ଭୁବନେଶ୍ବର: ବରମୁଣ୍ଡା ଖେଳପଡ଼ିଆରେ ଦିଶିବ ଅକ୍ଷର ଧାମ। ବରମୁଣ୍ଡା ଦୁର୍ଗାପୂଜା ସମିତି ୨୦ତମ ପୂଜାରେ ତୋରଣରେ ଏହି ଅନୁଭବ ଭେଟିଦେବ। ୭୫ ଫୁଟ ଉଚ୍ଚ ଓ ୧୨୦ ଫୁଟ ଦୀର୍ଘ ବିଶିଷ୍ଟ ଏହି ତୋରଣ ଫୋମ୍ରେ ପ୍ରସ୍ତୁତ କରାଯାଉଛି। କୋଲକାତାର ରାଜା ମଣ୍ଡଳଙ୍କ ନେତୃତ୍ବରେ ୩୫ଜଣ ଶିଳ୍ପୀ ଏହା ପ୍ରସ୍ତୁତ କରୁଛନ୍ତି। ମାର୍ଶାଘାଇର ସର୍ବେଶ୍ବର ବେହେରା ଓ ସାଥୀ ମା’ଙ୍କ ୧୬ ଫୁଟ ଉଚ୍ଚର ମୃଣ୍ମୟୀ ମୂର୍ତି ପ୍ରସ୍ତୁତିରେ ଲାଗିଥିବା ବେଳେ ୧୮ ଫୁଟର ମେଢ଼ ଶୋଭା ପାଇବ। ମା’ ରୁପା ମୁକୁଟ ଓ ରୁପା ପାଉଁଜି ପିନ୍ଧିବା ସହ ସୁନା ଟିକାରେ ସଜେଇ ହେବେ। ପୂଜା ବଜେଟ୍ ମୋଟ ୨୫ ଲକ୍ଷ ଟଙ୍କା ରହିଥିବା ବେଳେ କେବଳ ତୋରଣ ନିର୍ମାଣରେ ୧୫ ଲକ୍ଷ ଟଙ୍କା ବ୍ୟୟ ହେଉଛି।
ଏଥର ପ୍ଲାଷ୍ଟିକ୍କୁ ପୂଜା ମଣ୍ଡପ ଭିତରେ ପ୍ରବେଶ କରାଇ ଦିଆଯିବ ନାହିଁ। ପୂଜା ମଣ୍ଡପ ପକ୍ଷରୁ ବାଉଁଶ ପାତିଆ ଡାଲା ଯୋଗାଇ ଦିଆଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ଘୋଡ଼ାନାଚରୁ ଆରମ୍ଭ ହେବ। ସପ୍ତମୀରେ ଘୋଡ଼ାନାଚ ପରେ ଅଷ୍ଟମୀ ଓ ନବମୀରେ ଅର୍କେଷ୍ଟ୍ରା ପକ୍ଷରୁ ମେଲୋଡ଼ି ପରିବେଷଣ କରାଯିବ। ସଭାପତି ସମ୍ପାଦକଙ୍କ ସହ ଉପେନ୍ଦ୍ର ପାଇକରାୟ, ଅକ୍ଷୟ କୁମାର ପାଇକରାୟ, ବିଜୟ କୁମାର ସ୍ବାଇଁ ଓ ଅନ୍ୟ ସଦସ୍ୟବୃନ୍ଦ ସମ୍ପୂର୍ଣ୍ଣ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିବେ।
ପାର୍କିଂ ସୁବିଧା ମାଗଣା
ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପ ଓ ପଡ଼ିଆର କିଛି ସ୍ଥାନରେ ୧୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ପୁଲିସ ଓ ଅଗ୍ନିଶମ ବାହିନୀ ସମେତ ୧୦୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଅଘଟଣ ଏଡ଼ାଇବା ପାଇଁ ଫାୟାର ଏକ୍ସଟିଙ୍ଗୁଇସର ଖଞ୍ଜାଯିବ। ପାର୍କିଂ ପାଇଁ ପଡ଼ିଆ ଭିତରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ପଥ ଓ ହ୍ବିଲ୍ ଚେୟାରର ବନ୍ଦୋବସ୍ତ ହେବ।
-ରାମଚନ୍ଦ୍ର ରଣସିଂହ (ସଭାପତି)
ଜଳିବ ୬୦ ଫୁଟର ରାବଣ
ବରମୁଣ୍ଡା ଖେଳ ପଡ଼ିଆରେ ଏଥର ବି ରାବଣ ପୋଡ଼ି ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ୬୦ ଫୁଟର ରାବଣ ପ୍ରସ୍ତୁତି କରାଯାଉଛି। ବାଣ ସଂଯୋଗ ସହ ରାବଣ ପୋଡ଼ି ଦେଖିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ଦଶମୀ ଦିନ ରାବଣ ପୋଡ଼ି ସହ ନୃତ୍ୟ କାର୍ଯ୍ୟକ୍ରମରେ ବିଭୋର ହେବେ ଦର୍ଶକ।
-ରଂଜନ କୁମାର ସେଠୀ (ଯୁଗ୍ମ ସମ୍ପାଦକ)