ପାଦେ ପାଦେ ବିପଦ

ଅସୁରକ୍ଷିତ ପର୍ଯଟନସ୍ଥଳୀ

ଅସୁରକ୍ଷିତ ହୋଇପଡ଼ିଛି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ। ପ୍ରତିଟି ସ୍ଥାନରେ ବିପଦର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ। କେତେବେଳେ ସମୁଦ୍ରରେ ବୁଡ଼ି ଯାଉଛନ୍ତି ତ ଆଉ କେତେବେଳେ ଅସାବଧାନତା ଲାଗି ପାହାଡ଼ରୁ ପଡ଼ି ଚାଲିଯାଉଛି ଜୀବନ। ପାଦେ ପାଦେ ପର୍ଯ୍ୟଟକଙ୍କ ଲାଗି ବିପଦର ଗାତ ଖୋଳିଛି ପ୍ରଶାସନ। ପର୍ଯ୍ୟଟକଙ୍କୁ ସଚେତନ କରିବା ତ ଦୂରର କଥା ସେମାନଙ୍କ ସୁରକ୍ଷା ପ୍ରତି ଟିକିଏ ବି ହେଲେ ଧ୍ୟାନ ଦିଆଯାଉ ନାହିଁ। ଯେଉଁଥି ପାଇଁ କିଛି ଦିନ ତଳେ ନନ୍ଦନକାନନ ସଫାରି ବସ୍‌ ଧକ୍କାରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟି ପର୍ଯ୍ୟଟକ ଆହତ ହେଉଥିଲେ ମଧ୍ୟ ସେଥିପ୍ରତି କାହାରି ନିଘା ନାହିଁ। ନନ୍ଦନକାନନ ଘଟଣା ପରେ ଭୁବନେଶ୍ୱରରେ ଥିବା ପର୍ଯ୍ୟଟନସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ଆମ ପ୍ରତିନିଧି କେଶବ ପାଣି ଓ ନିରଞ୍ଜନ ସେନାପତି।ଫଟୋ: ବିଭୂତି

ଦୁର୍ଘଟଣାକୁ ଆମନ୍ତ୍ରଣ

ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ ପର୍ଯ୍ୟଟକଙ୍କ ଲାଗି ପାଦେ ପାଦେ ବିପଦ। ଖଣ୍ଡଗିରି ଛକରେ ପହଞ୍ଚିବାଠାରୁ ପର୍ଯ୍ୟଟନସ୍ଥଳୀ ବୁଲିବା ପର୍ଯ୍ୟନ୍ତ ଦୁର୍ଘଟଣାର ଆଶଙ୍କା ପ୍ରକାଶ ପାଇଛି। ଗତ ୫ ବର୍ଷ ହେଲା ଖଣ୍ଡଗିରି ଛକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଚିତ ହୋଇଛି। ୧୫ରୁ ଅଧିକ ମୁଣ୍ଡ ଏଠାରେ ଗଡ଼ିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନି। ଏଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ଫେଲ୍‌ ମରିଥିବା ବେଳେ ଖଣ୍ଡଗିରି ଛକରେ ଜାତୀୟ ରାଜପଥ ଉପରେ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଥିପାଇଁ ଭିଡ଼ ବଢ଼ିବାରେ ଲାଗିଛି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଛକରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ପରିଚାଳନା ଲାଗି ହାତଗଣତି ପୁଲିସ ନିୟୋଜିତ ହୋଇଥିଲେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ଫେଲ୍‌ ହୋଇଛନ୍ତି। ଚାଳକଙ୍କୁ ରୋକିପାରୁ ନାହାନ୍ତି। ଯିଏ ଯୁଆଡ଼େ ପାରିଲା ଗାଡ଼ି ଚଳାଇ ପଳାଉଛନ୍ତି। ଆସନ୍ତାକାଲିଠାରୁ ଖଣ୍ଡଗିରି ମେଳା ଆରମ୍ଭ ହେବାକୁ ଥିବା ବେଳେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମେଳା ସମୟରେ ଜାଗମରା ଛକରୁ ଜୟଦେବ ବାଟିକା ରାସ୍ତା ପାର୍ଶ୍ୱରେ ବ୍ୟବସାୟୀ ପସରା ମେଲାଇବେ। ୧୦ରୁ ଅଧିକ ଦିନ ଧରି ଭିଡ଼ ରହିବ। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେବ। ତା’ ସାଙ୍ଗକୁ ଓଭରବ୍ରିଜ୍‌ କାର୍ଯ୍ୟ ସମସ୍ୟା ସୃଷ୍ଟି କରିବା ଏକପ୍ରକାର ଥୟ। ଏହାର ମୁକାବିଲା ଲାଗି କିଭଳି ପଦକ୍ଷେପ ନିଆଯିବ ଏ ପର୍ଯ୍ୟନ୍ତ କୌଣସି ବି ନିଷ୍ପତ୍ତିି ନିଆଯାଇ ନାହିଁ।
ଏ ତ ଗଲା ଛକ କଥା। ୨୦୧୫ରେ ଖଣ୍ଡଗିରି ପାହାଡ଼ରୁ ଛକ ଆଡ଼କୁ ଆସୁଥିବା ଏକ ଭାରୀଯାନ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଖଣ୍ଡଗିରି-ଉଦୟଗିରି ଗୁମ୍ଫା ଆଡ଼କୁ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା। ଖଣ୍ଡଗିରି ଛକ ଏବଂ ଜୟଦେବ ବାଟିକା ପାର୍ଶ୍ୱ ଦେଇ ଯେପରି ଭାରୀଯାନ ପ୍ରବେଶ ନ କରିବ ସେଥିପାଇଁ ଦୁଇ ପାର୍ଶ୍ୱରେ ଲୁହା ବାରିକେଡ୍‌ ଲଗାଯାଇଥିଲା। ଏବେ ତାହା ଭାଙ୍ଗିପଡ଼ିଛି। ବର୍ଷେ ହେଲା ଭାଙ୍ଗି ଯାଇଥିଲେ ମଧ୍ୟ ମରାମତି ହେଉନି କି ଆଉ ଥରେ ଲଗାଯାଉନି। ଏଥିପ୍ରତି କେହି ବି ଦୃଷ୍ଟି ହେଉ ନାହାନ୍ତି। ବିନା ବାଧାରେ ଭାରୀଯାନଗୁଡ଼ିକ ଗୁମ୍ଫା ଆଡ଼କୁ ପ୍ରବେଶ କରୁଛି। ଯଦି କୌଣସି କାରଣ ଲାଗି ଭାରୀଯାନର ବ୍ରେକ୍‌ ଫେଲ୍‌ ହୋଇଯାଏ ତେବେ ଦୁର୍ଘଟଣା ଲାଗି କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଖଣ୍ଡଗିରି-ଉଦୟଗିରିକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଟି ଗୁମ୍ଫା ଥିବାରୁ ବୁଲିବା ଲାଗି ପର୍ଯ୍ୟଟକ ଅସୁରକ୍ଷିତ ଭାବେ ରାସ୍ତା ପାରି ହେଉଛନ୍ତି। ଏଠାରେ ଜଣେ ବି ହେଲେ ପୁଲିସ କିମ୍ବା ଟ୍ରାଫିକ୍‌ ପୁଲିସ ନିୟୋଜିତ ହୋଇ ନାହାନ୍ତି। ପାହାଡ଼ରୁ ଗଡ଼ିବା ରାସ୍ତା ପାର୍ଶ୍ୱରେ ଅଟୋ ପାର୍କିଂ ହେଉଥିବାରୁ ଭିଡ଼ ବଢ଼ୁଛି। ଯେଉଁଥିପାଇଁ ଏଠାରେ ଦୁର୍ଘଟଣା ଆଶଙ୍କା ଆହୁରି ବଢ଼ୁଛି।

ସଂଗ୍ରହାଳୟ ସମ୍ମୁଖ ମରଣଯନ୍ତା

ରାଜ୍ୟ ସଂଗ୍ରହାଳୟ ସମ୍ମୁଖ ଏବେ ମରଣଯନ୍ତା ପାଲଟିଛି। ଭୁବନେଶ୍ୱର ସହରରୁ ପୁରୀ ଓ ଲିଙ୍ଗରାଜ ମନ୍ଦିରକୁ ଯିବା ଲାଗି ଏଠାରେ ରାସ୍ତା ତିନି ଭାଗ ହୋଇଛି। ୩ଟି ଯାକ ରାସ୍ତା ଦେଇ ଗାଡ଼ି ଚଳପ୍ରଚଳ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ କେହି ନାହାନ୍ତି। ନା ଅଛନ୍ତି ଟ୍ରାଫିକ୍‌ ପୁଲିସ ଅଧିକାରୀ ନା ପୁଲିସ ଭ୍ୟାନ୍‌। ଯିଏ ଯୁଆଡ଼େ ପାରିଲେ ଚାଲିଲେ। ତେଣୁ ପ୍ରତି ମୂହୁର୍ତରେ ଏଠାରେ ଛୋଟମୋଟ ଦୁର୍ଘଟଣା ହେଉଛି। ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇ ନ ଥିଲେ ମଧ୍ୟ କେତେବେଳେ ଯେ ଚାଲିଯିବ ତାହା କହିବା ମୁସ୍କିଲ୍‌। ପର୍ଯ୍ୟଟକମାନେ ବିନା ସୁରକ୍ଷାରେ ସଂଗ୍ରହାଳୟରୁ ବାହାରି ରାସ୍ତା ପାରି ହେଉଛନ୍ତି। ସଂଗ୍ରହାଳୟ ବୁଲି ଆସୁଥିବା ଛୋଟ ଛୋଟ ସ୍କୁଲ ପିଲା ମଧ୍ୟ ବିପଜ୍ଜନକ ଭାବେ ରାସ୍ତାର ଏପାଖରୁ ସେପାଖକୁ ଯାଉଛନ୍ତି। ଏଠି ଅଟୋ ଚାଳକଙ୍କ ଦବଦବା କାହିଁରେ କ’ଣ। ରାସ୍ତା ଉପରେ ଗାଡ଼ି ରଖି ଯାତ୍ରୀଙ୍କୁ ଉଠାଉଛନ୍ତି। କେହି ବି ରୋକ ଲଗାଇବାକୁ ନାହାନ୍ତି।

ଧଉଳିରେ ବାଜି ଲାଗୁଛି ଜୀବନ

ଧଉଳି: ଧଉଳି ଶାନ୍ତିସ୍ତୂପରେ ବାଜି ଲାଗୁଛି ହଜାର ହଜାର ପର୍ଯ୍ୟଟକଙ୍କ ଜୀବନ। ସ୍ତୂପକୁ ସଂଯୋଗ ହୋଇଥିବା ଏହି ପାହାଡ଼ିଆ ରାସ୍ତା ସାଜିଛି ଛୋଟବଡ଼ ଦୁର୍ଘଟଣାର କାରଣ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରୁ ବାଟ ଭାଙ୍ଗି ସିଧାସଳଖ ତୀର୍ଥଯାତ୍ରୀ ଧରି ବଡ଼ ବସ୍‌ଗୁଡ଼ିକ ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। ଫଳରେ ଦ୍ରୁତବେଗରେ ଆସୁଥିବା ଭାରୀଯାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଛି। ଖୁସିରେ ଭ୍ରମଣର ମଜା ନେବା ପାଇଁ ପରିବାର ପିଲାଛୁଆଙ୍କ ସହିତ ବୁଲିବାକୁ ଆସୁଥିବା ଯାତ୍ରୀମାନେ ନିରାପଦରେ ଘରକୁ ଫେରିବା ପରିବର୍ତେ ଏଠାରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତାରେ ଘଟିଛି ଦୁଇଟି ମର୍ମନ୍ତୁଦ ବସ୍‌ ଦୁର୍ଘଟଣା । ୨୦୧୭ ଜାନୁଆରି ୧ ତାରିଖ ସକାଳେ ହାତୀପାର୍କ ବୁଲାଣିରେ ପଶ୍ଚିମ ବଙ୍ଗରୁ ଆସିଥିବା ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ ଯାତ୍ରୀ ଆହତ ହୋଇଥିଲେ। ସେହିପରି ୨୦୧୬ରେ ମଧ୍ୟ ଗୋଟିଏ ବସ୍‌ ଉକ୍ତ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବହୁ ପର୍ଯ୍ୟଟକ ଆହତ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ପର୍ଯ୍ୟଟକମାନଙ୍କର ଶାନ୍ତିସ୍ତୂପକୁ ସୁରକ୍ଷିତ ବସ୍‌ ଯାତ୍ରା ପାଇଁ ଗତ ୮ ମାସ ତଳେ ଉଦ୍‌ଘାଟିତ ହୋଇଥିବା ବସ୍‌ଷ୍ଟାଣ୍ଡଟି ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି। ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶାନ୍ତିସ୍ତୂପକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଭଳି ସ୍ଥିତିରେ ଶାନ୍ତିସ୍ତୂପ ପରିସରରେ ପୁନଶ୍ଚ ବସ୍‌ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର