ସୃଷ୍ଟି ହେଲା ରାତିର ଭ୍ରମ: ୨୦ ମିନିଟ୍‌ ଅନ୍ଧାର ଘୋଟିଗଲା, ଜଳି ଉଠିଲା ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍

ବିନା ଲାଇଟ୍‌ରେ ଗାଡ଼ି ଚଳାଇବା କଷ୍ଟକର ଥିଲା

ଭୁ୍ବନେଶ୍ବର: ରାଜଧାନୀରେ ଆଜି ଦିନ ବେଳା ରାତିର ଭ୍ରମ ସୃଷ୍ଟି ହୋଇଥିଲା। ପ୍ରାୟ ୨୦ ମିନିଟ ରାଜଧାନୀ ପୂରା ଅନ୍ଧାର ହୋଇଯାଇଥିଲା। ଆଜି ସୂର୍ଯ୍ୟ ପରାଗ ନ ଥିଲା କି ପ୍ରବଳ ବର୍ଷା ହେଉ ନ ଥିଲା। ହେଲେ ଆକାଶରେ ହଠାତ୍ କଳା ବାଦଲ ମାଡ଼ି ଆସିବାରୁ ପୂର୍ବାହ୍ନ ୧୦ଟାରୁ ୧୦ଟା ୨୦ ପର୍ଯ୍ୟନ୍ତ ରାଜଧାନୀରେ ଅନ୍ଧାର ଛାଇ ଯାଇଥିଲା। ପୂର୍ବାହ୍ନ ୧୦ଟାରୁ ନନ୍ଦନକାନନ- ଚନ୍ଦକା ଜଙ୍ଗଲ ଆଡୁ ରାଜଧାନୀ ଆକାଶରେ ଅନ୍ଧାର ମାଡ଼ି ଆସିଥିଲା। ହଠାତ୍ ଚତୁର୍ଦିଗ ଅନ୍ଧାର ହୋଇ ଯିବାରୁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଅଫିସ ଯିବା ସମୟ ହୋଇଥିବାରୁ ରାଜଧାନୀର ସବୁ ରାସ୍ତାଘାଟ ଗହଳି ଥିଲା। ହେଲେ ଅନ୍ଧାର ଯୋଗୁଁ ବିନା ଲାଇଟ୍‌ରେ ଗାଡ଼ି ଗଡ଼ିବା ସମ୍ଭବ ନ ଥିଲା। ସବୁ ଗାଡ଼ିର ଲାଇଟ୍‌ ଜଳି ଉଠିଥିଲା। କିଛି ସ୍ଥାନରେ ସୌରଚାଳିତ ଷ୍ଟ୍ରିଟଲାଇଟ୍‌ ବି ଜଳି ଉଠିଥିଲା। ହଠାତ୍ କାହିଁକି ଚତୁର୍ଦିଗ ଅନ୍ଧାର ହୋଇଗଲା, ସମସ୍ତେ ଆକାଶକୁ ଚାହୁଁଥିଲେ। ଏତିକିବେଳେ ବର୍ଷା କାଚି ଥିଲା। ଆକାଶରୁ ବରକୋଳି ଟୋପା ଅଜାଡ଼ି ହୋଇପଡ଼ିଥିଲା।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ବାୟୁମଣ୍ଡଳରେ କନ୍ଧମାଳ, ଦେଓଗଡ଼, ଖୋର୍ଦ୍ଧା, କଟକ, ନୟାଗଡ ଦେଇ କେନ୍ଦୁଝର ଯାଏ ଏକ ଲମ୍ବା କଳା ବାଦଲର ବେଲ୍ଟ ରହିଥିଲା। ୨ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ବାଦଲର ବଡ଼ବଡ଼ ଖଣ୍ଡ ଜମି ରହିଥିଲା। ବାୟୁମଣ୍ଡଳଠାରୁ ବହୁ କମ୍ ଉଚ୍ଚତାରେ ଏହି ବାଦଲ ଥିଲା। ଏହି କଳା ବାଦଲ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଗତି କରୁଥିଲେ ହେଁ ବହୁତ ଅଞ୍ଚଳରେ ଏହା ବିକ୍ଷିପ୍ତ ହୋଇଥିବାରୁ ଏହାକୁ ଅତିକ୍ରମ କରିବାକୁ ଅଧିକ ସମୟ ଲାଗିଥିଲା। ସେଥିପାଇଁ ହଠାତ୍ କିଛି ସମୟ ପାଇଁ ଅନ୍ଧାର ଘୋଟି ଯାଇଥିଲା। ଆଜି ଭୁବନେଶ୍ୱରରେ ୧୯.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର