ଲୁପ୍ତପ୍ରାୟ ଲୋକକଳାର ୫୨ତମ ସନ୍ଧ୍ୟା : ମଞ୍ଚରେ ପାରମ୍ପରିକ ‘ଦାସକାଠିଆ’

ଭୁବନେଶ୍ୱର : ପୌରାଣିକ କଥାବସ୍ତୁକୁ ନେଇ ସଂଗୀତ, ନୃତ୍ୟ ଓ ଅଭିନୟ ମାଧ୍ୟମରେ ଓଡ଼ିଆ ସଂସ୍କୃତିକୁ ପ୍ରତିଫଳନ କରି ପରିବେଷିତ ହେଉଥିବା ମନୋରଞ୍ଜନର ପାରମ୍ପରିକ ମାଧ୍ୟମ ‘ଦାସକାଠିଆ’ ବର୍ତ୍ତମାନ ଲୁପ୍ତପ୍ରାୟ। ଏହି ଲୁଚି ଯାଉଥିବା ଲୋକକଳାକୁ ଆଜି ରାଜଧାନୀ ମଞ୍ଚରେ ସ୍ଥାନ ଦେଇଛି ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌। ଆଜି ଭାରତୀୟ ବିଦ୍ୟାଭବନର ମୁନ୍‌ସୀ ହଲ୍‌ରେ ଲୁପ୍ତପ୍ରାୟ ଲୋକକଳାର ୫୨ତମ ସନ୍ଧ୍ୟା ଅବସରରେ ପ୍ରଦର୍ଶିତ ହୋଇଥିଲା ଦାସକାଠିଆ। ଗଞ୍ଜାମର ବେଲଗାଁର ଦାସକାଠିଆ ଶିଳ୍ପୀ ସଂଘର ସଭାପତି ଉପେନ୍ଦ୍ର ପାଣିଗ୍ରାହୀ ଓ ଗୋବିନ୍ଦ ଚନ୍ଦ୍ର ସାହୁ ବିନା ବାଦ୍ୟଯନ୍ତ୍ରରେ ଦୁଇ ଖଣ୍ଡ କାଠି ସହାୟତାରେ ନିଆରା ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦି, ପୂର୍ବତନ ଅବସରପ୍ରାପ୍ତ ପ୍ରଶାସକ ଦୁର୍ଗାଚରଣ ସାହୁ ଓ ଭାରତୀୟ ବିଦ୍ୟାଭବନ ନିର୍ଦ୍ଦେଶକ ପି କେ ସାହୁ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର