ନଳକୂଅରୁ ବାହାରୁଛି ଦୂଷିତ ପାଣି

ବାଲିପାଟଣା: ଫନି ମାଡ଼ରେ ବିପନ୍ନ ପରିବାର ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବା ବେଳେ ଏବେ ପ୍ରଚଣ୍ଡ ତାତି ସେମାନଙ୍କ ଦୁର୍ଦଶାକୁ ଦ୍ବିଗୁଣିତ କରିଛି। ବାତ୍ୟାରେ ଘର ଭାଙ୍ଗିଗଲା ପରେ କୌଣସି ମତେ ଜରି ପାଲ ଟାଣି ଲୋକେ ରହୁଛନ୍ତି। ଏଭଳି ସ୍ଥିତିରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା। ବିଭିନ୍ନ ଗ୍ରାମରେ ଏବେ ଲୋକଙ୍କୁ ପିଇବା ପାଣି ଚିନ୍ତା ଘାରିଛି। ଯେଉଁ ସରକାରୀ ନଳକୂଅ ରହିଛି ସେଥିରୁ ବାହାରୁଛି ଦୂଷିତ ପାଣି। ଉକ୍ତ ପାଣି ପିଇବା ଅନୁପଯୁକ୍ତ ହୋଇଛି। ଲୁଗା ଧୋଇବା ଓ ରୋଷେଇ କରିବା ମଧ୍ୟ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ ରାଜସ ପଞ୍ଚାୟତର ବାରହଳ ଗ୍ରାମ‌ରେ। ଲୋକମାନେ ପାଣି ପାଇଁ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ୧୬/୧୭ ପରିବାର ବାସ କରନ୍ତି। ବାତ୍ୟା ପରେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇନଥିବାରୁ ଲୋକେ ୨ଟି ସରକାରୀ ନଳକୂଅ ଉପରେ ନିର୍ଭର କରୁଛନ୍ତି। ମାତ୍ର ସେଥିରୁ ଲୌହଯୁକ୍ତ ଦୂଷିତ ପାଣି ବାହାରୁଥିବାରୁ ଏହା ପିଇବା ଓ ରୋଷେଇ କରିବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଉକ୍ତ ଗ୍ରାମର ସହିଦ ଖାଁଙ୍କ ନଳକୂପ ଏବେ ଗ୍ରାମବାସୀଙ୍କ ପାଇଁ ସାହାରା ପାଲଟିଛି ବୋଲି କହିଛନ୍ତି କଦିର ଖାଁ, ସହି ଖାଁ, ରଫିଜ ଖାଁ, ଓସିଦ ଖାଁ, ମଇନ ବେୱା ଓ ମୟୁରନ ବେୱା। ଗ୍ରାମବାସୀଙ୍କ କହିବା ମୁତାବକ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଗ୍ରା‌ମରେ ଥିବା ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇପଡ଼ିଛି। ଦୂଷିତ ପାଣି ବ୍ୟବହାର କରି ଦାନ୍ତରୋଗ, ପେଟରୋଗରେ ଆକ୍ରାନ୍ତ ହେବା ଭୟ ଘାରିଛି। ବାତ୍ୟା‌ର ୧୫ ଦିନ ପରେ ମଧ୍ୟ ବ୍ଲକ ପ୍ରଶାସନ ଗାଁକୁ ପାନୀୟ ଜଳ ଯୋଗାଣରେ ଫେଲ ମାରିଛି। ବାଲିପାଟଣା ବ୍ଲକରେ ମୋଟ ୧୪୯୨ଟି ନଳକୂଅ ରହିଛି। ସେଥିମଧ୍ୟରୁ ଅଧିକାଂଶରେ ଦୂଷିତ ପାଣି ବାହାରୁଛି। ପାଣି କିଛି ସମୟ ରହିଲେ ଏହାର ରଙ୍ଗ ବଦଳିଯିବା ସହ ସେଥିରେ ଏକ ତୈଳାକ୍ତ ଆସ୍ତରଣ ବସିଯାଉଛି। ତେଣୁ ତୁରନ୍ତ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ସୁନୀଲ କୁମାର ପାଢୀ କୁହନ୍ତି, ପାନୀୟ ଜଳ ସମସ୍ୟା ନେଇ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ।

ସମ୍ବନ୍ଧିତ ଖବର