କାର୍‌ ଭିତରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଭାଇ

ପୁରୁଣା ଭୁବନେଶ୍ୱର : ଆଜି ସକାଳୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଶ୍ରୀରାମ ନଗର ହନୁମାନ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ମୃତଦେହକୁ ଏକ କାର ଭିତରୁ ଜବତ କରିଛି। କେହି ତାଙ୍କୁ ନିର୍ମମ ଭାବେ ହତ୍ୟା କରି କାର୍ ଭିତରେ ଲକ୍ କରି ପଳାଇଥିବା ଚର୍ଚା ହେଉଛି। ମୃତ ମହିଳା ଜଣକ ହେଲେ ତନୁଜା ଆଇଚ। ଘର ଯାଜପୁର ଜିଳ୍ଲା ମଙ୍ଗଳପୁର ଥାନା ଅଧୀନ କଟିକଟା ଗ୍ରାମରେ। ଏଠାରେ ସେ ଧଉଳି ଥାନା ଅଧୀନରେ ରହୁଥିଲେ। ଗାଡ଼ି ଭିତରୁ ଖଣ୍ଡା, ଠେଙ୍ଗା, ଆପତ୍ତିଜନକ ସାମଗ୍ରୀ, ମହିଳାଙ୍କ ମନିପର୍ସ, ବ୍ୟାଗ୍, ଛୋଟ ପିଲାର ଚପଲ ଆଦି ଜବତ ହୋଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବ‌େଚ୍ଛଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ମହିଳାଙ୍କ ସ୍ବାମୀ ଫେରାର ହୋଇ ଯାଇଥିବାରୁ ପୁଲିସର ସନ୍ଦେହ ତାଙ୍କ ଉପରେ ବଢ଼ି ଯାଇଛି।

ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ ସଫାରି ଗାଡ଼ି (ଓଆର୦୨ଏଏମ୍୨୬୦୦) ରଖା ଯାଇଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତା ଦେଇ ମର୍ଣ୍ଣିଂ ୱାକ୍‌ କରୁଥିବା କେ‌ତେ‌କ ‌ଲୋକ ଏହା ଦେଖିଥିଲେ। ଗାଡ଼ିର ଆଗ ସିଟ୍‌ରେ ମୃତଦେହ ପଡ଼ିିରହିଥିଲା। ସ୍ଥାନୀୟ ଲୋକ ଏ ନେଇ ଶ୍ରୀଲିଙ୍ଗରାଜ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ କାର ଲକ୍ ଖୋଲିଥିଲା। ମହିଳାଙ୍କ ମୁଣ୍ଡ, କାନ ଓ ନାକରୁ ରକ୍ତ ଝରୁଥିଲା। ଗାଡ଼ିଟିର ଡାହାଣ ପାର୍ଶ୍ୱ ଦୁର୍ଘଟଣା ହେବା ଭଳି ଚେପା ହୋଇଥିଲା। ଦୁର୍ଘଟଣା ଭାବି ପୁଲିସକୁ ଲୋକମାନେ ଖବର ‌େଦଇଥିଲେ। ମହିଳାଙ୍କ ଭାଇଙ୍କ ଅଭିଯୋଗ ମୁତାବକ ତାଙ୍କୁ ପ୍ରଥମେ ହତ୍ୟା ଓ ପରେ ଦୁଘର୍ଟଣାର ରୂପ ଦିଆଯାଇଛି। ତନୁଜାଙ୍କ ସ୍ବାମୀ ସଂଗ୍ରାମ ଆଇଚ ହିଁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସେ ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ତନୁଜା, ଢେଙ୍କାନାଳ ଥାନା ଅଧୀନ ମରୁଦଙ୍ଗାର ସଂଗ୍ରାମ ଆଇଚଙ୍କୁ ୨୦୦୯ ଅକ୍ଟୋବର ୨୬ ବିବାହ କରିଥିଲା। ତାଙ୍କର ୫ବର୍ଷର ପୁଅ ରହିଛି। ତନୁଜା ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିଚାଳନା କରନ୍ତି। ତନୁଜାଙ୍କ ବିବାହ ବେଳେ ତାଙ୍କ ପରିବାର ଲୋକ ଯୌତୁକ ବାବଦରେ ନଗଦ ଲକ୍ଷେ ଟଙ୍କା ଓ ସୁନା ଗହଣା ଦିଆଯାଇଥିଲା। ତେବେ ସଂଗ୍ରାମଙ୍କ ପରିବାର ଲୋକ ଅଧିକ ଯୌତୁକ ଦାବି କରୁଥିଲେ। ଏନେଇ ତନୁଜାଙ୍କୁ ତାଙ୍କ ସ୍ବାମୀ, ନଣନ୍ଦ, ଦିଅର, ଶାଶୂ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ବାରମ୍ବାର ଝଗଡ଼ା ହେବା ସହ ଶ୍ରୀଲିଙ୍ଗରାଜ ଥାନା ଓ ଧଉଳି ଥାନାରେ ଅନେକ ଥର ସମାଧାନ ମଧ୍ୟ ହୋଇଛି। ଏଣୁ ଏହି ଯୌତୁକକୁ ନେଇ ତାଙ୍କ ସ୍ବାମୀ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସ୍ବାମୀ ସଂଗ୍ରାମ ରହୁଥିବା ଘରେ ପୁଲିସ ଆଜି ଚଢ଼ଉ କରିଥିଲେ ମଧ୍ୟ ତାଙ୍କୁ ପାଇ ନାହିଁ।

ସମ୍ବନ୍ଧିତ ଖବର