ଆଖି ବୁଜିଲା ନନ୍ଦନକାନନର ରେବତୀ

ବାରଙ୍ଗ: ଆଜି ସକାଳ ପ୍ରାୟ ସାଢେ ୫ଟାରେ ନନ୍ଦନକାନନର ବାଘୁଣୀ ରେବତୀର ମୃତ୍ୟୁ ହୋଇ ଯାଇଛି। ରେବତୀକୁ ୧୮ ବର୍ଷ ବୟସ ହୋଇଥିଲା। ୧୯୯୯ ମସିହା ଜୁଲଇ ମାସ ୩ ତାରିଖରେ ନନ୍ଦନକାନନର ମହାବଳ ବାଘ ରୋହିତ ଔରସରୁ ଏବଂ ବାଘୁଣୀ ଶୈଳଜା ଗର୍ଭରୁ ଜନ୍ମ ଲାଭ କରିଥିବା ରେବତୀ ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲା। ସେ ଠକ୍‌ ଭାବେ ଖିଆ ପିଆ ନ କରି ଶୋଇ ରହୁଥିଲା। ତା’ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ୪ ଦିନ ତଳେ ନନ୍ଦନକାନନର ଭେଟେରିନାରୀ ସ୍ଥିତ ଆଇସିୟୁ ମଧ୍ୟକୁ ଆଣି ସେଠାରେ ତାର ଚିକିତ୍ସା କରାଯାଉଥିଲା। ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ପ୍ରତିଷେଧକ ଟିକା, ଆଣ୍ଟିଟ୍ରେସ୍‌ ଓ ସାଲାଇନ୍‌ ଦେଇ ଚିକିତ୍ସା କରୁଥିଲେ। ତେବେ ଗତ ମଙ୍ଗଳବାରଠାରୁ ତାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା ଏବଂ ଆଜି ସକାଳୁ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା। ରେବତୀର ମୃତ୍ୟୁ ପରେ ନନ୍ଦନକାନନର ବାଘ ସଂଖ୍ୟା ୨୪କୁ ହ୍ରାସ ପାଇଛି। ନନ୍ଦନକାନନରେ ବାଘମାନଙ୍କ ମଧ୍ୟରେ ୧୬ଟି ସାଧାରଣ ନାଲି ରଙ୍ଗର ଓ ୮ଟି ଧଳା ରଙ୍ଗର ବାଘ ଅଛନ୍ତି। ଏମାନଙ୍କ ମଧ୍ୟରେ ସମାନ ସଂଖ୍ୟକ ୧୨ଟି ଲେଖାଏଁ ମହାବଳ ବାଘ ଓ ବାଘୁଣୀ ଅଛନ୍ତି।

ସମ୍ବନ୍ଧିତ ଖବର