ଭୁଶୁଡ଼ି ପଡ଼ିବ ବାଳକାଟି ସ୍ବାସ୍ଥ୍ୟକେନ୍ଦ୍ର ପାଣିଟାଙ୍କି!

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପାଣିଟାଙ୍କି ଘର ବିପଜ୍ଜନକ ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କୋଠାରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିବା ସହିତ କାନ୍ଥ ଫାଟି ଗଲାଣି। ଭଙ୍ଗା ଛାତ ଉପରେ ଦୁଇଟି ସିନ୍ଥେଟିକ୍‌ ଟାଙ୍କିରେ ୨୦୦୦ ଲିଟର ପାଣି ରଖାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଡାକ୍ତରଖାନାର ସମସ୍ତ ରୋଗୀ, ଡାକ୍ତର ଓ କର୍ମଚାରୀମାନଙ୍କୁ ପିଇବା ପାଣି ଯୋଗାଉଥିବା ଏହି ପାଣିଟାଙ୍କିର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନାବନା ଗଛଲତା ସବୁ ପାଣିଟାଙ୍କିକୁ ଘେରି ଯାଇଛି। ବେଳେବେଳେ ଟାଙ୍କିର ଢାଙ୍କୁଣି ଖୋଲା ରହୁଥିବାରୁ ଟାଙ୍କି ଭିତରେ ଧୂଳି ଓ ଗଛପତ୍ର ପଡ଼ୁଥିବା ଦେଖାଯାଇଛି। ବେଳେବେଳେ ଟାଙ୍କି ପାଣିରୁ ମୃତ ପକ୍ଷୀକୁ କଢ଼ା ଯାଇଥିବା କୁହାଯାଉଛି। ରୋଗୀ କଲ୍ୟାଣ ସମିତିର ଜଣେ ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର ଏନେଇ ସମିତି ବୈଠକରେ ଅନେକବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ସେହିପରି ୨୦୦୭ରେ ପାଣିଟାଙ୍କିକୁ ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ଉଦ୍‌ଘାଟିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସହ ଆସୁଥିବା ସଂପର୍କୀୟମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସମସ୍ୟାର ସମାଧାନ ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର