ପୁଲିସ୍‌ ବାବୁଙ୍କ ବାସ୍ତୁ ଭୟ : ୭ବର୍ଷ ହେଲା ଅନ୍ଧାରରେ ଏସିପି କାର୍ଯ୍ୟାଳୟ

ଭୁବନେଶ୍ବର : କମିସନରେଟ ପୁଲିସକୁ ବାସ୍ତୁ ଭୟ। କା‌େଳ ସେହି ରୁମ୍‌କୁ ପ୍ରବେଶ କଲେ ଅମଙ୍ଗଳ ଘଟିବ। ଚାକିରି ଟଳମଳ ହେବ। ଏପରିକି ବଡ଼ବାବୁଙ୍କ କୋପଦୃଷ୍ଟି ପଡ଼ିବ। ଏଭଳି ଚିନ୍ତାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏସିପି ଜୋନ୍‌-୫ କାର୍ଯ୍ୟାଳୟ ଏବେ ଉଦ୍‌ଘାଟନ ନ ହୋଇ ପଡ଼ି ରହିଛି। ଏହା ପଛରେ ନିର୍ମାଣ ହୋଇଥିବା ଅନ୍ୟ ଏସିପିଙ୍କ କାର୍ଯ୍ୟାଳୟ ଉଦଘାଟନ ହୋଇ କାର୍ଯ୍ୟକ୍ଷମ ହେଉଥିବାବେଳେ ଜୋନ-୫ ଏସିପିଙ୍କ କାର୍ଯ୍ୟାଳୟ ଏବେ ସହିଦନଗର ଥାନା ଭିତରେ ଚାଲୁଛି।

ଯାହା ସୂଚନା ମିଳିଛି, ୭ ବର୍ଷ ତଳେ ସହିଦନଗର ଥାନା ପରିସରରେ ଥିବା ଏସିପିଙ୍କ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇଥିଲା। ୫ କୋଠରି ବିଶିଷ୍ଟ ଏହି କୋଠାରେ ଏସିପିଙ୍କ ଚାମ୍ବର, କର୍ମଚାରୀଙ୍କ ପାଇଁ ଅଫିସ, ଅତିଥିମାନେ ଅପେକ୍ଷା କରିବାକୁ ଗୃହ, ବିଶ୍ରାମ ଗୃହ, ଶୌଚାଳୟ ଆଦି ରହିଛି। ଏହି କାର୍ଯ୍ୟାଳୟଟି ସଂପୂର୍ଣ୍ଣ ଭାବେ ଅତ୍ୟାଧୁନିକ। ଏପରିକି ଅପରାଧୀମାନଙ୍କୁ ଜେରା କରିବାକୁ ଏଠାରେ ଏକ ସ୍ବତନ୍ତ୍ର କକ୍ଷ ମଧ୍ୟ ରହିଛି। କିନ୍ତୁ ବିଭିନ୍ନ କାରଣରୁ ଏହାର ଉଦ୍‌ଘାଟନ କରାଯା‌ଉନାହିଁ। ଫଳରେ ସହିଦନଗର ଥାନା ଭିତରେ ଅସ୍ଥାୟୀ ଭାବେ ଏସିପିଙ୍କ କାର୍ଯ୍ୟାଳୟ ଚାଲୁଛି। ଏହି ଜୋନ୍‌ ଅଧୀନରେ ସହିଦନଗର, ନୂଆପଲ୍ଲୀ ଓ ମଞ୍ଚେଶ୍ବର ଭଳି ତିନି ଗୁରୁତ୍ବପୂର୍ଣ୍ଣ ଥାନା ରହିଛି। ଏହାଦ୍ବାରା ସହିଦନଗର ଥାନାରେ ଅଯଥା ଭିଡ଼ ସୃଷ୍ଟି ହେଉଛି। ସହିଦନଗର ଥାନା ଇନ୍ସପେକ୍ଟରଙ୍କ ଚାମ୍ବରକୁ ଲାଗି ଏସିପିଙ୍କ ଚାମ୍ବର ରହିଛି। ଅଭିଯୋଗକାରୀ କେଉଁଠି ଅଭିଯୋଗ କରି‌ବେ ଜାଣି ବି ପାରୁନାହାନ୍ତି। ଏପରିକି କେତେକ ଥାନାରେ ପ୍ରାଥମିକ ଅଭିଯୋଗ କରିବା ବଦଳରେ ଏସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ସିଧାସଳଖ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଉଭୟ ଥାନା ଅଧିକାରୀ ଓ ଏସିପିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ବିଗତ ଦିନରେ ଏସିପି ଓ ଆଇଆଇସିଙ୍କ ମଧ୍ୟରେ କଥା କଟାକଟି ଭଳି ପରିସ୍ଥିତି ମଧ୍ୟ ଉପୁଜିଥିବାର ନଜିର ରହିଛି। ଏସିପି ଓ ଆଇଆଇସିଙ୍କ ମଧ୍ୟରେ ବିବାଦ ବରିଷ୍ଠ ପୁଲିସ ଅଧିକାରୀଙ୍କ କାନରେ ପଡ଼ିଥିଲା। ତୁରନ୍ତ ଥାନା ପରିସରରୁ ଏସିପି କାର୍ଯ୍ୟାଳୟ ହଟାଇ ଥାନା ପଛପଟେ ତିଆରି ହୋଇଥିବା ଏସିପିଙ୍କ କାର୍ଯ୍ୟାଳୟକୁ ଉଠି ଯିବାକୁ କୁହାଯାଇଥିଲା। କିନ୍ତୁ ସେ‌ତେବେଳେର ଏସିପି ବାସ୍ତୁଦୋଷ ଦର୍ଶାଇ ସେହି କାର୍ଯ୍ୟାଳୟକୁ ଯାଇ ନ ଥିଲେ। ତାଙ୍କ ପରେ ପରେ ଯେଉଁମାନେ ମଧ୍ୟ ଏସିପି ହେଲେ ସେମାନେ ମଧ୍ୟ କେହି ସେହି କାର୍ଯ୍ୟାଳୟକୁ ଯାଉ ନାହାନ୍ତି। କମିସନରେଟ ପୁଲିସର ଏଭଳି ବାସ୍ତୁ ଭୟ ଖବର ଜାଣିବା ପରେ ଅନେକ ଏହାକୁ ନାପସନ୍ଦ କରିଛନ୍ତି।

ତେବେ ଏ ସମ୍ପର୍କରେ ସଂପୃକ୍ତ ପୂର୍ବତନ ଏସିପିଙ୍କୁ ପଚାରିବାରୁ ସେ କହିଥିଲେ, ସେହି ସମୟରେ ପୁଲିସ ହାଉସିଂ କପୋର୍ରେସନ ପକ୍ଷରୁ ସେହି ବିଲ୍‌ଡିଂ କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇ ନ ଥିଲା। ସେହିପରି ସେହି ବିଲ୍‌ଡିଂକୁ ପାଣି ଓ ବିଦ୍ୟୁତ ସଂଯୋଗ ନ ଥିଲା। ତେଣୁ ସେ ସେହି କାର୍ଯ୍ୟାଳୟକୁ ଯାଇ ନ ଥିଲେ। ପରବର୍ତୀ ସମୟରେ ସହିଦନଗର ଥାନା ସମ୍ମୁଖ ଜାତୀୟ ରାଜପଥରେ ଓଭରବ୍ରିଜ ନିର୍ମାଣ ପରେ ବର୍ଷା ପାଣି ଥାନା ଓ ସେହି ବିଲ୍‌ଡିଂ ଭିତରକୁ ପଶୁଛି। ତେଣୁ ସେହି ବିଲଡିଂକୁ କେହି ଯାଉନାହାନ୍ତି।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ମୁଁ ଖୁବ ଶୀଘ୍ର ଏହି ଉପରେ ତର୍ଜମା କରିବି।

ସମ୍ବନ୍ଧିତ ଖବର