ଆମ୍ବୁଲାନ୍ସକୁ ଅପେକ୍ଷା କରି ଆଖି ବୁଜିଲେ

ଟାଙ୍ଗୀ (ଖୋର୍ଦ୍ଧା): ଆଶୁ ସ୍ୱାସ୍ଥ୍ୟସେବା ସମେତ ଆପଦକାଳୀନ ଜୀବନ ରକ୍ଷା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଛନ୍ତି। ମାତ୍ର ଏହି ସବୁ ବ୍ୟବସ୍ଥାର ସୁପରିଚାଳନା ଅଭାବରୁ ଜୀବନ ରକ୍ଷା ବଦଳରେ ରୋଗୀର ଜୀବନ ଯିବା ଭଳି ଅଘଟଣ ଦେଖିବାକୁ ମିଳୁଛି। ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଗରିବ ବେସାହାରା ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସକୁ ଦୀର୍ଘ ୩ଘଣ୍ଟା କାଳ ଅପେକ୍ଷା କରି ଶେଷରେ ମରଶରୀର ଧରି ଘରକୁ ଫେରିବା ଘଟଣା ଆଲୋଡ଼ନ ଆଣିଛି।

ସୂଚନାନୁଯାୟୀ, ଟାଙ୍ଗୀ ଥାନା ଅଧୀନ ନରମାନବୀ ଗ୍ରାମର ଅରି ପ୍ରଧାନଙ୍କ ପତ୍ନୀ ବୁଲି (୫୦)ଙ୍କୁ ଫୁସ୍‌ଫୁସ୍‌ ଜନିତ ରୋଗର ଚିକତ୍ସା ପାଇଁ ଗତକାଲି ସନ୍ଧ୍ୟାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ଆଜି ସକାଳ ସାଢ଼େ ୭ଟାରେ ଡାକ୍ତର ଏସ୍‌ ଏସ୍‌ ବେହେରା ବୁଲିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ କରିଥିଲେ। ଏ ସମ୍ପର୍କରେ ମଧ୍ୟ ୧୦୮ ଆମ୍ବୁଲାନ୍ସକୁ ଜରୁରୀ ସୂଚନା ଦିଆଯାଇଥିଲା। ମାତ୍ର ବୁଲି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୀର୍ଘ ୩ଘଣ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପାରିନଥିଲା। ଏହି ଅବସରରେ ଡା.ବେହେରା ବୁଲିଙ୍କୁୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ଘୋଷଣାର ପରେ ପରେ ହିଁ ଆମ୍ପୁଲାନ୍ସ ସେଠାରେ ପହଞ୍ଚିଥିଲା, ମାତ୍ର ଆଉ କାମରେ ନ ଆସିବା ଜାଣି ପୁଣି ଫେରିଯାଇଥିଲା। ଆଉ କାହା ପାଇଁ ଆମ୍ବୁଲାନ୍ସ ଆସିଥିଲା ବୋଲି ବୁଲିଙ୍କ ସମ୍ପର୍କୀୟମାନେ ପ୍ରଶ୍ନ କରିବା ସହ ଶେଷରେ ମୃତଦେହ ଧରି ଘରକୁ ଫେରିଥିଲେ।

ଉଲ୍ଲେଖଯୋଗ୍ୟ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରତ୍ୟହ ୧୬ନଂ ଜାତୀୟ ରାଜପଥର ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ଏବଂ ଜରୁରୀ ରୋଗୀ ସମେତ ଆଖପାଖ ୨୦ କିମି ବ୍ୟାସାର୍ଦ୍ଧର ରୋଗୀମାନେ ନିର୍ଭର କରିଥାନ୍ତି। ମାତ୍ର ଏଠାରେ ୧୦୮ ଭଳି ଆମ୍ବୁଲାନ୍ସ ସେବା ଉପଲବ୍ଧ ନାହିଁ। ଅପରପକ୍ଷେ, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ଆମ୍ବୁଲାନ୍ସ ସେବା ପହଞ୍ଚିବାରେ ବିଳମ୍ବ ହେଉଥିବା ସ୍ଥଳେ ତାହା ଆସିବା ପର୍ଯ୍ୟନ୍ତ ରୋଗୀର ଗୁରୁତର ସ୍ୱାସ୍ଥାବସ୍ଥାକୁ ସମ୍ଭାଳିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଅଛି ଉପକରଣ ନା କର୍ମଚାରୀ। ଆପଦ୍‌କାଳୀନ ସେବା ଯୋଗାଉଥିବା ସଂସ୍ଥା ସେମାନଙ୍କ ଦାୟିତ୍ୱ ଠିକ୍‌ରେ ତୁଲାଇଥିଲେ ଆଜି ବୁଲିଙ୍କ ସମ୍ପର୍କୀୟମାନଙ୍କୁ ଏଭଳି ଦୁର୍ଦ୍ଦିନ ଦେଖିବାକୁ ପଡ଼ିନଥାନ୍ତା ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର