ଉଜୁଡ଼ି ଗଲାଣି ଜଗନ୍ନାଥ ବାଟିକା

ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣି ହେଉନି, ୨୩ ପ୍ରକାର ବୃକ୍ଷ ଦେଖିବାକୁ ମିଳୁନି

ଭୁବନେଶ୍ବର: ୫ ଏକର ପରିମିତ ଜାଗାରେ ରୋପଣ ହୋଇଥିଲା ୧୨୫ ପ୍ରକାରର ବୃକ୍ଷ। ଲିମ୍ବଠାରୁ ଆରମ୍ଭ କରି ନଡ଼ିଆ ହେଉ ଅଥବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗୁଥିବା ଦଶମୂଳ। ସବୁ କିଛି ଦେଖିବାକୁ ମିଳୁଥିଲା ଗୋଟିଏ ସ୍ଥାନରେ। ମହାପ୍ରଭୁଙ୍କ ସେବା ତଥା ରୀତିନୀତିରେ ବ୍ୟବହୃତ ହେଉଥିବା ଫୁଲ, ଫଳ, କାଠ ଆଦି ବିଷୟରେ ସାଧାରଣ ଲୋକ ତଥା ପର୍ଯ୍ୟଟକଙ୍କ ଜାଣିବା ପାଇଁ ୨୦୧୬ ଫେବ୍ରୁଆରି ୨୨ ତାରିଖ ତଥା ଗଜ ଉଦ୍ଧାରଣ ବେଶ ଅବସରରେ ରିଜିଓନାଲ ପ୍ଲାଣ୍ଟ ରିସର୍ଚ୍ଚ ସେଣ୍ଟର(ଆର୍‌ପିଆର୍‌ସି)ରେ ଥିବା ଏକାମ୍ର କାନନରେ ପ୍ରତିଷ୍ଠା ହୋଇଥିଲା ‘ଜଗନ୍ନାଥ ବାଟିକା’। ୫ ବର୍ଷ ଭିତରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ସହ ସହରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଇତି ମଧ୍ୟରେ ତିନି ବର୍ଷ ବିତି ଗଲାଣି। ବାଟିକାର କଳେବର ବୃଦ୍ଧି ପାଇବ କ’ଣ ଦିନକୁ ଦିନ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ବହୁ ବୃକ୍ଷ ନଷ୍ଟ ହୋଇଗଲାଣି। କେତେକ ଗଛର ମୂଳ ବି ଦେଖିବାକୁ ମିଳୁନି। ଆର୍‌ପିଆର୍‌ସି କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଓ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ିବାକୁ ବସିଲାଣି ‘ଜଗନ୍ନାଥ ବାଟିକା’। ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଆସୁଥିବା ଏହି ବାଟିକାର ଉନ୍ନତି କି ରକ୍ଷଣାବେକ୍ଷଣ ଉପରେ ସେଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଶ୍ରୀଜଗନ୍ନାଥଙ୍କ ରୀତି ଓ ନୀତି ସମ୍ପର୍କରେ ଆନେକ ଲୋକ ଅଜଣା ରହିଛନ୍ତି। ତେଣୁ ସେମାନଙ୍କ ଜ୍ଞାନ ତଥା ଜଗନ୍ନାଥପ୍ରେମୀଙ୍କ ପାଇଁ ଏହି ବାଟିକା ନିର୍ମାଣ ହୋଇଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷ ଓ ଗୁଳ୍ମ ଲତାକୁ ‌ଗୋଟିଏ ସ୍ଥାନରେ ରଖାଯାଇଥିବାରୁ ତାହା ଜଗନ୍ନାଥ ସଂସ୍କୃତି ଗବେଷକ ଓ ଛାତ୍ରଛାତ୍ରୀଙ୍କ କାମରେ ଆସିପାରିବ। ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହେବେ। ସେଥିପାଇଁ ବାଟିକାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବୋର୍ଡରେ ଉଭୟ ଓଡ଼ିଆ ଓ ଇଂରାଜୀରେ ତଥ୍ୟଗୁଡ଼ିକ ଉଲ୍ଲେଖ କରାଯାଇଛି। ଜଗନ୍ନାଥଙ୍କ ସକାଳ ନୀତିଠାରୁ ଆରମ୍ଭ କରି ଅବକାଶ ନୀତି, ବିଭିନ୍ନ ବେଶ, ରଥ ତଥା ଦାରୁବ୍ରହ୍ମ ନିର୍ମା‌ଣରେ ବ୍ୟବହୃତ ସମସ୍ତ ବୃକ୍ଷ ଏଠାରେ ରହିଥିଲା। ଲିମ୍ବ, ଶିମିଳି, ପାଳଧୁଆ, ଫାସୀ, ଅସନ, ଧଉରା, କଂସ, କଦମ୍ବ, କାଳଚୁଆ, ଦେବଦାରୁ, ଗମ୍ଭାରୀ ଆଦି ବୃକ୍ଷ ରହିଥିଲା। ଯାହାକି ରଥ ନିର୍ମାଣରେ ବ୍ୟବହୃତ ହୁଏ। ଏହାବ୍ୟତୀତ ଔଷଧ ପାଇଁ ବ୍ୟବହୃତ ଗମ୍ଭାରୀ, ବେଲ, ପାଟେଳୀ, ଶାଳପର୍ଣ୍ଣା, ଲବଙ୍ଗ, ଅଗ୍ନିବଥୁ, ଗୋଖରି, ଅଙ୍କରାତି ପ୍ରଭୃତି ବୃକ୍ଷ, ଫୁଲୁରୀ ତେଲ ପ୍ରସ୍ତୁତ ଲାଗି ଚନ୍ଦ୍ରିକା, ରଜନୀଗନ୍ଧା, ଯୁଇ, ଜାଇ, ମଲ୍ଲୀ, ସୁଗନ୍ଧରାଜ, ଦୁର୍ଲଭା, ଚମ୍ପା, ରଙ୍ଗଣି, ବଉଳ ଫୁଲ, କିଆ, କେତକୀ, ମାଳତୀ, ନାକଚଣା, କରପଲ୍ଲବ, ଗେଣ୍ଡୁ, କୁସୁମ, ଗଙ୍ଗଶିଉଳି, ପଦ୍ମ, କାଠ ଚମ୍ପା, ନଡ଼ିଆ, ଗୁଆ, ଡାଳିମ୍ବ, ବରକୋଳି, କାକୁଡ଼ି, ସପୁରି, ପିଜୁଳି, ଆତ, କଦଳୀ, ଆମ୍ବ, ଜାମୁ, ହରିଡ଼ା, ବାହାଡ଼ା, ଅଁଳା ଆଦି ବୃକ୍ଷ ରୋପଣ କରାଯାଇଥିଲା। ତିନି ବର୍ଷ ଭିତରେ ବାଟିକାର ରୂପ ବଦଳିଯାଇଛି। ୧୨୫ ପ୍ରକାର ବୃକ୍ଷ ମଧ୍ୟରୁ ୨୩ ପ୍ରକାରର ବୃକ୍ଷ ଆଉ ଦେଖିବାକୁ ମିଳୁନି। ବାଟିକା ଭିତରେ ରଜନୀଗନ୍ଧା, ହଳଦୀ, ଅଦା, ଗନ୍ଧସୁଣ୍ଠି ଗଛ ଆଉ ଏଠାରେ ନାହିଁ। କେବଳ ବୋର୍ଡରେ ସୀମିତ ରହିଛି ଉକ୍ତ ଗଛଗୁଡ଼ିକର ଅସ୍ତିତ୍ବ। କାକୁଡ଼ି ଗଛର ମୂଳ ଦେଖିବାକୁ ବି ମିଳୁନି। ଗେଣ୍ଡୁ, କୁସୁମ ବି ନାହିଁ। ବହୁ ଫୁଲ ଗଛ ନଷ୍ଟ ହୋଇଗଲାଣି। ଏନେଇ କର୍ତୃପକ୍ଷଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କେହି କିଛି କହିବାକୁ ମନା କରିଦେଇଥିଲେ।

ଆଉ ନାହିଁ ଚନ୍ଦନ ଗଛ
ଶ୍ରୀଜଗନ୍ନାଥଙ୍କ ସେବାରେ ବ୍ୟବହୃତ ପ୍ରମୁଖ ବୃକ୍ଷ ମଧ୍ୟରୁ ଚନ୍ଦନ ଗଛ ପ୍ରମୁଖ। ୨୦୧୬ରେ ଏଠାରେ ରୋପଣ ହୋଇଥିବା ଚନ୍ଦନ ଗଛ ଆଉ ଦେଖିବାକୁ ମିଳୁନି। ଯେଉଁ ୧୦ଟି ଚନ୍ଦନ ଗଛ ଲଗାଯାଇଥିଲା ତାହା ଏବେ ଖାଲି ପଡ଼ିଛି। ଗୋଟିଏ ବି ଗଛ ନାହିଁ। କେବଳ ଚାରିପାଖରେ ପୋତା ଯାଇଥିବା ଇଟା ସହ ଫଳକ ପଡ଼ିରହିଛି। ତୁଳସୀ ଗଛ ଅବସ୍ଥା ବି ସମାନ। ୮ ଦିନ ତଳେ ଆମେ ବୁଲିବା ସମୟରେ ବାଟିକାରେ ଗୋଟିଏ ବି ହେଲେ ତୁଳସୀ ଗଛ ଦେଖିବାକୁ ପାଇ ନଥିଲୁ। ଏନେଇ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଥିଲେ ଗଛ ସବୁ ମରିଯାଇଛି। ନୂଆ ଗଛ ରୋପଣ ହେବ।

ଦୂରଦୃଷ୍ଟି ଅଭାବ
ଆର୍‌ପିଆର୍‌ସି କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଏବେ ପଦାକୁ ଆସିଛି। ପାହାଡ଼ରେ ଗଛ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ପାହାଡ଼ିଆ ଜାଗାରେ ୧୮ ପ୍ରକାର ଗଛ ରୋପଣ କରିଥିଲେ। ଏବେ ସେଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ତାତି ସାଙ୍ଗକୁ ପାହାଡ଼ିଆ ଜାଗା ହୋଇଥିବାରୁ ଗଛ ବଢ଼ିପାରୁନି। ଖରା‌ ଦିନ ହୋଇଥିଲେ ମଧ୍ୟ କର୍ମଚାରୀମାନେ ସେଥିରେ ପାଣି ଦେଉ ନାହାନ୍ତି। ଯେଉଁଥିପାଇଁ କେତେକ ଗଛ ଝାଉଁଳି ପଡ଼ିଛି। ଆଉ କେତେକ ମରିଗଲାଣି।

ସମ୍ବନ୍ଧିତ ଖବର