ମୃତ୍ୟୁଯନ୍ତା ପାଲଟିଛି ସତସଙ୍ଗ ବିହାର ସମ୍ମୁଖ ରାସ୍ତା

ଅଚିନ୍ତାରେ କମିସନରେଟ ପୁଲିସ ଓ ଜାତୀୟ ରାଜପଥ କର୍ତୃପକ୍ଷ, ବର୍ଷକରେ ୪୫ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ, ଟ୍ରକ୍‌ ଧକ୍କାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥର କେତେକ ସ୍ଥାନ ଏବେ ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟି ଯାଇଛି। ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ଘଟୁଛି, ଆଉ ଲିଭି ଯାଉଛି ଅନେକଙ୍କ ଜୀବନ ଦୀପ। ଏଥି ମଧ୍ୟରୁ ଜାତୀୟ ରାଜପଥର ସହିଦନଗର ଥାନା ଅଧୀନ ସତସଙ୍ଗ ମନ୍ଦିର ସମ୍ମୁଖ ରାସ୍ତା ଅନ୍ୟତମ। ଏହି ରାସ୍ତା ଏବେ ମରଣଯନ୍ତା ପାଲଟି ଯାଇଛି। କମିସନରେଟ ପୁଲିସର ହିସାବ କହୁଛି, ବର୍ଷକୁ ପାଖାପାଖି ଏଠାରେ‌ ୫୦ଟି ପାଖାପାଖି ଦୁର୍ଘଟଣା ଘଟୁଥିବାବେଳେ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ଘଟୁଛି। ଚଳିତ ବର୍ଷ ଏହି ଛକରେ ୪୫ଟି ଦୁଘର୍ଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଦୁଇ ବର୍ଷ ତଳେ ସେହି ଛକରେ ଟ୍ରକ୍‌ ଧକ୍‌କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିବା ସହିତ ପ୍ରତିକାର ଦାବି କରିଥିଲେ। ପରେ ପରେ ସେଠାରେ କମିସନରେଟ ପୁଲିସ ପକ୍ଷରୁ ଦୁଇଟି ଲୁହା ବ୍ୟାରିକେଡ୍‌ ରଖାଯାଇଥିଲା। ମାତ୍ର ଗୋଟିଏ ଦିନ ରଖାଯିବା ପରେ ତାକୁ କେହି ରାସ୍ତା ପାର୍ଶ୍ବକୁ ଠେଲି ଦେଇଥିଲା। ଏବେ ଆଉ ସେହି ଲୁହା ବ୍ୟାରିକେଡ୍‌ ଦୁଇଟିର ଦେଖା ମିଳୁନି। ଫଳରେ ସେଠାରେ ପ୍ରତ୍ୟେକ ଦିନ ଏଭଳି ଦୁଘର୍ଟଣାମାନ ବଢ଼ି ଚାଲିଛି।

ରବିବାର ରାତି ପ୍ରାୟ ସାଢ଼େ ୧୦ଟାବେଳେ ଏକ ଅଜଣା ଟ୍ରକ ଜଣେ ବାଇକ ଚାଳକଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସି ପଳାଇଥିଲା। ଖବର ପାଇ ପୁଲିସ ବାଇକ ଚାଳକଙ୍କୁ ଉଦ୍ଧାର ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଆଜି ସଂପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି। ସେ ହେଉଛନ୍ତି ଢେଙ୍କନାଳ ଜିଲ୍ଲା ପାଲଲହଡ଼ାର ଦୀପ୍ତିରଂଜନ ବାରିକ। କେବଳ ଗତକାଲି ଘଟଣା କାହିଁକି, ଚଳିତ ବର୍ଷ ଜୁଲାଇ ମାସ ୨୨ ତାରିଖରେ ସେହି ଛକରେ ଏକ କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ କାରରେ ଥିବା ୩ ଜଣ ଯୁବକ କୁମାର ଚନ୍ଦନ, ଦେବାଶିଷ ମିଶ୍ର, ପୁରୁଷୋତ୍ତମ ହରିଚନନ୍ଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହି ନିର୍ଦିଷ୍ଟ ଛକରେ ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ଓ କମିସନରେଟ ପୁଲିସ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ସ୍ଥାନୀୟ ଜଣେ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ଛକରେ ଘଟୁଥିବା ଦୁର୍ଘଟଣା ପାଇଁ କେତେକାଂଶରେ ଜାତୀୟ ରାଜପଥ କର୍ତୃପକ୍ଷ ଦାୟୀ। ଯେଉଁ ଢଙ୍ଗରେ ସେଠା‌ରେ ରାସ୍ତା ନିର୍ମାଣ ହୋଇଛି ଦୁର୍ଘଟଣା ହିଁ ଘଟିବ। ସେହି ବାସିନ୍ଦାଙ୍କ କହିବା ଅନୁଯାୟୀ, ଜଣେ ବାଣୀବିହାର ଛକରୁ ରସୁଲଗଡ଼ ଛକ ଆଡେ ଗଲାବେଳେ ସେହି ଛକରେ ହିଁ ଜାତୀୟ ରାଜପଥ ସହିତ ମିଶି ଥାଏ। ଯେଉଁଭଳି ଢଙ୍ଗରେ ହଠାତ ତଳ ରାସ୍ତା ଜାତୀୟ ରାଜପଥ ସହିତ ମିଶିଛି, ସେଥିପାଇଁ ଦୁଘର୍ଟଣା ଘଟୁଛି ବୋଲି ଅନେକଙ୍କ ମତ। କାରଣ ଓଭରବ୍ରିଜ୍‌ ଉପରେ‌ ଜୟଦେବ ବିହାର ପଟୁ ଏହି ସମୟରେ ଦ୍ରୁତ ବେଗରେ ଭାରୀଯାନ ଆଦି ଆସିଥାଏ। ସାମାନ୍ୟ ଅନ୍ୟମନସ୍କ ହେଲେ ପଛପଟୁ ଆସୁଥିବା ଗାଡି ଧକ୍କା ଦେବାର ଆଶଙ୍କା ଅଧିକ ରହିଥାଏ। ଯାହାକି ସମସ୍ତ ଦୁଘର୍ଟଣାବେଳେ ଦେଖିବାକୁ ମିଳିଥାଏ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସେଠାରେ ଦୁଇଟି ଲୁହା ବ୍ୟାରିକେଡ୍‌ ଥୁଆ ହୋଇଥିଲା। କିନ୍ତୁ କେହି ତାକୁ ସେଠାରୁ ଏବେ ହଟାଇ ଦେଇଛି। ସେହିପରି ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଜାତୀୟ ରାଜପଥ ଅଧିକାରୀ ଚାହିଁଲେ ବାମ ପଟେ ଥିବା ରାସ୍ତା ଡିଭାଇଡର୍‌କୁ ଉଠାଇ ରାସ୍ତାକୁ ଚଉଡ଼ା କରି ପାରିବେ। ଏହାଦ୍ବାରା ଦୁର୍ଘଟଣା ଅନେକ ମାତ୍ରାରେ ହ୍ରାସ ପାଇ ପାରିବ ବୋଲି କହିଛନ୍ତି। କେବଳ ସତସଙ୍ଗ ବିହାର ଛକ କାହିଁକି, ଟିକେ ଆଗରେ ଭିଏସ୍‌ଏସ୍‌ନଗରରୁ ଜାତୀୟ ରାଜପଥ ଛକକୁ ସଂଯୋଗ କରୁଥିବା ଛକ ମଧ୍ୟ ଦୁର୍ଘଟଣା ସ୍ଥାନ ପାଲଟି ଗଲାଣି। ଏ ସମ୍ପର୍କରେ ସହିଦନଗର ଥାନା ଇନ୍ସ‌େପେକ୍ଟର ପଦ୍ମନାଭ ପ୍ରଧାନ କହିଛନ୍ତି, ଏ ସମ୍ପର୍କରେ ସେ ଜାତୀୟ ରାଜପଥ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସମାଧାନର ବାଟ ବାହାର କରି‌ବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର