ଉତ୍ତର ଭୁବନେଶ୍ୱରବାସୀଙ୍କ ଦୁଃଖ, ହଂସପାଳ ଛକ ପାଲଟିଛି ମରଣଯନ୍ତା

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱରବାସୀଙ୍କ ଦୁଃଖ ପାଲଟିଛି ହଂସପାଳ ଛକ। ବିଏମ୍‌ସିର ୪ ନମ୍ବର ଓ୍ଵାର୍ଡରେ ଅସୁଥିବା ହଂସପାଳ ଛକ ଏବେ ପାଲଟିଛି ମରଣାଯନ୍ତା। ଗତ ୩ ବର୍ଷ ମଧ୍ୟରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଶତାଧିକ ଲୋକଙ୍କ ଧନଜୀବନ ହାନି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଛକରେ ଏକ ଫ୍ଲାଏଓଭର ନିର୍ମାଣ କରିବା ଲାଗି ଲୋକମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁଥିପାଇଁ ଅଞ୍ଚଳବାସୀ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ହଂସପାଳ ଛକରୁ କବି ଜୟଦେବଙ୍କ ଜନ୍ମପୀଠ କେନ୍ଦୁବିଲ୍ଵ ପର୍ଯ୍ୟନ୍ତ ଏଠାରୁ ସଡ଼କପଥ ଯାଇଛି। ବାଲିଅନ୍ତା, ବେଣୁପୁର, ଭିଙ୍ଗାରପୁର, ଅଭୟମୁଖୀ, ବନମାଳିପୁର ଅଞ୍ଚଳର ଲୋକେ କଟକ, ଭୁବନେଶ୍ୱର ଯିବା ଲାଗି ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି। କବି ଜୟଦେବଙ୍କ ପୀଠକୁ ବିଦେଶୀ ପର୍ଯ୍ୟଟକମାନେ ଏହି ରାସ୍ତାରେ ଯାତାୟାତ କରନ୍ତି। ତେଣୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଛି। ‘ଜୟଦେବ ରୋଡ୍‌’ ଭାବେ ପରିଚିତ ଏହି ରାସ୍ତାରେ ପ୍ରବେଶ କରିବା ସମୟରେ ପ୍ରବଳ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ନହରକଣ୍ଟାରୁ ହଂସପାଳ ଦେଇ ଜୟଦେବ ପୀଠକୁ ଯାଇଥିବା ଏହି ରାସ୍ତା ମଝିରେ ଭୁବନେଶ୍ୱର କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଯାଇଛି। ତେଣୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏହି ଛକରେ ଭିଡ଼ ଏତେ ବଢ଼ିଯାଉଛି ଯେ କୁଆଖାଇ ପୋଲ ଉପରେ ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇ ରହୁଛି। ଯାତ୍ରୀମାନେ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି। ଜାତୀୟ ରାଜପଥ କର୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହାର ପ୍ରତିକାର ବା ସମାଧାନ ଲାଗି ହଂସପାଳ ଛକରେ ଜାତୀୟ ରାଜପଥ ଉପରେ ଏକ ଫ୍ଲାଏ ଓଭର୍‌ ନିର୍ମାଣ କରିବାକୁ ଦାବି କରିଛି ଉତ୍ତର ଭୁବନେଶ୍ୱର ଉନ୍ନୟନ ପରିଷଦ।
ଅନ୍ୟପକ୍ଷରେ କୁଆଖାଇ ନଦୀ ଶୁଖିଲା ପଡ଼ିଲାଣି। ନଦୀରେ ମାତ୍ର ଗୋଟିଏ ଧାର ପାଣି ପ୍ରବାହିତ ହେଉଛି। କିଛି ବର୍ଷ ତଳେ କୁଆଖାଇ ପୋଲ ପାଖରେ ଜଳର ଗଭୀରତା ୨୫ରୁ ୩୦ ଫୁଟ ରହୁଥିଲା। ଏତେ ସେଠାରେ ବାଲିର ଆସ୍ତରଣ ପଡ଼ିଛି। ପିଏଚ୍‌ଡିକୁ ବାଲିବସ୍ତା ବନ୍ଧ ଦେଇ ଜଳ ସଂରକ୍ଷଣ କରିବାକୁ ପଡ଼ୁଛି। ନ ହେଲେ ଭୁବନେଶ୍ୱର ସହର ଲାଗି ପାନୀୟ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କୁଆଖାଇ ନଦୀ ଉପରେ ବାଲିଅନ୍ତାଠାରେ ଏକ ବ୍ୟାରେଜ୍‌ ନିର୍ମାଣ କରିବାକୁ ପୁଣିଥରେ ଦାବି ଉଠିଛି। ନଦୀର ଦୁଇ ପାର୍ଶ୍ୱରେ ଚଉଡ଼ା ରାସ୍ତା, ପଥର ପ୍ୟାକିଂ ଏବଂ ନଦୀକୁ ଗଭୀର ଭାବେ ଡ୍ରୋଜିଂ କରିବାକୁ ଉତ୍ତର ଭୁବନେଶ୍ୱରବାସୀ ଦାବି ଉଠାଇଛନ୍ତି।

ହଂସପାଳ ଛକରେ ଏପର୍ଯ୍ୟନ୍ତ ଏକ ସଙ୍ଗଠିତ ମାର୍କେଟ କମ୍ପଲେକ୍ସ ନାହିଁ। ତେଣୁ ଏହି ଅଞ୍ଚଳର ଲୋକେ ଆବଶ୍ୟକତା ଲାଗି ସହର ଉପରେ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏକ ଉନ୍ନତ ମାର୍କେଟ କମ୍ପଲେକ୍ସ ନିର୍ମାଣ କରି ସ୍ଥାନୀୟ ଅଞ୍ଚଳର ବେକାର ଯୁବକଙ୍କୁ ଥଇଥାନ କରିବାକୁ ପରିଷଦର ସଭାପତି ପ୍ରଭାତ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଯଦି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରା ନ ଯାଏ ତେବେ ଆସନ୍ତା ୨୦ ତାରିଖରେ ଜାତୀୟ ରାଜପଥ ଅବରୋଧ କରାଯିବ। ସକାଳ ୮ଟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅଞ୍ଚଳବାସୀ ଅନଶନରେ ବସିବେ ବୋଲି ପରିଷଦର ସମ୍ପାଦକ ବ୍ରଜବନ୍ଧୁ ପଣ୍ଡା, ଗୋଲକ ଚନ୍ଦ୍ର ଜେନା, ପ୍ରଦୀପ କୁମାର ଚୌଧୁରୀ, ଲୋକନାଥ ସେଠୀ, ରଘୁନାଥ ପଣ୍ଡା ପ୍ର୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର