ସ୍ମାର୍ଟ ଜନପଥରେ ଯମ!

ଭୁବନେଶ୍ୱର : ସ୍ମାର୍ଟ ସହର ପାଇଁ ନିର୍ମାଣ ହେଲା ସ୍ମାର୍ଟ ଜନପଥ। ଏବେ ଏହି ସ୍ମାର୍ଟ ରାସ୍ତା ଲୋକଙ୍କ ପାଇଁ ‘ଯମ’ ପାଲଟିଛି। ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ମଝିରେ ବେଗ ନିୟନ୍ତ୍ରଣ ପାଇଁ ପ୍ରାୟ ୧୦ ଫୁଟ୍‌ ଲମ୍ବରେ ତିଆରି ହୋଇଥିବା ‘ସ୍ପିଡ୍‌ ବ୍ରେକର୍‌’ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପୂର୍ବରୁ ଏହି ନିର୍ଦିଷ୍ଟ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆଜି ରାତି ପ୍ରାୟ ୧୦ଟା ବେଳେ ଏଠାରେ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଅଚେତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ସେ ହେଲେ ଖାରବେଳ ନଗର ଅଞ୍ଚଳର ସଞ୍ଜୟ କୁମାର ସାହୁ। ସେ କୋମାରେ ଅଛନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକ ରାତି ୧୦ଟାରୁ ପ୍ରାୟ ୨ ଘଣ୍ଟା ଯାଏ ରାସ୍ତରୋକ କରିଥିଲେ। ଏପରିକି କିଛି ଲୋକ ଜେସିବି ଲଗାଇ ରାସ୍ତା ତାଡ଼ି ଦେବାକୁ ଉଦ୍ୟମ କରିଥିଲେ।

ଖବରପାଇ କ୍ୟାପିଟାଲ ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଆଗକୁ ଏହି ଜାଗାରେ ପୁଲିସ ଷ୍ଟପ୍‌ ବୋର୍ଡ ଲଗାଇ ଗାଡ଼ିର ବେଗ ନିୟନ୍ତ୍ରଣ କରିବା ସହ ରାସ୍ତାକୁ ସମତୁଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଛି। ଏହି ସ୍ଥାନରେ ଗତ ୧୫ ଦିନ ଭିତରେ ୧୦ରୁ ଅଧିକ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର