ନୃତ୍ୟଶାଳାର ବାର୍ଷିକ ଉତ୍ସବ

ଥକା ମନ ଚାଲ ଯିବା...

ଭୁବନେଶ୍ୱର: ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ତାଙ୍କୁ ଦେଖିଲେ ଜୀବନ ସାର୍ଥକ ହୁଏ। ସେଥିପାଇଁ ଭକ୍ତମାନେ ସର୍ବଦା ଜଗନ୍ନାଥଙ୍କୁ ନିଜ ଆଖି ସାମ୍ନାରେ ଦେଖିବାକୁ ଚାହାନ୍ତି। ଭକ୍ତମାନଙ୍କ ଅଭିଳାଷକୁ ପୂରଣ କରିବା ପାଇଁ ଶିଳ୍ପୀମାନେ ନୃତ୍ୟରେ ନୃତ୍ୟରେ ଦର୍ଶକଙ୍କୁ ନେଇଯାଇଥିଲେ ପ୍ରିୟ କଳାଠାକୁରଙ୍କ ନିକଟକୁ। ‘ଥକା ମନ ଚାଲ ଯିବା…ଚକାନୟନ ଦେଖିବା’ରେ ଅଭିନୟ କରି ଦର୍ଶକଙ୍କୁ ବିଭୋର କରିଥିଲେ। ଗୀତକୁ ନୃତ୍ୟରେ ସଜାଇଥିଲେ ଅଶୋକ କୁମାର ଘୋଷାଲ। ଅବସର ଥିଲା ନୃତ୍ୟଶାଳାର ପଞ୍ଚଦଶ ବାର୍ଷିକ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ଓଡ଼ିଶୀ ମଙ୍ଗଳା ଚରଣ ନୃତ୍ୟରୁ। ଏହା ପରେ ସ୍ଥାୟୀ ନୃତ୍ୟ ପରିବେଷିତ ହୋଇଥିଲା। ଏହି ସମସ୍ତ ଗୀତକୁ ଗୁରୁ ବନ୍ଦିତା ଘୋଷାଲ ନିର୍ଦ୍ଦେଶନା ଦେଇଥିଲେ। ପରେ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦର ଦଶବତାରକୁ ନୃତ୍ୟରେ ପରିବେଷିତ କରିଥିଲେ ଶିଳ୍ପୀମାନେ। ରାଧାକୃଷ୍ଣଙ୍କ ଭକ୍ତିଭରା ଗୀତ ଚୁନା ଚୁନା ତାରା ଫୁଲେ… କଳାଗୋବିନ୍ଦ ଗୀତ, ପଲ୍ଲୀ ନୃତ୍ୟ ସ୍ୱାଗତମ୍‌ ସ୍ୱାଗତମ ଗୀତରେ ଶିଳ୍ପୀମାନେ ପଲ୍ଲୀ ଜୀବନର ଗାଥାକୁ ଦର୍ଶକଙ୍କ ନିକଟରେ ଚିତ୍ରଣ କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ସରୋଜ କୁମାର। ସୁଭଦ୍ରା ଦାସଙ୍କ ନିର୍ଦ୍ଦେଶିତ ‘ପାଦରେ ପାଦ ଛନ୍ଦା, ପାଦେ ନୁପୂର ବନ୍ଧା’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଶିଳ୍ପୀମାନେ । ଶେଷରେ ଶିବ ତାଣ୍ଡବ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଓଡ଼ିଶୀ ନୃତ୍ୟ ଗୁରୁ ସଦାଶିବ ପ୍ରଧାନ ଓ ପ୍ରଫେସର ନବକିଶୋର ମିଶ୍ର ଏବଂ ଛଉ ନୃତ୍ୟ ଗୁରୁ ସଦାଶିବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ନୃତ୍ୟଶାଳା ନିର୍ଦ୍ଦେଶକ ଅଶୋକ ଘୋଷାଲଙ୍କ ଆଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସାଗର କୁମାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର