ପୁଣି ଡ୍ରେନ୍‌ ହେଲା କାଳ, ମିଳିବ ୪ ଲକ୍ଷ ଟଙ୍କା ସହାୟତା

ଡ୍ରେନ୍‌ କଡ଼ରେ ଘର ନିର୍ମାଣ କରିବା ମହଙ୍ଗା ପଡ଼ିଲା। ୟୁନିଟ୍‌-୭ରେ ଥିବା ମୁଖ୍ୟ ଡ୍ରେନ୍‌ରେ ପଡ଼ି ହରିହର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଏବେ ମୁକୁଳା ଡ୍ରେନ୍‌କୁ ନେଇ ପୁଣି ବିବାଦ ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳା ବସ୍ତି ନିକଟରେ ପୂର୍ତ୍ତ ବିଭାଗର ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଏହି ଡ୍ରେନ୍‌ର ଏବେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ଉପରେ ପଡ଼ିଥିବା ସ୍ଲାବ୍‌ଟିକୁ କାଢ଼ି ଦିଆଯାଇଛି। ହରିହର ଘରକୁ ଯିବାବେଳେ ଅସାବଧାନତା ଯୋଗୁଁ ପୂର୍ତ୍ତ ବିଭାଗର ଡ୍ରେନ୍‌ରେ ପଡ଼ିଯାଇଥିଲେ। ଏହା ନିକଟରେ ମୁଖ୍ୟ ଡ୍ରେନ୍‌-୭କୁ ସଂଯୋଗ କରି ଏକ କଲଭର୍ଟ ଥିବାବେଳେ ହରିହର ସେଥିରେ ଫସି ଯାଇଥିଲେ। ମୁଖ୍ୟ ଡ୍ରେନ୍‌ରେ ଅଧିକ ପାଣି ଥିବାରୁ ଏବଂ ସୁଅ ଜୋର୍‌ରେ ହେଉଥିବାରୁ ହରିହର ଡ୍ରେନ୍‌ରୁ ବାହାରି ପାରି ନଥିଲେ। ଯାହା ତାଙ୍କ ପାଇଁ କାଳ ହେଲା। ପ୍ରାୟ ୪୦୦ମିଟର ଡ୍ରେନ୍‌ରେ ଭାସି ଯିବା ପରେ ତ୍ରିନାଥ ମନ୍ଦିର ନିକଟରେ ଲାଗିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ମାତ୍ର ତାଙ୍କୁ ବଞ୍ଚାଇ ପାରିନଥିଲେ।

ଏହି ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଥିଲା। ଏହାପରେ ଏଡିିଏମ୍‌ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହରିହରଙ୍କ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ଦେବା ସହିତ ତାଙ୍କ ୨ ପିଲାଙ୍କର ପଢ଼ାଖର୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର