ନୃତ୍ୟରେ ‘ଯୁଗେ ଯୁଗେ ଜଗନ୍ନାଥ’

ନୃତ୍ୟାଞ୍ଜଳିର ଶେଷ ସଂଧ୍ୟା

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥ ଜଗତର ନାଥ। ତାଙ୍କ ଇଚ୍ଛା ବିନା ପତ୍ରଟିଏ ବି ହଲିବା ଅସମ୍ଭବ। ଯୁଗେ ଯୁଗେ ସେ ବିଭିନ୍ନ ଅବତାର ନେଇ ପୃଥିବୀପୃଷ୍ଠରେ ମାନବୀୟ ଲୀଳା ଖେଳା ଦେଖାଇବା ସହ ଧର୍ମ ସଂସ୍ଥାପନ କରି ଯାଇଛନ୍ତି। ତ୍ରେତୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭାବେ ଅହଲ୍ୟା ଉଦ୍ଧାର ହେଉ କି କୁରୁସଭାରେ ଅସହାୟା ଦ୍ରୌପଦୀର ଲଜ୍ଜା ନିବାରଣ ପାଇଁ ତାକୁ କୋଟି କୋଟି ବସ୍ତ୍ର ପ୍ରଦାନ ଅବା କଳିଯୁଗରେ ଦାସିଆ ବାଉରି ହାତରୁ ନଡ଼ିଆ ନେଇ; ସେ ନିଜର ଭକ୍ତବତ୍ସଳତା ଯୁଗେ ଯୁଗେ ପ୍ରମାଣ କରି ଆସିଛନ୍ତି। ଯେବେ ବି ଧର୍ମର ଅବକ୍ଷୟ ହୋଇଛି, ଅତ୍ୟାଚାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିଛି, ସେତେବେଳେ ସେ ଧରାପୃଷ୍ଠରେ ଅବତରଣ କରି ଭକ୍ତଙ୍କୁ ଉଦ୍ଧାର କରିଛନ୍ତି। ସେ ସର୍ବବ୍ୟାପୀ, ଚିରନ୍ତନ ଓ ସମସ୍ତ ଶକ୍ତିର ମୂଳାଧାର। ମହାପ୍ରଭୁ ଜଗନ୍ନାଥଙ୍କ ଏପରି ବିଭିନ୍ନ ଅବତାରକୁ ଦେଖିବା ପାଇଁ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ପୂରି ଉଠିଥିଲା। ଅବସର ଥିଲା ସାଂସ୍କୃତିକ ଅନୁଷ୍ଠାନ ‘ଦେବଦାସୀ’ ପକ୍ଷରୁ ଅନୁଷ୍ଠିତ ‘ନୃତ୍ୟାଞ୍ଜଳି’ର ଅନ୍ତିମ ସଂଧ୍ୟାରେ ପରିବେଷିତ ଦଳଗତ ଓଡ଼ିଶୀ ନୃତ୍ୟ ‘ଯୁଗେ ଯୁଗେ ଜଗନ୍ନାଥ’ର। ସଚିକାନ୍ତ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୁରୁ ଧନେଶ୍ୱର ସ୍ୱାଇଁ ସ୍ୱର ଓ ରୋଜାଲିନ୍‌ ମହାପାତ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ନୃତ୍ୟାଭିନୟ କରିଥିଲେ ମନୀଷା, ବିଦ୍ୟାଙ୍ଗୀ, ବର୍ଷା, ପ୍ରତ୍ୟୁଷା, ଲକ୍ଷ୍ମୀପ୍ରିୟା ଓ ସଂପୂର୍ଣ୍ଣ। ପରେ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଲିଙ୍ଗରାଜ ପ୍ରଧାନଙ୍କ ‘କର୍ଣ୍ଣ’, ଗୁଞ୍ଜନର ସସ୍ମିତା ପଣ୍ଡାଙ୍କ ଦ୍ୱାରା ‘ପଲ୍ଲବୀ, ଗୀତଗୋବିନ୍ଦ’ ଓ ଦେବଦାସୀ ପକ୍ଷରୁ ବିଦ୍ୟାଙ୍ଗୀ ପଟ୍ଟନାୟକ ଓ ସନ୍ଧ୍ୟାରାଣୀ ପ୍ରଧାନଙ୍କ ଦ୍ୱାରା ବର୍ଜକାନ୍ତି ପଲ୍ଲବୀ ଏବଂ ମୋହନ ମୂରତି ଛଇ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଆଜିର ଉଦ୍‌ଯାପନୀ ସଭାରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ(ଆଇଏଏସ), ବିଶିଷ୍ଟ କଣ୍ଠଶିଳ୍ପୀ ରାମହରି ଦାଶ ଓ ବିଶିଷ୍ଟ ନୃତ୍ୟଶିଳ୍ପୀ ମୀରା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ଅରୁଣା ମହାନ୍ତିଙ୍କୁ ନୃତ୍ୟାଞ୍ଜଳି ସମ୍ମାନ-୨୦୧୮ରେ ସମ୍ମାନିତ କରାଯାଇଥିଲା। ଦେବଦାସୀ ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦିକା ରୋଜାଲିନ ମହାପାତ୍ର, ଦେବ କୁମାର ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର