ଡମଣା-ସୈନିକ ସ୍କୁଲ ରାସ୍ତା ସରିବ କେବେ? ୪ ବର୍ଷ‌‌ରେ ମାତ୍ର ୯୦୦ ମିଟର

କଣ୍ଟ ପୂରିଲାଣି, କାମ ସରୁନି ଗାତରେ ପଡ଼ି ଲୋକେ ଆହତ

ଚନ୍ଦ୍ରଶେଖରପୁର: ମାସେ କି ବର୍ଷେ ନୁହେଁ। ଦୀର୍ଘ ୪ ବର୍ଷ ହେଲାଣି, ତଥାପି ଡମଣା-ସୈନିକ ସ୍କୁଲ ରାସ୍ତାର ଭାଗ୍ୟ ଫିଟୁନି। ସପ୍ତାହରେ ଦୁଇ ଦିନ କାମ ହେଲେ ବାକି ୫ଦିନ ବନ୍ଦ। ତା’ ଭିତରେ ପୁଣି ବିଭିନ୍ନ ପ୍ରତିବନ୍ଧକ। କେତେବେଳେ ବର୍ଷା ‌ଯୋଗୁଁ କାମ ହୋଇପାରୁନି ତ ଆଉ କେତେବ‌େଳେ ଜମି ଅଧିଗ୍ରହଣ ସମସ୍ୟା ସୃଷ୍ଟି କରୁଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସୃଷ୍ଟି ହେଉଥିବା ଭିଡ଼ ଏଡ଼ାଇବା ପାଇଁ ୨୦୧୫ରେ ଆଚାର୍ଯ୍ୟବିହାରରୁ ବାରଙ୍ଗକୁ ବିକଳ୍ପ ରାସ୍ତା କରିବାକୁ ଯୋଜନା ହୋଇଥିଲା। ୧୩.୭୨ କିଲୋମିଟର ହେବାକୁ ଥିବା ଏହି ରାସ୍ତାଟି ଆଚାର୍ଯ୍ୟ ବିହାରରୁ ଆରମ୍ଭ ହୋଇ ସୈନିକ ସ୍କୁଲ୍‌, ରେଲ୍‌ୱେ ହସ୍ପିଟାଲ, ରେଲ୍‌ୱେ ଷ୍ଟାଡିୟମ, ନେତାଜୀ ସୁଭାଷ ଏନ୍‌କ୍ଲେଭ, ଡମଣା ଗାଁ ପାର୍ଶ୍ୱ, ପଟିଆ ରେଲ୍‌ୱେ ଷ୍ଟେସନ ରୋଡ୍‌ ଦେଇ ବାରଙ୍ଗକୁ ସଂଯୋଗ କରିବ। ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତା ଠିକ୍‌ଠାକ୍‌ ରହିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସୈନିକ ସ୍କୁଲ୍‌ ଛକରୁ ଡମଣା ପର୍ଯ୍ୟନ୍ତ ରାସ୍ତା ଲାଗି ଟେଣ୍ଡର ହୋଇଥିଲା। ଏଥିପାଇଁ ମୋଟ ୨୫କୋଟି ୬୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା। ଜମି ଅଧିଗ୍ରହଣ ବ୍ୟବସ୍ଥା ହୋଇଥିଲା। ଏହି ରାସ୍ତା ପାର୍ଶ୍ବରେ ବିଦ୍ୟୁତ୍‌ ଟାୱାର, ୩୩ କେଭି ଓ ୧୧ ‌କେଭି ତାର ଟଣା ଯାଇଥିବାରୁ ସେଗୁଡ଼ିକୁ ସ୍ଥାନାନ୍ତର କରିବାକୁ ସେସୁ ଓ ଓପିଟିସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା। ଯୋଜନା ଅନୁଯାୟୀ, ରାସ୍ତା କାମ ୨୦୧୮ ମେ’ ମାସ ମଧ୍ୟରେ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଇତି ମଧ୍ୟରେ ନିର୍ଦ୍ଧାରିତ ସମୟଠାରୁ ୧୬ମାସ ଅଧିକ ବିତିଗଲାଣି। ତଥାପି କାମ ସରୁନି। କେବେ ସରିବ, ସେନେଇ କାହା ପାଖରେ ଉତ୍ତର ନାହିଁ।

ଏବେ ସୁଦ୍ଧା ଡମଣା ଛକଠାରୁ ସୈନିକ ସ୍କୁଲ ଆଡ଼କୁ ଯାଇଥିବା ରାସ୍ତାର ୪ କିମି ରାସ୍ତା ମଧ୍ୟରୁ ଗୋଟିଏ କିମି କାମ ବି ସରିନି। ଏପରିକି ଉକ୍ତ ରାସ୍ତା ଡମଣା ଗାଁରେ ବି ପହଞ୍ଚି ପାରିନି। ଡମଣା ଛକରୁ ଗାଁ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟରର ଏହି ରାସ୍ତା ମଧ୍ୟରୁ ୯୦୦ ମିଟର କାମ ଏ ପର୍ଯ୍ୟନ୍ତ ସରିଛି। ଆହୁରି ୧୦୦ ମିଟର ବାକି ରହିଛି। ୫ ମାସ ହେଲା ନାଲି ମାଟି ପକାଇ ଠିକାଦାର ଚୁପ୍‌ ବସି ପଡ଼ିଛି। ଯେଉଁଥିପାଇଁ ଏଥର ବର୍ଷା ଦିନ ସାରା ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକ ଗାତରେ ପଡ଼ି ଆହତ ହୋଇଛନ୍ତି। ଯଦି ୪ ବର୍ଷ ମଧ୍ୟରେ ମାତ୍ର ୯୦୦ ମିଟର କାମ ହୋଇଛି, ବାକି କାମ କେବେ ସରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ରେଲୱେ ଷ୍ଟାଡିୟମ୍‌ଠାରୁ ଡମଣା ଗାଁ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଦୂରେ ଥାଉ, ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଖୁଣ୍ଟି ବି ଉଠିପାରିନି।

ଏହି ପ୍ରକଳ୍ପ ଆରମ୍ଭରୁ ହିଁ ଜମି ଅଧିଗ୍ରହଣ ବାଧକ ସାଜିଛି। ଘରୋଇ ଜମିଗୁଡ଼ିକୁ ଅଧିଗ୍ରହଣ କରିବା ସହ ସରକାରୀ ଜମିରୁ ଜବରଦଖଲ ହଟାଇବା ୪ ବର୍ଷ ହେଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଥମେ ସୈନିକ ସ୍କୁଲ୍‌ ନିକଟରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ସେତେବେ‌ଳର ମୁଖ୍ୟ ଶାସନ ସଚିବ ସ୍କୁଲ କର୍ତୃପକ୍ଷଙ୍କ ସହ ଆଲୋଚନା କରି ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ନେଇଥିଲେ। ସେହିପରି ‌ସୈନିକ ସ୍କୁଲରୁ ଡମଣା ଛକ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର କିଛି ଜମି ଓ ଘରୋଇ ଜମି ରହିଥିବାରୁ ତାହାକୁ ଅଧିଗ୍ରହଣ କରିବାରେ ବିଳମ୍ବ ହୋଇଥିଲା। ୨୦୧୮ରେ ବିଡିଏ ପକ୍ଷରୁ ସୈନିକ ସ୍କୁଲ୍-ଡମଣା ମଧ୍ୟରେ ୧୬ଟି ଆଜବେଷ୍ଟସ୍ ଘର, ୧୯ଟି କ୍ୟାବିନ୍‌ ଓ ୫୦୦ ବର୍ଗଫୁଟ୍‌ର ଗୋଟିଏ କଂକ୍ରିଟ୍‌ ଘର ଭଙ୍ଗା ଯାଇଥିଲା। ୧୬୦ ଫୁଟର ଏକ ପାଚେରି ମଧ୍ୟ ଭାଙ୍ଗିଥିଲା। ରେଲ୍‌ୱେ ଓ ବିଡିଏର ମିଳିତ ଟିମ୍‌ ୨୦୧୮ ମେ’ ୪ରେ ଏକ ସର୍ଭେ କରି ଜମି ଅଧିଗ୍ରହଣ, ବିଲ୍ଡିଂ ଭଙ୍ଗା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ନିଷ୍କର୍ସ ବାହାର କରାଯାଇ କାର୍ଯ୍ୟ ଆଗକୁ ବଢ଼ିଥିଲା। ଏବେ ପୁଣି ମନ୍ଥର ଗତିରେ ଚାଲିଛି ରାସ୍ତା କାମ।

ସମ୍ବନ୍ଧିତ ଖବର