Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବିନା ସମର୍ପଣରେ ନୃତ୍ୟରେ ସଫଳତା ଅସମ୍ଭବ: ଗୀତା ଚନ୍ଦ୍ରନ୍‌

0 15

ଯେବେ ହେତୁ ପାଇନଥିଲା ସେବେ ମା ତାଙ୍କୁ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମକୁ ନେଇ ଯାଉଥିଲେ। ମାତ୍ର ୨ ବର୍ଷ ବୟସରେ ସଂଗୀତ ଆସ୍ୱାଦନ କରୁ କରୁ ମଞ୍ଚ ଉପରେ ନାଚିବାକୁ ଇଚ୍ଛା କଲେ। ଏହି ଦୁର୍ବାର ଇଚ୍ଛା ପାଇଁ ମା’ ତାଙ୍କୁ ନେଇ ଥାଞ୍ଜାଭୁର୍‌ ନୃତ୍ୟ ପରମ୍ପରାର ପ୍ରସିଦ୍ଧ ଗୁରୁ ସ୍ୱର୍ଣ୍ଣ ସରସ୍ୱତୀଙ୍କୁ ଭେଟେଇ ଦେଲେ। ବାସ୍‌ ସେବେଠୁ ଆଉ ତାଙ୍କ ପାଦ ଅଟକିନି। ଦୀର୍ଘ ୪୦ ବର୍ଷର ସାଧନା ପାଇଁ ଅଜସ୍ର ସ୍ୱୀକୃତିର ଅଧିକାରିଣୀ ଏହି ଶିଳ୍ପୀ ଜଣକ ହେଉଛନ୍ତି ସ୍ୱନାମଧନ୍ୟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୀତା ଚନ୍ଦ୍ରନ। ନୃତ୍ୟ ସମେତ କର୍ଣ୍ଣାଟକୀ ସଂଗୀତର ଜଣେ କଣ୍ଠଶିଳ୍ପୀ ଭାବେ ସେ ମଧ୍ୟ ବେଶ୍‌ ପରିଚିତ। ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ଶ୍ରୀମତୀ ଚନ୍ଦ୍ରନ୍‌ ନାଟ୍ୟ ବୃକ୍ଷ ଡ୍ୟାନ୍ସ ଏକାଡେମିର ପ୍ରତିଷ୍ଠା କରି ଶହଶହ ଦକ୍ଷ ଶିଳ୍ପୀଙ୍କୁ ତିଆରି କରିଛନ୍ତି। ‘ସ୍ପିକ୍‌ ମାକେ ଓଡ଼ିଶା ଚାପ୍ଟର’ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସରେ ଆୟୋଜିତ ‘ୟାମିନି’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଶ୍ରୀମତୀ ଚନ୍ଦ୍ରନ୍‌ଙ୍କ ସହ ସତ୍ୟନାରାୟଣ ରାଉତରାୟଙ୍କ ଅନ୍ତରଙ୍ଗ ଆଳାପ।

ଆପଣ ୫ ବର୍ଷ ବୟସରୁ ନୃତ୍ୟ ଦୁନିଆରେ ବାନ୍ଧି ହୋଇଯିବା ପଛର ମୂଳ ଆକର୍ଷଣ ବା ପ୍ରେରଣା କ’ଣ ଥିଲା?
ମୋ’ ମା କହୁଥିଲେ କି, ପଢ଼ା ସହିତ ନୃତ୍ୟ ଓ ସଂଗୀତ ଶିଖିବା ମଧ୍ୟ ଜରୁରି। ଦକ୍ଷିଣ ଭାରତରେ ଆମ ଭିତରେ ଏମିତି ଏକ ପରିବେଶ ସୃଷ୍ଟି କରାଯାଇଥିଲା। ନୃତ୍ୟ ସଂଗୀତ ବିନା ଯେମିତି ଶିକ୍ଷା ଅସମ୍ପୂର୍ଣ୍ଣ ବୋଲି ମାନୁଥିଲେ। ମୋ ମା ପାର୍ବତୀ ରାମକ୍ରିଷ୍ଣନ୍‌ ହିଁ ମୋର ପ୍ରଥମ ଗୁରୁ ଓ ପ୍ରେରଣାଦାତ୍ରୀ ଥିଲେ। ସେ ମତେ ୨ବର୍ଷ ବୟସରୁ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମକୁ ନେଇ ଯାଉଥିଲେ। ବାପା ଏଚ୍‌ଏମ୍‌ଭିରେ ସଂଗୀତ ଶୁଣୁଥିଲେ। ମା ବି ବୀଣା ବଜାଉଥିଲେ। ତେଣୁ ସଂଗୀତର ଏକପ୍ରକାର ମାହୋଲ୍‌ ଥିଲା। ତେଣୁ ମୁଁ ୮ ବର୍ଷ ବୟସରୁ କର୍ଣ୍ଣାଟକୀ ସଂଗୀତ ଶିଖିଲି। ମୁଁ ପଢ଼ାରେ ବି ଭଲ କରୁଥିଲି। ତେଣୁ ମତେ ପରିବାରରୁ ସମର୍ଥନ ମିଳିବାରେ କୌଣସି ସମସ୍ୟା ନଥିଲା।

ଭାରତନାଟ୍ୟମ ସହ ୪୦ ବର୍ଷର ସମ୍ପର୍କ। ଆଜି ପର୍ଯ୍ୟନ୍ତ ଏଥିରୁ ଆପଣ କ’ଣ ପାଇଛନ୍ତି ଏବଂ କ’ଣ ହରାଇଛନ୍ତି ?
ମୁଁ ତ କହିବି ମୁଁ କେବଳ ଏ ପର୍ଯ୍ୟନ୍ତ ପାଇଚାଲିଛି। କିଛି ହରାଇବା ଭଳି ମୋ’ର ହୃଦବୋଧ ହୋଇନାହିଁ। ନୃତ୍ୟ ଦୁନିଆର ଜୀବନକୁ ଜଣେ ଶିଳ୍ପୀ କେମିତି ଦେଖୁଛି ତା’ର ଦୃଷ୍ଟିକୋଣ ଉପରେ ନିର୍ଭର କରେ। ମତେ କିନ୍ତୁ ମୋ ଗୁରୁ, ଛାତ୍ରଛାତ୍ରୀ ଓ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଛି।

ଆପଣ ନୃତ୍ୟରେ ଅନେକ ସମସାମୟିକ ଚିତ୍ରକୁ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି, ଆଜିକାଲିର ଦର୍ଶକଙ୍କ ପାଇଁ ତାହାର ପ୍ରୟୋଜନ ଜରୁରି କି ?
ହଁ ସମାଜ ସହ ଯୋଡ଼ି ହେବା ପାଇଁ ଆଜିକାଲିର ସମସାମୟିକ କଥାକୁ ମଧ୍ୟ ନୃତ୍ୟରେ ସ୍ଥାନିତ କରିବା ଆବଶ୍ୟକ ବୋଲି ମୁଁ ଭାବେ। ତା ଅର୍ଥ ନୁହେଁ ମୌଳିକତା କ୍ଷୁଣ୍ଣ ହେବ। କାରଣ ମୌଳିକତା ହିଁ ମୂଳ ସାର। ତେଣୁ ତାକୁ ବାଦ୍‌ ଦେଇ କିଛି କରି ହେବ ନାହିଁ।

ଆପଣଙ୍କ ନଜରରେ ଜଣେ ଭଲ ନୃତ୍ୟଶିଳ୍ପୀର ପ୍ରକୃତ ସଂଜ୍ଞା କ’ଣ ହେବା ଆବଶ୍ୟକ ?
ନୃତ୍ୟର ମୂଳ ଶିକ୍ଷା ହେବା ଦରକାର। ଯିଏ ନିଜ ନୃତ୍ୟ ପ୍ରତି ସମର୍ପିତ ଭାବନା ରଖୁଥିବ, ଭଲ ଗୁରୁଙ୍କ ଅଧୀନରେ ନିଜକୁ ପ୍ରଶିକ୍ଷିତ କରିଥିବ। ମାତ୍ର ଆଜିକାଲିର ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଧୈର୍ଯ୍ୟ ବହୁତ କମ୍‌ ଦେଖିବାକୁ ମିଳୁଛି। କେହିକେହି ତ ଶିଖୁଥିବା ବେଳେ ଭାବୁଛନ୍ତି ସେମାନଙ୍କୁ ପଦ୍ମଶ୍ରୀ ମିଳିଯିବା ଦରକାର। ସେତେବେଳେ ଗୁରୁମାନେ ବି ସେହି ଶିକ୍ଷା ଦେଉଥିଲେ। ଆଜିର ଗୁରୁଙ୍କ ଭିତରେ ବି ସେଇ ପୁରୁଣା ଶିକ୍ଷା ପ୍ରଣାଳୀ ଦେଖିବାକୁ ମିଳୁନାହିଁ।

ଓଡ଼ିଶୀ ନୃତ୍ୟ ବାବଦରେ କ’ଣ କହିବେ ?
ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ମୋର ମିତ୍ର ଥିଲେ। ଲେଡି ଶ୍ରୀରାମ କଲେଜ୍‌ରେ ସେ ନୃତ୍ୟ ପରିବେଷଣ କରିବା ପୂର୍ବରୁ ତାଙ୍କର ବେଶଭୂଷା ଓ ପ୍ରସ୍ତୁତି ମୁଁ ନୀରିକ୍ଷଣ କରୁଥିଲେ। ସେ ଟ୍ରଙ୍କ୍‌ ଭିତରେ ସବୁବେଳେ ନିଜ ସହ ଜଗନ୍ନାଥଙ୍କୁ ନେଇ ଯିବା ମଧ୍ୟ ଦେଖିଛି। ସେଠାରେ ସେ ଜଗନ୍ନାଥଙ୍କୁ ପୂଜା ନକରି କେବେ ମଞ୍ଚକୁ ଯାଉନଥିଲେ। ଏହା ମତେ ବେଶ୍‌ ପ୍ରଭାବିତ କରିଥିଲା। ସଂଯୁକ୍ତାଙ୍କ ମୋକ୍ଷ ମତେ ଆଜି ପର୍ଯ୍ୟନ୍ତ ଯେତିକି ପ୍ରଭାବିତ କରିଛି ଆଉ କାହାର ମୋକ୍ଷ ଏତେ ପ୍ରଭାବିତ କରିପାରିନାହିଁ। ଗୁରୁ କେଳୁଚରଣ ମହାପାତ୍ର ବି ଯେବେ ଦିଲ୍ଲୀ ଆସନ୍ତି ମୁଁ ତାଙ୍କୁ ଦେଖିଛି। ସେ ଜଗନ୍ନାଥଙ୍କ ତାଙ୍କର ସମର୍ପଣ ଦେଖିଛି। ବୋଧେ ସେଇଥିପାଇଁ ତାଙ୍କ ଅଷ୍ଟପଦୀରେ ଏତେ ଚମକ ଦେଖିବାକୁ ମିଳୁଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

thirteen + 15 =