ଏଠି ପାଦେ ପାଦେ ବିପଦ : ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର

ଭୁବନେଶ୍ୱର : ରାଜଧାନୀରେ ଏବେ ପାଦେ ପାଦେ ବିପଦ। ଟିକେ ଅସାବଧନତା ଆପଣଙ୍କର ଜୀବନ ନେଇପାରେ। ରାଜଧାନୀରେ ଏହିଭଳି ବିପଦର ବଳୟ ସୃଷ୍ଟି କରିଛି ସେସୁ। ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ ଓ ତାର ମାଧ୍ୟମରେ ଘରେ ଘରେ ଆଲୋକ ଦେଉଥିବା ସଂସ୍ଥା ଏହି ସବୁକୁ ଏମିତି ମୁକୁଳା ଓ ଅବ୍ୟବସ୍ଥିତ ଢଙ୍ଗରେ ଛାଡ଼ିଦେଇଛି ଯେ, ଏହା ସଂସ୍ପର୍ଶରେ ଆସିଲେ କ୍ଷଣିକରେ ବହୁ ଘର ସବୁ ଦିନ ପାଇଁ ଅନ୍ଧାର ହୋଇଯିବ। ରାଜଧାନୀର ଗଳି କନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି ମୁକୁଳା ଟ୍ରାନ୍ସଫର୍ମର। ନିୟମ କହୁଛି ଟ୍ରାନ୍ସଫର୍ମର ଚାରିକଡ଼େ ତାର ବାଡ଼ କିମ୍ବା ପାଚେରି ବୁଲାଯିବ। ଯେପରି କେହି ଏହା ନିକଟକୁ ଯାଇ ନ ପାରିବେ। କିନ୍ତୁ ଟ୍ରାନ୍ସଫର୍ମରଗୁଡ଼ିକ ଏଭଳି ସ୍ଥିତିରେ ମୁକୁଳା ଛଡ଼ାଯାଇଛି ଯେ, ରାସ୍ତାରେ ଯାଉଥିବା ଲୋକ ଆପେଆପେ ସେଥିରେ ପିଟି ହୋଇଯିବ। କେବଳ ମୁକୁଳା ଟ୍ରାନ୍ସଫର୍ମର ନୁହେଁ ରାଜଧାନୀର ଅଧିକାଂଶ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିବା ଦେଖିବାକୁ ମିଳୁଛି। ସେସୁ କର୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏବେ ରାଜଧାନୀବାସୀ ଘରୁ ପାଦ କାଢ଼ିଲେ ଏହିଭଳି ବିପଦର ସାମ୍ନା କରୁଛନ୍ତି।

‘ସମ୍ବାଦ’ ଟିମ୍‌ ରାଜଧାନୀର କେତୋଟି ହାତଗଣତି ଅଞ୍ଚଳ ବୁଲିବା ସମୟରେ ଦେଖିବାକୁ ପାଇଥିଲା ଯେ, ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟ, ରାଜମହଲ ଛକ, ଜନପଥରେ ରାଜମହଲରୁ ଆରମ୍ଭ କରି ବାଣୀବିହାର ପର୍ଯ୍ୟନ୍ତ, କଟକରୋଡ୍‌ରେ ୧୦ରୁ ଅଧିକ ସ୍ଥାନରେ ଟ୍ରାନ୍ସଫର୍ମରଗୁଡ଼ିକୁ ମୁକୁଳା ଛାଡ଼ି ଦିଆଯାଇଛି।

ଏନେଇ ସେସୁର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁଠି ଏପରି ମୁକୁଳା ଟ୍ରାନ୍ସଫର୍ମର ରହିଛି ସେନେଇ ଆମେ ସ୍ଥାନୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିବୁ। କେଉଁଠି ଟ୍ରାନ୍ସଫର୍ମର ମୁକୁଳା ଅଛି ବା ବିପଦସଙ୍କୁଳ ଅବସ୍ଥାରେ ଅଛି ଯାଞ୍ଚ କରାଯିବ। ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ। ଯେପରି କୌଣସି ଅଘଟଣ ନଘଟିବ ସେନେଇ ପଦକ୍ଷେପ ନେବୁ।

ରିପୋର୍ଟ: ପ୍ରଗତି ଫଟୋ: ବିଭୂତି

ସମ୍ବନ୍ଧିତ ଖବର