ପ୍ରତିଭା ପ୍ରଦର୍ଶନ କଲେ ୫୦ ନୃତ୍ୟଶିଳ୍ପୀ

ଆରମ୍ଭ ହେଲା ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’

ଭୁବନେଶ୍ୱର: ନ୍ୟାସ୍‌ନାଲ୍‌ କଲ୍‌ଚର୍‌ ମିସନ୍‌ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆଜିଠାରୁ ଆରମ୍ଭ ହୋଇଛି ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’ ଓ ‘ନବୀନ କଳାକାର ପ୍ରତିଭା ଉତ୍ସବ’। ପୂର୍ବାହ୍ନରେ ଆୟୋଜିତ ନବୀନ କଳାକାର ପ୍ରତିଭା ଉତ୍ସବକୁ ମୁମ୍ବାଇର ସୁର ସିଙ୍ଗର୍‌ ସଂସଦର ସଂଯୋଜକ ଏମ୍‌ କେ ପଟେଲ୍‌, ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ ଓ ରୂପଶ୍ରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସେହିପରି ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ୫୦ ଜଣ ଶିଳ୍ପୀ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦକୁ ସର୍ବଭାରତୀୟସ୍ତରରେ ସମସ୍ତ ନୃତ୍ୟଶୈଳୀରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ଉତ୍ସବର ପରିକଳ୍ପନା ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ସୂଚନା ଦେଇଛନ୍ତି। ଏହି ଅବସରରେ କନିଷ୍ଠ ବର୍ଗରେ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟଶ୍ରୀ, ନୃତ୍ୟ କୌମୁଦୀ ଓ ନୃତ୍ୟ ବିସ୍ମୟ ସମେତ ବରିଷ୍ଠ ବର୍ଗରେ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟ ଜ୍ୟୋତି, ନୃତ୍ୟ ପାରିଜାତ, ଭାରତ ନୃତ୍ୟ ବିସ୍ମୟ ଆଦି ପୁରସ୍କାର ପ୍ରଦାନ କରାଯିବ। ସନ୍ଧ୍ୟାରେ ଆୟୋଜିତ ‘ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ’ରେ ଓଡ଼ିଶୀ, କୁଚିପୁଡ଼ି, ଭାରତନାଟ୍ୟମ୍‌, ମୋହିନୀଆଟ୍ଟମ୍‌ ଓ ମଣିପୁରୀ ଆଦି ନୃତ୍ୟ ପରିବେଷିତ ହୋଇଥିଲା। ଅନୁଷ୍ଠାନର ସାଂଗଠନିକ ସମ୍ପାଦକ ବାସୁଦେବ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର