ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପୁଲିସ ପଣ୍ଡ କରିଛି। ୭ଜଣ ଡକାୟତ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିବା କଥା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ନୟାପଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ୭ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୭ଜଣ ଡକାୟତ ହେଲେ କାଶିନାଥ ପାତ୍ର, ଗଙ୍ଗା ରେଡ୍ଡି, ଜିତେନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ଦାସ, ବିଶ୍ୱଜିତ ଦାସ, ସୁମନ୍ତ ଦିଗଲ ଓ କାଶିନାଥ ରେଡ୍ଡି ବୋଲି ଜଣାପଡ଼ିଛି।
ପୁଲିସ ଏହି ଡକାୟତଙ୍କୁ ଗିରଫ କରିବା ସହିତ ତିନିଟି ଅନ୍ଧ୍ରାକାଟି, ଦୁଇଟି ଛୁରୀ, ତିନିଟି ଆରି, ଚାରିଟି ଲୁହା ଛଡ଼, ଦୁଇଟି ଖୁର, ଦୁଇ ପ୍ୟାକେଟ ଲଙ୍କା ଲୁଣ୍ଡ ଓ ସାତଟି ମୋବାଇଲ ଫୋନ୍ ଜବତ କରିଛି। ପ୍ରତ୍ୟେଙ୍କ ଡକାୟତଙ୍କ ନାମରେ ଦୁଇରୁ ତିନିଟି ଅପରାଧିକ ମାମଲାରେ ଜଡ଼ିତ ଥିବା ନେଇ ମାମଲା ରୁଜୁ ହୋଇଛି। ମଙ୍ଗଳବାର ଏହି ୭ଜଣ ଡକାୟତ କୋର୍ଟ ଚାଲଣ ହୋଇଛନ୍ତି।