ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନିଲ : ଏୟାରପୋର୍ଟରେ ଶୋଭାପାଉ ‘ଡାକୋଟା’

ଭୁବନେଶ୍ୱର : ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍‌ସ ସହ ଜଡ଼ିତ ଥିବା ‘ଡାକୋଟା’ ଏୟାରକ୍ରାଫ୍‌ଟକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। କୋଲକାତା ଏୟାରପୋର୍ଟରେ ଥିବା ବିଜୁ ବାବୁଙ୍କ ଏହି ପୁରୁଣା ଡାକୋଟାକୁ ଫେରାଇ ଆଣି ସମୃଦ୍ଧ ଐତିହ୍ୟକୁ ଚିହ୍ନେଇବାକୁ ପଥ ପ୍ରସ୍ତୁତ ହେଉଛି। ତେବେ ଏହାକୁ କଟକ ଆନନ୍ଦ ଭବନ ସଂଗ୍ରହାଳୟରେ ସ୍ଥାନିତ ନକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନିତ କରିବାକୁ ଗବେଷକ ଅନିଲ୍‌ ଧୀର୍‌ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ଧୀର୍‌ ନିଜେ ଜଣେ ପାଇଲଟ୍‌ ଥିବାରୁ ତାଙ୍କ ଅଭିଜ୍ଞତାରୁ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ଏହି ଡିସି୩-ଡାକୋଟାର ପଞ୍ଜୀକରଣକୁ ଅନୁଧ୍ୟାନ କରିଛି। ଏହାର ଦୁଇଟି ଇଂଜିନ୍‌ ମଧ୍ୟ ମଜଭୁତ ଅଛି। ଡାକୋଟାକୁ କୋଲକାତାରୁ ଓଡ଼ିଶା ଫେରାଇ ଆଣିବା ଦିଗରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ୍‌ ଗୁରୁପ୍ରସାଦ ମହାପାତ୍ରଙ୍କ ବଳିଷ୍ଠ ସହଯୋଗ ରହିଥିବା ବେଳେ ଅନେକଙ୍କ ଉଦ୍ୟମ ପାଇଁ ଏହା ଓଡ଼ିଶା ଆସୁଛି। ତେଣୁ ରାଜନୈତିକ ଓ ଭାବାବେଗର ବଶବର୍ତୀ ହୋଇ ଏହାକୁ କଟକରେ ସ୍ଥାନିତ କରିବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି।

ସମଗ୍ର ବିଶ୍ୱରେ ଏବେ ଯେତିକି ବି ଡାକୋଟା ଅଛି, ସେଥିମଧ୍ୟରୁ ଅନେକ ଏୟାର ମ୍ୟୁଜିୟମ୍‌ରେ ସଂରକ୍ଷଣ କରାଯାଇଛି। ସେହିଭଳି ୩୫ଟି ଡାକୋଟା ବିଶ୍ୱର ବିଭିନ୍ନ ପ୍ରମୁଖ ଏୟାରପୋର୍ଟ ବାହାରେ ସ୍ଥାନିତ କରାଯାଇଛି। ତେଣୁ କଳିଙ୍ଗ ଏୟାରଲାଇନ୍‌ସ ସହ ଜଡ଼ିତ ଡିସି୩-ଡାକୋଟା ମଧ୍ୟ ଏୟାରପୋର୍ଟରେ ସ୍ଥାନିତ ହେବା ଆବଶ୍ୟକ। ଅନ୍ୟ ପକ୍ଷରେ ଦେଖିଲେ, ସଂପ୍ରତି ଭୁବନେଶ୍ୱର ଏୟାରପୋର୍ଟ ୨୭ଟି ଉଡ଼ାଜାହାଜକୁ ପରିଚାଳନା କରୁଥିବା ବେଳେ ଏଠାରେ ପ୍ରତିଦିନ ୨୦ ହଜାର ଲୋକଙ୍କ ପାଦ ପଡ଼େ। ତେଣୁ ଡାକୋଟାକୁ ଏୟାରପୋର୍ଟରେ ରଖାଗଲେ ବହୁ ଲୋକଙ୍କ ଆଖିରେ ପଡ଼ିବା ସହ ଡାକୋଟା ସହ ସମ୍ପୃକ୍ତ ଐତିହ୍ୟ ସୁଦୂରପ୍ରସାରୀ ହୋଇପାରିବ। ଅନ୍ୟ ପକ୍ଷରେ ଆନନ୍ଦ ଭବନ ସଂଗ୍ରହାଳୟରେ ଏହା ସେହି ଅନୁପାତରେ ଲୋକଙ୍କ ଦୃଷ୍ଟିକୁ ଆସିପାରିବ ନାହିଁ ବୋଲି ଶ୍ରୀ ଧୀର୍‌ କହିଛନ୍ତି।

ନିର୍ମାଣଶୈଳୀ ଦୃଷ୍ଟିରୁ ଡିସି୩ ଡାକୋଟା ବେଶ୍‌ ପ୍ରଶଂସନୀୟ ହୋଇଥିବା ବେଳେ ମାଇଲ୍‌ମାଇଲ୍‌ ଉଡିବାରେ ରେକର୍ଡ ରଚିଛି। ବହୁ ଯାତ୍ରୀଙ୍କୁ ସେବା ଦେଇଥିବା ବେଳେ ବହୁ ଅସମ୍ଭବକୁ ସମ୍ଭବ କରିଛି। ତେଣୁ ଏ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ ସେ ନିବେଦନ କରିଛନ୍ତି।

ବିଜୁବାବୁ ଓ କଳିଙ୍ଗ ଏୟାରଲାଇନ୍‌ସକୁ ନେଇ ଲେଖାଯିବ ପୁସ୍ତକ

ବିଜୁ ବାବୁ ଏବଂ ତାଙ୍କର କଳିଙ୍ଗ ଏୟାରଲାଇନ୍‌ସକୁ ନେଇ ପୁସ୍ତକ ରଚନା କରିବେ ଗବେଷକ ଅନିଲ୍‌ ଧୀର୍‌। ଫ୍ଲାଇଙ୍ଗ୍‌ କ୍ଲବ୍‌ରେ ତାଲିମ୍‌ ନେବା ବେଳର ଅନୁଭୂତି ଏବଂ ବିଜୁ ବାବୁ ବିମାନଶାଳାକୁ ଯିବା ବାଟରେ ପ୍ରଶିକ୍ଷାର୍ଥୀଙ୍କୁ ଯେଉଁ କଥା କହୁଥିଲେ, ତାହା ଏହି ପୁସ୍ତକରେ ସ୍ଥାନିତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପାଇଲଟ୍‌ମାନେ ବିଜୁ ବାବୁଙ୍କ ସମ୍ପର୍କରେ ରଖିଥିବା ମତ ସହ ବହୁ ଲୁକ୍କାୟିତ ଓ ଅଜଣା କଥା ଏହି ପୁସ୍ତକ ଜରିଆରେ ଲୋକଲୋଚନକୁ ଆସିପାରିବ। ବିଶେଷକରି ବିଜୁ ବାବୁ ନିଜେ ବିମାନରେ ଉଡ଼ିବା ସମୟର ବହୁ ଅଭିଜ୍ଞତାକୁ କାହାଣୀ ଆକାରରେ ବୟାନ କରୁଥିବା ବେଳେ ତାହା ଏହି ପୁସ୍ତକ ପୃଷ୍ଠା ମଣ୍ଡନ କରିବ। ତାଙ୍କର ଏୟାରକ୍ରାଫ୍‌ଟସ ବାବଦରେ ତନ୍ନତନ୍ନ କରି ଅନୁଧ୍ୟାନ କରିଥିବା ସମସ୍ତ ବିଷୟ ଲିପିବଦ୍ଧ କରାଯିବା ସହ ଏହି ପୁସ୍ତକ ଖୁବ୍‌ଶୀଘ୍ର ଉନ୍ମୋଚନ କରାଯିବା ନେଇ ଶ୍ରୀ ଧୀର୍‌ ସୂଚନା ଦେଇଛନ୍ତି।

ଡାକୋଟା ନାଁ କାହିଁକି?

ଡାକୋଟା ହେଉଛି ‘ଡୋଗ୍‌ଲାସ୍‌ ଏୟାରକ୍ରାଫ୍‌ଟ କମ୍ପାନି ଟ୍ରାନ୍‌ସପୋର୍ଟ ଏୟାରକ୍ରାଫ୍ଟ’ର ସଂକ୍ଷିପ୍ତ ନାମ। ୧୯୩୫ରେ ଡୋଗ୍‌ଲାସ୍‌ ସାନ୍ତା ମୋନିକା ଫ୍ୟାକ୍ଟ୍ରି ଦ୍ୱାରା ୧୦ହଜାର ୫୦୦ ଡାକୋଟା ପ୍ରସ୍ତୁତ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାୟ ୯୦ ପ୍ରତିଶତ ଡାକୋଟା ପରିଚାଳିତ ହେଉଥିଲା। ପରେ ଏହା ଲୋକଙ୍କ ଯାତାୟାତ ପାଇଁ ରୋମାଣ୍ଟିକ୍‌ ପ୍ରତୀକ ପାଲଟିଥିଲା। କଳିଙ୍ଗ ଏୟାରଲାଇନ୍‌ସ ମଧ୍ୟ ଏହି ଡାକୋଟାର ଉଡ଼ାଣ କରିଥିଲା।

ସମ୍ବନ୍ଧିତ ଖବର