍ତା ୧୬ ତାରିଖ ସକାଳ ସାଢ଼େ ୫ଟା ସମୟରେ ଏହା ଆରମ୍ଭ ହେବ। ଶିଖରଚଣ୍ଡୀରୁ ଆରମ୍ଭ ହୋଇ ଜୟଦେବ ବିହାର ଦେଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ। ଜାତୀୟ କୀର୍ତିମାନଧାରୀ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର୍ ଇକ୍ବାଲ୍, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ମତି ଦେଇଛନ୍ତି। ସୁସ୍ଥ ରହିବା ପାଇଁ ସାଇକେଲ୍ ଚଲାଇବା ଏବଂ ସାଇକେଲ୍ ଚାଳନାର ଉପକାରକୁ ଉପଲବ୍ଧି କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସାଇକ୍ଲୋଥୋନ୍ ଚଳିତ ବର୍ଷ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ହଜାରହଜାର ସଂଖ୍ୟାରେ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ସାମିଲ୍ ହୋଇ ପ୍ରତିଯୋଗିତାମୂଳକ ମନୋଭାବ ସହ ସାଇକେଲ୍ ଚାଳନା କରନ୍ତି। ଏଥର ମଧ୍ୟ ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହୋଇପାରିବେ। ଇଚ୍ଛୁକ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ ମୋବାଇଲ୍ ନମ୍ବର ୯୮୬୧୦୪୭୮୩୬ରେ ଯୋଗାଯୋଗ କରିପାରିବେ।

ସଚେତନ କରାଇବା ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ
ନିଜକୁ ଫିଟ୍ ରଖିବା ପାଇଁ ହେଲେ ସମସ୍ତଙ୍କୁ ପ୍ରତ୍ୟେକଦିନ କିଛି କିଛି ବ୍ୟାୟାମ କରିବା ଆବଶ୍ୟକ। ଏହା ରକ୍ତ ସଂଚାଳନକୁ ଠିକ୍ ରଖେ ଏବଂ ସୁସ୍ଥ ରଖିବାରେ ସହଯୋଗ କରେ। ତେଣୁ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ସାଇକ୍ଲୋଥୋନ୍ ସଚେତନ କରାଇବା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଆଗକୁ ମୋ’ର ନୂଆ ଫିଲ୍ମ ଆସୁଥିବା ବେଳେ ମୋ’ର ପ୍ରିୟ ଦର୍ଶକଙ୍କୁ ଏହା ଦେଖିବା ପାଇଁ ନିବେଦନ କରିବା ସହ ସାଇକେଲ୍ ଚାଳନାର ଏହି ବୃହତ୍ ଆଡ଼ମ୍ବରରେ ସାମିଲ୍ ହେବାକୁ ଆହ୍ବାନ କରିବି।
ଅର୍ଚ୍ଚିତା ସାହୁ (ଅଭିନେତ୍ରୀ)

ହୃଦୟ ପାଇଁ ସବୁବେଳେ ସାଇକେଲ୍ ଚାଳନା କରନ୍ତୁ
ମୁଁ ପାଗଳ ପ୍ରେମୀ ହିସାବରେ ଲୋକଙ୍କ ହୃଦୟରେ ସ୍ଥାନ ନେଇଥିଲି। ମୋ’ର ଟ୍ୟାଗ୍ ଲାଇନ୍ ଥିଲା, ‘ଫିଲ୍ ମାଇଁ ଲଭ୍’। ପ୍ରେମ ବାସ୍ତବରେ ହୃଦୟରୁ ବାହାରେ ଏବଂ ସେଇ ହୃଦୟରେ ହିଁ ଅନୁଭବ କରିହୁଏ। ମଣିଷକୁ ସକ୍ରିୟ ରଖିବାରେ ହୃଦୟର ବଡ଼ ଭୂମିକା ରହିଛି। ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ସାଇକ୍ଲୋଥୋନ୍ ଭଳି କାର୍ଯ୍ୟକ୍ରମରେ ମୁଁ ନିଶ୍ଚେ ସାମିଲ୍ ହେବି। ‘ସମ୍ବାଦ’ ପକ୍ଷରୁ ଏଭଳି ନିଆରା ଆୟୋଜନ ସ୍ବାଗତଯୋଗ୍ୟ। ଚାହିଁବି ଏଥିରେ ସବୁ ବର୍ଗର ଲୋକେ, ଛାତ୍ରଛାତ୍ରୀ ସାମିଲ ହୁଅନ୍ତୁ। ଏବଂ ହୃଦୟ ପାଇଁ ସବୁବେଳେ ସାଇକେଲ୍ ଚାଳନା କରନ୍ତୁ।
ସବ୍ୟସାଚୀ ମିଶ୍ର (ଅଭିନେତା)

ସମ୍ବନ୍ଧିତ ଖବର