ଶିଶୁ ଶ୍ରମିକ ନିରୋଧ ଦିବସ : ଅନ୍ଧାରରେ କଟୁଛି ଶୈଶବ

ଭୁବନେଶ୍ୱର : ସରକାର ଗରିବ ପିଲାଙ୍କ ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ୍‌ର ସୁବିଧା କରିଛନ୍ତି। ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ମଧ୍ୟ ଗଠନ କରାଯାଇଛି। ହେଲେ ଏସବୁ ଖାଲି ଯାହା କାଗଜପତ୍ରରେ ରହି ଯାଉଛି। ରାଜଧାନୀର କେନ୍ଦ୍ରସ୍ଥଳରେ ଖୋଲାଖୋଲି ଭାବେ ଶିଶୁମାନେ ଶ୍ରମିକ ପାଲଟି ଯାଉଛନ୍ତି। ହୋଟେଲ୍‌ଠାରୁ ଆରମ୍ଭ କରି ଜରି ଗୋଟେଇବା, ଗ୍ୟାରେଜ୍‌ରେ କାମ କରିବା, ବାସନ ମାଜିବା, ମାଟି ଖୋଳାଠାରୁ ଆରମ୍ଭ କରି ରାସ୍ତାରେ ଝାଡ଼ୁ ମାରିବା ଭଳି କାର୍ଯ୍ୟରେ ଶିଶୁମାନେ ନିୟୋଜିତ ହେଉଥିବା ଦେଖାଯାଉଛି।

୨୦୧୧ ଜନଗଣନା ଅନୁଯାୟୀ, ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ ୪୦ କୋଟି ହେଉଛନ୍ତି ଶିଶୁ। ହେଲେ ଭାରତରେ ଏଭଳି କୌଣସି ରାଜ୍ୟ ନାହିଁ, ଯେଉଁଠି ଶିଶୁ ଶ୍ରମିକ ନାହାନ୍ତିି। ସର୍ବେକ୍ଷଣରୁ ମିଳିଥିବା ସୂଚନାନୁଯାୟୀ, ଦେଶରେ ୧୮ବର୍ଷରୁ କମ୍‌ ବୟସର ୨ କୋଟି ଶିଶୁ ବର୍ଷତମାମ ଶ୍ରମିକଭାବେ କାମ କରୁଥିବା ବେଳେ ୧୦.୮ମିଲିୟନ ଶିଶୁ ବର୍ଷର ୩ମାସରୁ ୬ମାସ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଭାରତର ୩୫ ଜିଲ୍ଲାରେ ୧୯ ପ୍ରତିଶତ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ପ୍ରତି ୮ମିନିଟ୍‌ରେ ଜଣେ ଶିଶୁ ନିଖୋଜ ହେଉଥିବା ସର୍ବେକ୍ଷଣ ରିପୋର୍ଟ କହୁଛି।

୧୯୯୭ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶରେ ହୋଇଥିବା ଶିଶୁ ଶ୍ରମିକ ସର୍ଭେରେ ଓଡ଼ିଶାରେ ୨,୧୪,୦୨୭ ଶିଶୁ ଶ୍ରମିକ ଥିବା ଜଣାପଡ଼ିଥିଲା। ଏହାପରେ ୨୦୦୭ରେ ଶ୍ରମ ବିଭାଗ ପକ୍ଷରୁ ୧୮ଜିଲ୍ଲାରେ ୪,୦୦୩୯୯ ଶିଶୁ ଶ୍ରମିକ ଚିହ୍ନଟ କରାଯାଇଥିଲା। ୨୦୦୭ ରୁ ୨୦୧୩ ମଧ୍ୟରେ ରାଜ୍ୟରେ ମାତ୍ର ୮୩୫ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟକ୍ଷେତ୍ରରୁ ଉଦ୍ଧାର କରାଯାଇଥିଲା।  ୨୦୧୪ରେ ୧୫୭ ଓ ୨୦୧୫ ଅକ୍ଟୋବର ସୁଦ୍ଧା ୨୧୯ଜଣଙ୍କୁ କାର୍ଯ୍ୟକ୍ଷେତ୍ରରୁ ଉଦ୍ଧାର କରାଯାଇଛି। ୨୦୧୪ ମସିହାରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ରାଜ୍ୟ ସରକାର ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ସଠିକ୍‌ କାର୍ଯ୍ୟକାରି ହୋଇପାରି ନାହିଁ।

ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ସହ ଏନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୨ ମସିହାରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ଜୁନ୍‌ ୧୨ ତାରିଖକୁ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ ଆରମ୍ଭ ହୋଇଥିଲା। ଆମ ଦେଶରେ ତଥା ରାଜ୍ୟରେ ଏହି ଦିବସ ପାଳନ ବାସ୍ତବ କ୍ଷେତ୍ରରେ କେତେ ପ୍ରଭାବ ପକାଇଛି ତାହା ଉପରୋକ୍ତ ତଥ୍ୟରୁ ବେଶ୍‌ ଜଣାପଡ଼ୁଛି। ଶିଶୁ ଶ୍ରମିକ ସମସ୍ୟା ବିରୋଧରେ କାମ କରୁଥିବା ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୁହନ୍ତି, ପ୍ରଥମେ ଶିଶୁ ଶ୍ରମିକ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ଦାରିଦ୍ର୍ୟ ନିରାକରଣ ଯୋଜନାରେ ସାମିଲ କରିବାର ଆବଶ୍ୟକତା ରହିଛି। ଏବେ ପ୍ରତ୍ୟକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଶିଶୁ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ଘରୋଇ ଭାବରେ ମଧ୍ୟ ଏହାର ଚିହ୍ନଟ ହେବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର