ଦୟନୀୟ ଅବସ୍ଥାରେ କଳିଙ୍ଗ ଏୟାରୱେଜ୍‌ର ଶେଷ ସନ୍ତକ ‘ଡାକୋଟା’ : ଚିଠି ଲେଖି ବସିଗଲେ ସରକାର

ଭୁବନେଶ୍ବର: କଳିଙ୍ଗ ଏୟାରୱେଜ୍‌ର ଶେଷ ସନ୍ତକ ‘ଡାକୋଟା’ ବିମାନକୁ ଫେରାଇ ଆଣିବାକୁ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଖଣ୍ଡେ ଚିଠିରେ କିନ୍ତୁ ଏହି ପ୍ରକ୍ରିୟା ସୀମିତ ରହି ଯାଇଛି। ତେଣେ ‘ଡାକୋଟା’ର ଅବସ୍ଥା ପ୍ରମାଣିତ କରୁଛି, ଯଦି କମ ଦିନ ମଧ୍ୟରେ ଉଚ୍ଚ ଜ୍ଞାନକୌଶଳର ବିନିଯୋଗ ସହ ଏହାର ରକ୍ଷଣାବେକ୍ଷଣ କରା ନଯାଏ, ତେବେ ଏହା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବ। ଓଡ଼ିଶା ଯଥାଶୀଘ୍ର ଫେରାଇ ନଆଣିଲେ ସମ୍ଭବତଃ ବିଜୁ ପଟ୍ଟନାୟକ ଏବଂ ଓଡ଼ିଶା ଇତିହାସ ସହ ସଂଶ୍ଳିଷ୍ଟ ଏହି ସନ୍ତକ ସବୁଦିନ ପାଇଁ ଲୋକଲୋଚନରୁ ଅଦୃଶ୍ୟ ହୋଇଯିବ।

ଗବେଷକ ତଥା ପୂର୍ବତନ ପାଇଲଟ୍‌ ଅନିଲ ଧୀର୍‌ଙ୍କ ସୂଚନା ମୁତାବକ, କୋଲକାତା ଏୟାରପୋର୍ଟର ଆଇସୋଲେସନ ବେ’ରେ ଖୋଲାରେ ଦୀର୍ଘ ୧୨ବର୍ଷ ହେଲା ଡାକୋଟା ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ବିମାନର ମୁଖ୍ୟ ଭାଗ ବା ଗଣ୍ଡି ଅଂଶର ବହିର୍ଭାଗ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହା ଉପରୁ ଧାତବ ପାତ ଉଠିଗଲାଣି। ସ୍ଥିତି ଏମିତି ଯେ ଧୂରୀଣ ବ୍ୟକ୍ତିବିଶେଷଙ୍କ ବିନା ଏହାକୁ ଯଦି ଉଠାଇବାକୁ ଚେଷ୍ଟା କରାଯାଏ, ତେବେ ଏହା ଦୁଇ ଖଣ୍ଡ ହୋଇ ଭାଙ୍ଗିପଡ଼ିବ। ଏହା ଭିତରର ଚଟାଣ ମଧ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥା ଧାରଣ କରିଥିବା ବେଳେ ଇଂଜିନ୍‌ ଅଂଶର କିଛି ଭାଗ ଭାଙ୍ଗିରୁଜି ଗଲାଣି। ବିଳାସପୂର୍ଣ୍ଣ ଯାତାୟାତ ପାଇଁ ବ୍ୟବହୃତ ହେଉଥିବାରୁ ଏହା ମଧ୍ୟରେ ଯେଉଁ ସିଟ୍‌ଗୁଡ଼ିକ ଥିଲା, ତାହା ମଧ୍ୟ ଉଭାନ୍‌ ହୋଇଗଲାଣି। ସମ୍ଭବତଃ ଯଦି ଏହାକୁ ୫ ବର୍ଷ ତଳେ ଫେରାଇ ଅଣାଯାଇ ପାରିଥାଆନ୍ତା, ତେବେ ଏହାକୁ ପୁନଃ ଉଡ଼ାଣ କରାଯାଇ ପାରିଥାଆନ୍ତା। ମାତ୍ର ଏବେ ଏହାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ହେଲା ବେଳେ ଯଥେଷ୍ଟ ସଚେତନ ‌ରହିବାକୁ ପଡ଼ିବ। ଏହି ବିମାନ ସଂପ୍ରତି ବିଶେଷଜ୍ଞଙ୍କ ଦ୍ବାରା ହିଁ ସଂରକ୍ଷଣ ଓ ସୁରକ୍ଷିତ ରଖାଯାଇ ପାରିବ ବୋଲି ସେ କହିଛନ୍ତି।

ଡାକୋଟା ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ପ୍ରଥମତଃ ‘ଡୋଗଲାସ ଏୟାରକ୍ରାଫ୍ଟ କମ୍ପାନି ଟ୍ର‌ାନ୍‌ସପୋର୍ଟ ଏୟାରକ୍ରାଫ୍ଟ’ର ସଂକ୍ଷିପ୍ତ ରୂପ ହେଉଛି ‘ଡାକୋଟା’। ଡୋଗ୍‌ଲାସ ସାନ୍ତା ମୋନିକା ଫ୍ୟାକ୍ଟ୍ରି ପକ୍ଷରୁ ୧୯୩୫ ମସିହାରେ ୧୦ ହଜାର ୫ଶହରୁ ଅଧିକ ଏହି ଡିସି-୩ ଉଡ଼ାଜାହାଜ ନିର୍ମାଣ କରାଯାଇଥିବା ବେଳେ ସେଥିମଧ୍ୟରୁ ଅଳ୍ପ କିଛି ଚଳମାନ ଅବସ୍ଥାରେ ଥିଲା। କଳିଙ୍ଗ ଏୟାରୱେଜ ପକ୍ଷରୁ ପ୍ରାୟ ୧୫ଟି ଡାକୋଟା ଚଳାଚଳ କରୁଥିଲା। ସୈନ୍ୟବାହିନୀକୁ କଶ୍ମୀର ନେବା, ପ୍ଲାଟୁନ୍‌କୁ ଶ୍ରୀନଗରରେ ଛାଡ଼ିବା ଆଦି କାମ କରାଯାଉଥିଲା। ଉତ୍ତରପୂର୍ବ ଭାରତକୁ ମଧ୍ୟ କଳିଙ୍ଗ ଏୟାରଲାଇନ୍‌ସର ଡିସି-୩ ଯା’ଆସ କରୁଥିଲା। ତେବେ ଏହି ନିର୍ଦ୍ଦିଷ୍ଟ ଡାକୋଟାରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ମହମ୍ମଦ ହତ୍ତା, ସୁଲତାନ ଏସ ଜାହାରିରଙ୍କୁ ବିଜୁ ପଟ୍ଟନାୟକ ଭାରତ ‌ଆଣିଥିବା କଥା କୁହାଯାଉଥିଲେ ହେଁ ଏହା ସେଇ ବିମାନ ନୁହେଁ ବୋଲି ଶ୍ରୀ ଧୀର୍‌ କହିଛନ୍ତି।

ତାଙ୍କ କହିବା ମୁତାବକ, ଏହି ଏୟାରକ୍ରାଫ୍ଟର ମାଲିକ ବିଜୁ ବାବୁ ନଥିଲେ, ବରଂ ବିଜୁ ବାବୁ ୧୮ ମାସ ପାଇଁ ଏହାକୁ ଲିଜ୍‌ରେ ଆଣିଥିଲେ। ଏହା ବିଳାସପୂର୍ଣ୍ଣ ଯାତାୟାତ ପାଇଁ ବ୍ୟବହୃତ ହେଉଥିଲା। ଏହା ପ୍ରଥମେ ଆମେରିକା ପକ୍ଷରୁ ବ୍ରିଟିସ ରୟାଲ ଇଣ୍ଡିଆନ ଏୟାରଫୋର୍ସକୁ ଦିଆଯାଇଥିଲା। ଚାଇନିଜ୍‌ ହମ୍ପ ଅପରେସନ୍‌ ତଦାରଖ କରିବା ପାଇଁ ଏହା ଆସିଥିଲା। ପରେ ଏୟାରୱାର୍କସ ଇଣ୍ଡିଆ କିଣିଥିଲା। ତା’ପରେ ଇଣ୍ଡିଆନ୍‌ ଓଭରସିଜ୍‌ ଏୟାରଲାଇନ୍‌ସ ଏହାକୁ କିଣିଲା। ନାଳନ୍ଦା ଏୟାରୱେଜ୍‌ ଏହାକୁ ଅଧିଗ୍ରହଣ କରି ପରେ ଏହାକୁ ଏୟାର ସର୍ଭେ କମ୍ପାନି ଅଫ୍ ଇଣ୍ଡିଆକୁ ବିକ୍ରି କରିଥିଲା। ଏହା କଳିଙ୍ଗ ଏୟାରୱେଜ୍‌ ବ୍ୟାନରରେ ଉଡ଼ାଣ କରୁଥିଲା। ବିଜୁ ପଟ୍ଟନାୟକ ଏହି ଉଡ଼ାଜାହାଜକୁ କଶ୍ମୀର ଅପରେସନ୍‌ ବେଳେ ଉଡ଼ାଉଥିଲେ।

ଏହାକୁ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଭାଗରେ ମରାମତିର ଆବଶ୍ୟକତା ରହିଛି। ବିମାନର ମୁଖ୍ୟ ଗଣ୍ଡି ଅଂଶକୁ ମରାମତି କରାଯିବାର ଆବଶ୍ୟକତା ରହିଛି। ଯଦି ସରକାର ଏହାର ସଂରକ୍ଷଣ ପାଇଁ ଇନ୍‌ଟାକ୍‌କୁ ଦିଏ, ତେ‌ବେ ଏହାର ବ୍ଲୁ-ପ୍ରିଣ୍ଟ ଆମ ପାଖରେ ଥିବାରୁ ତାହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିପାରିବୁ। ଯଦି ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରାଇ ଅଣାଯାଏ, ତେବେ କୌଣସି ଉଡ଼ାଜାହାଜ ବାହାରେ ପାର୍କିଂ କରିବାରେ ଏହା ଦେଶର ଏକମାତ୍ର ବେସାମରିକ ବିମାନବନ୍ଦର ପାଲଟିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର