୨୬ରୁ ହୋଟେଲରେ ନିୟମିତ ଖାଦ୍ୟ ଯାଞ୍ଚ

ନିଯୁକ୍ତ ହେଲେ ୮ ଖାଦ୍ୟ ସୁରକ୍ଷା ଅଧିକାରୀ

ଭୁବନେଶ୍ବର: ବିଶ୍ବକପ୍ ହକି ପାଇଁ ଦେଶ ତଥା ଦେଶ ବାହାରୁ ଶହ ଶହ ଅତିଥି ଆସୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତାରକା ହୋଟେଲରେ ଖେଳାଳି ଓ ସେମାନଙ୍କ ସହ ଆସିବାକୁ ଥିବା ସପୋର୍ଟ ଷ୍ଟାଫ୍‌ଙ୍କ ସମେତ ପର୍ଯ୍ୟଟକଙ୍କୁ ଯେପରି ନିମ୍ନମାନର ଖାଦ୍ୟ ଖାଇବାକୁ ନ ପଡ଼େ ସେଥିପାଇଁ ହୋଟେଲରେ ଯାଞ୍ଚ ହେବ। ଆସନ୍ତା ୨୬ତାରିଖରୁ ନିୟମିତଭାବେ ବିଶ୍ବକପ ଶେଷ ହେବା ପର୍ଯ୍ୟନ୍ତ ଯାଞ୍ଚ କରାଯିବ। ସେହିପରି ରାଜଧାନୀରେ ମଶା ନିୟନ୍ତ୍ରଣକୁ ଜୋରଦାର କରାଯାଇଛି। ଏଥିପାଇଁ ଏକ ୬ଜଣିଆ କମିଟି ଗଠନ କରାଯାଇ ନିୟମିତ ଏହାର ସମୀକ୍ଷା କରାଯାଉଥିବା ଜଣାପଡ଼ିଛି। ବିଶ୍ବକପ୍ ହକି ସମୟରେ ହୋଟେଲ ଓ ଠେଲା ବ୍ୟବସାୟୀଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟର ଯାଞ୍ଚ ଜାରି ରହିଛି। ଖେଳାଳି ରହୁଥିବା ୮ଟି ହୋଟେଲ ଓ ସପୋର୍ଟ ଷ୍ଟାଫ୍ ଓ ଅନ୍ୟମାନେ ରହିବାକୁ ଥିବା ୧୦ଟି ହୋଟେଲରେ ଯାଞ୍ଚ ହୋଇଛି। ତେବେ ଆସନ୍ତା ୨୬ତାରିଖରୁ ନିୟମିତଭାବେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଉଭୟ ତାରକା ହୋଟେଲ ଓ ଛୋଟ ବ୍ୟବସ୍ଥା ରହିଛନ୍ତି। ବିଏମ୍‌ସିର ଜଣେ ଏଫ୍‌ଏସ୍‌ଓ ଓ ଖାଦ୍ୟ ସୁରକ୍ଷାର ଜଣେ ଏଫ୍ଏସ୍‌ଓଙ୍କୁ ମିଶାଇ ରାଜଧାନୀରେ ୨ଜଣ ଏଫ୍‌ଏସ୍‌ଓ ରହିଛି। ତେବେ ୨ଜଣଙ୍କୁ ନେଇ ନିୟମିତ ଖାଦ୍ୟ ଯାଞ୍ଚ ସମ୍ଭବ ନ ଥିବାରୁ ରାଜ୍ୟର ଅନ୍ୟ ଜିଲ୍ଲାରୁ ୬ଜଣ ଏଫ୍‌ଏସ୍‌ଓଙ୍କୁ ସ୍ବତନ୍ତ୍ରଭାବେ ନିଯୁକ୍ତ କରାଯାଇଛି। ଫଳରେ ୮ଜଣ ଏଫ୍‌ଏସ୍‌ଓ ବିଭିନ୍ନ ଜୋନ୍‌ରେ ଖାଦ୍ୟ ଯାଞ୍ଚ କରିବେ। ସେହିପରି ଖେଳାଳିମାନଙ୍କ ଖାଦ୍ୟ ଯାଞ୍ଚ ପାଇଁ ପ୍ରତ୍ୟେକ ଦଳର ଜଣେ ଡାଏଟିସିଅନ୍, ସଂପୃକ୍ତ ହୋଟେଲର ଜଣେ କର୍ମଚାରୀ ଓ ଏଫ୍‌ଏସ୍‌ଓ ରହିବେ। ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ଓଟିଡିସିକୁ ନେଇ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କିଭଳି ଖାଦ୍ୟର ମାନ ବଜାୟ ରହିବ, ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୁହାଯାଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ ବା ଆଇଏଚ୍‌ଏମ୍ ଷ୍ଟାଡିୟମ ପରିସରରେ ଥିବା କର୍ମଚାରୀଙ୍କୁ ଖାଦ୍ୟ ପରିବେଷଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ରାଜଧାନୀରେ ୧୭ ଟିଫା ମେସିନ୍
ଅପରପକ୍ଷରେ ବିଶ୍ବକପ୍ ଚାଲିଥିବା ସମୟରେ ମଶାଙ୍କ ନିୟନ୍ତ୍ରଣ ପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି। ରାଜଧାନୀର ୬୭ଟି ୱାର୍ଡକୁ ୩୪ଦିନ ମଧ୍ୟରେ ଫଗିଂ କରାଯିବାକୁ ନିଷ୍ପତ୍ତି ହୋଇଛି। ଗତମାସ ୧୭ତାରିଖରୁ ଏହା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ଷ୍ଟାଡିୟମ୍‌ରୁ ଫଗିଂ ଆରମ୍ଭ ହୋଇଥିବା ବେଳେ ସମସ୍ତ ୱାର୍ଡରେ ଫଗିଂ କରାଯିବ। ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ବିଏମ୍‌ସି ପାଖରେ ୨ଟି ବଡ଼ ଟିଫା ମେସିନ୍‌ ସହିତ ଆହୁରି ୫ଟି ମେସିନ୍ ରହିଛି। ତେବେ ଯାଜପୁର ଓ ବାଲେଶ୍ବରରୁ ୫ଟି ଲେଖାଏଁ ଟିଫା ମେସିନ୍ ସ୍ବତନ୍ତ୍ରଭାବେ ଅଣାଯାଇଛି। ରାଜଧାନୀରେ ୩ଜଣ ଫାଇଲେରିଆ ଇନ୍‌ସପେକ୍ଟର, ୧୦ଜଣ ସୁପରଭାଇଜର୍‌ ଓ ୨୦୧ଜଣ ଫାଇଲେରିଆ ୱାର୍କର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ବୁଟ, ମାସ୍କ ଓ ହେଲମେଟ ଯୋଗାଇ ଦିଆଯାଇଛି। ମଶା ବଂଶ ନିପାତ ପାଇଁ ଟେମିଫସ୍ ଓ ବିଟିଆଇ ପାଉଡର୍‌ ଓ ଏମ୍‌ଏଲ ତେଲ ଡ୍ରେନ୍‌ରେ ପକାଯାଉଛି। ଫଗିଂରେ କିଙ୍ଗଫସ୍, ପାଇରୋଥ୍ରୋମ୍ ତେଲ ବ୍ୟବହାର କରାଯାଉଛି। କଳିଙ୍ଗ ଷ୍ଟାଡିୟମ୍‌ର ଗେଟ୍ ନଂ ୧ ଓ ଅନ୍ୟ ୩ଟି ପାଣି ଯୋଗାଣ ସ୍ଥାନରେ ମଶାର ଲାର୍ଭା ଖାଉଥିବା ଗାମ୍ବୁସିଆ ମାଛକୁ ଛଡ଼ାଯାଇଛି। ଏହାସହ ଷ୍ଟାଡିୟମ୍‌ରେ ୩ଟି ଭେଣ୍ଡ ପାଇପ୍ ଲାଗିଥିବା ସ୍ଥାନରେ ମଶାରି ଗୁଡ଼ାଇ ଦିଆଯାଇଛି। ଯାହାଫଳରେ ସେଠାରେ ମଶା ବାହାରକୁ ଆସିପାରିବେ ନାହିଁ। ଆସନ୍ତା ୧/୨ଦିନ ମଧ୍ୟରେ ଷ୍ଟାଡିୟମ୍‌ ପରିସରରେ ପୁଣିଥରେ ଫଗିଂ କରାଯିବ। ରାଜଧାନୀରେ ମଶା ନିୟନ୍ତ୍ରଣ ପାଇଁ ଏକ ୬ଜଣିଆ କମିଟି ଗଠନ କରାଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦେଶକ, ନଗର ସ୍ବାସ୍ଥ୍ୟ ଅଧିକାରୀ, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ), ଏନ୍‌ଭିବିଡିସିପର ଯୁଗ୍ମ ନିର୍ଦେଶକ ଓ ମ୍ୟାଲେରିଆର ଅତିରିକ୍ତ ନିର୍ଦେଶକ ଏହି କମିଟିରେ ରହିଛନ୍ତି। ମଶା ନିୟନ୍ତ୍ରଣ ପାଇଁ କେଉଁ ପଦକ୍ଷେପ ନିଆଯାଉଛି ତାହାର ନିୟମିତ ସମୀକ୍ଷା କରାଯାଉଛି। ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ହ୍ବାଟ୍‌ସଆପ୍ ଗ୍ରୁପ୍ ଗଠନ କରାଯାଇଥିବା ଡା.ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର