ଗଙ୍ଗୁଆ ନାଳରୁ ମୃତଦେହ ମିଳିବା ଘଟଣା : ଏବେ ବି ରହସ୍ୟରେ

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନ ଗଙ୍ଗୁଆ ନାଳରୁ ରାଜେଶ ଭଦ୍ର ନାମକ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାକୁ ଏକ ସପ୍ତାହ ବିତି ଗଲା। କିନ୍ତୁ ପୁଲିସ ଏଯାଏ ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରି ପାରିନାହିଁ। କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ଘଟିଲା, ମୃତଦେହ କେମିତି ଗଙ୍ଗୁଆ ନାଳକୁ ଆସିଲା ଏହାକୁ ନେଇ ଏବେ ବି ସାଧାରଣରେ କଳ୍ପନାଜଳ୍ପନା ଲାଗି ରହିଛି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ଭଉଣୀ ବିଜୟଲକ୍ଷ୍ମୀ ଅଦିତି ଭଦ୍ର ଓ ବାପା ନଗେନ ଭଦ୍ର ଅଭିଯୋଗ କରିଛନ୍ତି। ଯାହା ଘରକୁ ରାଜେଶ ଭୋଜି ଖାଇବାକୁ ଯାଇଥିଲେ, ସେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ସନ୍ଧ୍ୟାରେ ରାଜେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଓ କିଭଳି ମୃତ୍ୟୁ ହେଲା ତାହା ରିପୋର୍ଟରେ ସ୍ପଷ୍ଟ ହୋଇ ଯାଇଛି। କିନ୍ତୁ ପୁଲିସ ରିପୋର୍ଟ ସମ୍ପର୍କରେ କିଛି ବି ସୂଚନା ଦେଉ ନାହିଁ। ଅନ୍ୟପକ୍ଷରେ ରାଜେଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସ୍ମୃତିସଂଗୀତା ଭଦ୍ର ଓ ଦୁଇ ପୁଅ ଆରଏସ ଓଁକାର ଭଦ୍ର(୯) ଓ ଆରଏସ୍ ଅର୍ଣ୍ଣବ ଭଦ୍ର ତାଙ୍କୁ ଆଜି ପର୍ଯ୍ୟନ୍ତ ଖୋଜି ହେଉଛନ୍ତି। ବାପା ନଗେନ ମଧ୍ୟ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଲେଣି। ଦୈନିକ ଥାନାକୁ ଦୌଡ଼ି ଦୌଡ଼ି ମାନସିକସ୍ତରରେ ହତାଶ ହୋଇ ଗଲେଣି।

ଜୋନାଲ ଏସିପି କିଶୋର ମୁଣ୍ଡ କହିଛନ୍ତି ପୁଲିସ ରାଜେଶଙ୍କ ମୋବାଇଲ୍ ଫୋନ୍ କଲ୍‌ ଡିଟେଲ୍ସ ମଗାଇ ଯାଞ୍ଚ କରୁଛି। ରାଜେଶ ଯେଉଁମାନଙ୍କ ସହିତ କଥାବାର୍ତା ହୋଇଥିଲେ ସମସ୍ତଙ୍କୁ ପୁଲିସ ଥାନାକୁ ଡକାଇ ପଚରା ଉଚରା କରି ସାରିଲାଣି। ଏପରିକି ରାଜେଶଙ୍କ ପରିବାର ସନ୍ଦେହ କରୁଥିବା ବିକ୍ରମକୁ ମଧ୍ୟ ପୁଲିସ ଜେରା କରିଛି। ଘଟଣା ରାତିରେ ସେ ଯାଜପୁରରେ ଥିଲେ। ତଥାପି ତାଙ୍କ ଉପରେ ପୁଲିସ ନଜର ରଖିଛି। ଘଟଣା ରାତିରେ ରାଜେଶ ନିଜ ମାଜେଷ୍ଟ୍ରୋ ଗାଡ଼ିରେ ଚକେଇସିଆଣୀ ଗଣେଶ ମନ୍ଦିର ପାଖକୁ ଯାଇଥିଲେ। ସେଠାରେ ବସନ୍ତ ନାମକ ଜଣେ ଯୁବକଙ୍କ ଘରେ ତାଙ୍କ ଗାଡ଼ି ରଖି ଚାଲିଚାଲି ବିକ୍ରମଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ଏ ସମ୍ପର୍କରେ ରାଜେଶ ଘରକୁ ମଧ୍ୟ ଫୋନ୍ କରି ଜଣାଇଥିଲେ। କିନ୍ତୁ ପରବର୍ତୀ ସମୟରେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇ ଯାଇଥିଲା। ପରଦିନ ସେ ଘରକୁ ନ ଆସିବାରୁ ପରିବାର ଲୋକ ମଞ୍ଚେଶ୍ବର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ।

ଘଟଣା ରାତିରେ କ’ଣ କ’ଣ ଘଟିଥିଲା ପୁଲିସ ସେହି ଦିଗରେ ଅନୁସନ୍ଧାନ ଚଳାଇଛି। କାରଣ ରାଜେଶ ନିଜ ଗାଡ଼ି ବସନ୍ତଙ୍କ ଘରେ ରଖି ବିକ୍ରମଙ୍କ ଘରକୁ ଯାଇଥିଲେ ବୋଲି ପରିବାର ଲୋକ କହୁଛନ୍ତି, କିନ୍ତୁ ପୁଲିସ ତଦନ୍ତ କହିଛି ସେହି ରାତିରେ ବିକ୍ରମ ଭୁବନେଶ୍ବରରେ ନ ଥିଲେ। ଯଦି ବିକ୍ରମ ଭୁବନେଶ୍ବରରେ ନ ଥିଲେ ତେବେ ରାଜେଶ ସେ ଦିନ ଭୋଜି ଖାଇବାକୁ କାହା ଘରକୁ ଯାଇଥିଲେ ? ସେହି ବ୍ୟକ୍ତି ଜଣକ କିଏ ? ସେ ରାଜେଶଙ୍କ ଚିହ୍ନା ପରିଚିତ କି ? ଘଟଣା ପରଠାରୁ ବିକ୍ରମଙ୍କ ଘରେ ତାଲା କାହିଁକି ପଡ଼ିଛି ? ଏଭଳି କେତେକ ପ୍ରଶ୍ନ ରା‌ଜେଶଙ୍କ ପରିବାର ଲୋକଙ୍କ ମନରେ ଉଙ୍କି ମାରିବା ସହିତ ଘଟଣା ସନ୍ଦେହ ଭିତରକୁ ଟାଣିଛି।

ପୁଲିସ ପରିବାର ଲୋକଙ୍କୁ କହୁଛି, ଅତ୍ୟଧିକ ନିଶା ସେବନ କରି ରାଜେଶ ହୁଏତ କେନାଲକୁ ଖସି ପଡ଼ି ଥାଇ ପାରନ୍ତି। କିନ୍ତୁ ପୁଲିସର ଏଭଳି କଥାକୁ ରାଜେଶଙ୍କ ଭଉଣୀ ବିଜୟଲକ୍ଷ୍ମୀ ଅଦିତି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଭାଇ ୩ ମାସ ତଳୁ ନିଶା ସେବନ ଛାଡ଼ି ବାପାଙ୍କ ସହିତ ପରିବା ବ୍ୟବସାୟରେ ସହଯୋଗ କରୁଥିଲେ। ତାଙ୍କୁ କେହି ମଦରେ ବିଷ ମିଶାଇ ହତ୍ୟା କରିଛି ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି। କାରଣ ରାଜେଶଙ୍କର ସ୍ଥାନୀୟ ଚକେଇସିଆଣୀ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳର କେତେକ ଯୁବକଙ୍କ ସହିତ ସପ୍ତାହକ ତଳେ ଝଗଡ଼ା ହୋଇଥିଲା। ଏହି କାରଣରୁ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ବିଜୟଲକ୍ଷ୍ମୀ କହିଛନ୍ତି।

ଏସିପି ଶ୍ରୀ ମୁଣ୍ଡ୍‌ କହିଛନ୍ତି, ମୃତଦେହର କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। ଘଟଣା ଓ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ଜଣାପଡ଼ୁଛି। ପୁଲିସ ରାଜେଶଙ୍କ ମାଜେଷ୍ଟ୍ରୋ ଗାଡ଼ି ଓ ମୋବାଇଲ ଫୋନ୍ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହସ୍ତାନ୍ତର କରିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସମ୍ପର୍କରେ ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର କେପି ମିଶ୍ର କହିଛନ୍ତି, ସେ ଏବେ କଳିଙ୍ଗ ଷ୍ଟାଡିୟମ୍‌ରେ ଅଛନ୍ତି। ଥାନାକୁ ଗଲେ ଜଣାଇବେ। ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଏହି ଘଟଣା ଉପରେ ପୁଲିସ ନଜର ରଖିଛି। ଏକଦମ ଠିକ ଭାବେ ତଦନ୍ତ ଚାଲୁଛି। ସେ ନିଜେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି।

ପ୍ରକାଶଥାଉକି, ଚଳିତ ମାସ ୪ ତାରିଖରେ ମଞ୍ଚେଶ୍ବର ଥାନା ପୁଲିସ ଗଙ୍ଗୁଆ ନାଳରୁ ରାଜଶ ଭଦ୍ରଙ୍କ ମୃତଦେହକୁ ଜବତ କରିଥିଲା। ଏଯାଏ ଏହି ଘଟଣା ଉପରୁ ପୁଲିସ ରହସ୍ୟ ଉନ୍ମୋଚନ କରି ପାରିନାହିଁ।

ସମ୍ବନ୍ଧିତ ଖବର