ସହିଦଙ୍କ ପାଇଁ ସମର୍ପିତ ସହିଦ ନଗର

ଭୁବନେଶ୍ୱର: ଏଇ ହାତୀ ଆଇଲା… ପାଣି ପିଇଲା…। ମହତାବଙ୍କ ଅମଳରେ ସାରା ରାଜଧାନୀ ଯେବେ ଏକାମ୍ର କାନନ ଭାବେ ପରିଚିତ ଥିଲା ସେବେ ହାତୀ ଓ ହିଂସ୍ରଜନ୍ତୁଙ୍କୁ ଦାଉରେ ଏମିତି ସଂଶୟ ଖେଳି ଯାଉଥିଲା। ଧୀରେଧୀରେ ରାଜଧାନୀ ୟୁନିଟ୍‌-୧-୨-୩-୪ ହେଇ ଗଢ଼ି ଉଠୁଥିଲା ବେଳେ ଆରମ୍ଭ ହେଲା ନଗରର ପରିକଳ୍ପନା। ୧୯୬୦ କି ୬୧ ହେବ। ଭୁବନେଶ୍ୱରର ଲୋକସଂଖ୍ୟା ପାଖାପାଖି ୧୦ ହଜାର ଥାଏ। ସଚିବାଳୟ ରାଜଧାନୀକୁ ଉଠି ଆସିବା ପରେ ଅନେକ ଚାକିରିଆଙ୍କ ବଦଳି ହୋଇଯାଇଥିଲା ଏଇ ସହରକୁ। ଏଠିକୁ ବଦଳି ହୋଇ ଆସିବା ପରେ ଜଙ୍ଗଲ ଭିତରଟାରେ ରହିବାରୁ କଳାପାଣି ଦଣ୍ଡ ଭଳି ଲାଗିଥିଲା ବୋଲି କୁହନ୍ତି ୧୯୫୩ରୁ ଭୁବନେଶ୍ୱରରେ ରହି ଆସୁଥିବା ସହିଦନଗରର ୪ର୍ଥ ବାସିନ୍ଦା ତଥା ସହିନଗରର ପ୍ରଥମ ସଭାପତି କୁଞ୍ଜକିଶୋର ରଥ। ତାଙ୍କ କହିବା ମୁତାବକ, ସେତେବେଳେ ଆମ ଭଳି କିଛି ଚାକିରିଆ ଏହି ସହରକୁ ନାଁ ଦେଇଥିଲେ ଗୋଲାମ ନଗର। ତେବେ କର୍ମକୁ ଆଦରି ପଡ଼ି ରହିବା ଭିତରେ ‘ସରକାର କ୍ୟାପିଟାଲ୍‌ ହାଉସିଂ କୋ-ପରେଟିଭ୍‌ ସୋସାଇଟି’ ଗଢ଼ିଲେ। ଯୋଉ ୪ ଜଣ ଏହି ସୋସାଇଟିରେ ୧୦ ଟଙ୍କା ଦେଇ ସଭ୍ୟ ହେଲେ ସେମାନଙ୍କୁ ଏହି ସହିଦ ନଗରରେ ଖଣ୍ଡେଖଣ୍ଡେ ଜାଗା ଦିଆଗଲା। ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଥିବା ବେଳେ ସହିଦଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ସ୍ୱରୂପ ସାଧାରଣ ପ୍ରଶାସନ ବିଭାଗ ଏହି ଅଞ୍ଚଳକୁ ସହିଦ ନଗର ନାଁ’ରେ ନାମିତ କରିଥିବା କରିଥିଲେ ବୋଲି ଶ୍ରୀ ରଥ ସୂଚନା ଦେଇଥିଲେ। ଏଠାରେ ପ୍ରଥମେ ଏନ୍‌ଏନ୍‌ ଦେ ନାମକ ଜଣେ ବ୍ୟକ୍ତି ପ୍ଲଟ୍‌ ନେଇ ଘର କରିଥିଲେ। ପରେ ଏସ୍‌ଏନ୍‌ ପରିଡ଼ା,  ଡ.ଏନ୍‌ସି ପଣ୍ଡା, ଶରତ ଚନ୍ଦ୍ର ରଥ ପ୍ଲଟ୍‌ ନେଇ ଏଇଠି ଘର ତୋଳିଥିଲେ। ଧୀରେଧୀରେ କଳେବର ବଢ଼ିଲା। ସହିଦନଗରର ପ୍ରଥମ ପ୍ଲଟ୍‌ ଥିଲା ୩୧୩। କିନ୍ତୁ ଘର ତିଆରି କରିବା ଭିତରେ କେତେଥର ହାତୀକୁ ଦେଖି ଶଙ୍କା ପାଇ ଲେଉଟିଯିବାକୁ ପଡ଼ିଛି ବୋଲି କୁହନ୍ତି ଅନ୍ୟତମ ଆଦ୍ୟ ବାସିନ୍ଦା ଧୃବାନନ୍ଦ ସ୍ୱାଇଁ। ୨ ବର୍ଷ ଯାଏଁ ଡିବିି ଆଲୁଅ ହିଁ ଥିଲା ସାହା ଭରସା।

ପିଲାମାନଙ୍କୁ ପଢ଼ାଇବା ପ୍ରସଙ୍ଗ ଉଠିବାରୁ ୧୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଭଡ଼ା ଘରେ ସ୍କୁଲ୍‌ଟିଏ ଖୋଲିଲେ ଶ୍ରୀ ରଥ ଓ ତାଙ୍କର ସହଯୋଗୀ। ତେବେ ସ୍କୁଲ୍‌ ପାଇଁ ଅତିକମ୍‌ରେ ୩୩ ଜଣ ପିଲା ଦରକାର ଥିଲେ ହେଁ ମାତ୍ର ୨୨ ଜଣ ପିଲାଙ୍କୁ ସେମାନେ ଯୋଗାଡ଼ କରିପାରିଥିଲେ। ପରେ ସୁଭଦ୍ରା ମହତାବ ବିଧାୟିକା ଥିବା ସମୟରେ ସେ ସ୍କୁଲ୍‌ ଘର ପାଇଁ ୨୨ ହଜାର ଟଙ୍କା ମଂଜୁର କଲେ। ଯାହାର ଫଳ ସ୍ୱରୂପ ସହିଦନଗର ପ୍ରାଥମିକ ବିଦ୍ୟାଳୟ ଗଢ଼ି ଉଠିଥିଲା। ପିଲାମାନଙ୍କ ପଢ଼ିବା ପାଇଁ ଆଉ ସମସ୍ୟା ରହିଲାନି। ସ୍କୁଲ୍‌ ପ୍ରତିଷ୍ଠା ହେବା ପରେ ଏଠାରେ ପ୍ଲଟ୍‌ ନେବା ପାଇଁ ଆଗ୍ରହ ବଢ଼ିବାକୁ ଲାଗିଲା। ବର୍ତମାନ ମଧ୍ୟ ଏହି ସ୍କୁଲ୍‌ ଦଣ୍ଡାୟମାନ ହୋଇଛି। ଏଇଠି ପାଠ ପଢ଼ିଥିବା ବହୁ ପିଲା ସଂପ୍ରତି ବଡ଼ବଡ଼ ପଦବିରେ ଅବସ୍ଥାପିତ ହୋଇପାରିଛନ୍ତି। ତେବେ ଏଠି ଆଉ ପୂର୍ବ ଭଳି ସ୍ଥିତି ନାହିଁ।

ଯେବେ ନଗର ଗଢ଼ି ଉଠିଲା, ସେତେବେଳେ କିଣାକିଣି ପାଇଁ ଏକମାତ୍ର ଭରସା ଥିଲା ଲିଙ୍ଗରାଜ ହାଟ। ସହିଦନଗର ବାସିନ୍ଦା ସେତେେବେଳ ଲୁଗାପଟା କିଣାକିଣି ପାଇଁ ଲିଙ୍ଗରାଜ ହାଟକୁ ଯିବାକୁ ବାଧ୍ୟ ହେଉଥିଲେ। ସେହିଭଳି ଖଣ୍ଡଗିରିରୁ ଶିଳ ଚକି କିଣା ହେଉଥିବା ବେଳେ ସଉଦା ପାଇଁ ବାପୁଜୀ ନଗର ଟ୍ରେନ୍‌ ଲାଇନ୍‌ କଡ଼ ସାପ୍ତାହିକ ହାଟ ବାରିକୁ ଅପେକ୍ଷା କରିବାକୁ ପଡ଼ୁଥିଲା। ଆଜି ମାର୍କେଟ୍‌ ହବ୍‌ ଭାବେ ପରିଚିତ ସହିଦନଗରର ପ୍ରଥମ ବ୍ୟବସାୟସ୍ଥଳ ଥିଲା ଦୁର୍ଗା ଦେବୀ ଷ୍ଟୋର୍‌। ପରେ ଗଢ଼ି ଉଠିଲା ପ୍ରତିଷ୍ଠିତ ହୋଟେଲ୍‌, ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପ୍ରତିଷ୍ଠିତ ମେଡିକାଲ୍‌। ୫-୬ଟି ପରିବାରରୁ ଆରମ୍ଭ ହୋଇଥିବା ସହିଦନଗରର ଲୋକ ସଂଖ୍ୟା ଏବେ ହାରାହାରି  ୫୦ ହଜାର ଟପିଲାଣି। ସେଦିନ ଡରିଡରି ବଞ୍ଚୁଥିବା ଲୋକଙ୍କ ଭିତରେ ଅନେକ ଆଉ ଇହ ଧାମରେ ନାହାନ୍ତି, ମାତ୍ର ତାଙ୍କ ପରିକଳ୍ପିତ ଗୋଲମ ନଗରୀରେ ସହିଦ ନଗରର ଆଖି ଖୋଲିଥିବା ମଣିଷମାନଙ୍କ ଅବଦାନକୁ ଅସ୍ୱୀକାର କରିହେବ ନାହିଁ। ପରେ ସହିଦନଗର ହାଟ ଗଢ଼ି ଉଠିଥିବା ବେଳେ ଏବେ ଏହା ରାଜଧାନୀର ଆଇଟି ମାର୍କେଟ୍‌ ଭାବେ ଖୁବ୍‌ ପରିଚିତ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆଇଟି ସାମଗ୍ରୀ କିଣିବା ପାଇଁ ଏଇଠିକୁ ହିଁ ଲୋକଙ୍କ ସୁଅ ଛୁଟେ। ସେତେବେଳେ ଏଠାରେ ପ୍ଲଟ୍‌ ନେବା ପାଇଁ ଲୋକଙ୍କୁ ଖୋସାମତ କରିବାକୁ ପଡ଼ୁଥିବା ବେଳେ ଆଜି ଏଠାରେ ଜାଗାଟିଏ ପାଇବା ସ୍ୱପ୍ନ। ରାଜଧାନୀର କେନ୍ଦ୍ରରେ ଅବସ୍ଥିତି ଦୃଷ୍ଟିରୁ ଯାହାର ଏଠି ଜାଗା ଅଛି ତା’ର ଦୋକାନ ଘରଟେ ନିଶ୍ଚେ ଅଛି।

ସହିଦ ନଗରରେ ସବୁ ସୁବିଧା ଗୋଟିଏ ଜାଗାରେ

ସହିଦ ନଗର କଲ୍ୟାଣ ମଣ୍ଡପ ନିକଟରେ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ସର୍ଭିସ୍‌ ସେଣ୍ଟର୍‌ର ନିର୍ମାଣ ଆରମ୍ଭ ହୋଇଛି। ଏଠାରେ ଲୋକଙ୍କୁ ସମସ୍ତ ପ୍ରକାରର ଜନ ସୁବିଧା ଉପଲବ୍ଧ ହେବ। ଗୋଟିଏ ସ୍ଥାନରେ ସବୁ ପ୍ରକାରର ସୁବିଧା ଯେପରି, ସ୍ୱାସ୍ଥ୍ୟ ସେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିଲାଙ୍କ ପାଇଁ କ୍ରେଜ୍‌ ଓ ପାର୍କ, ବିଭିନ୍ନ ବିଲ୍‌ ପୈଠ ପାଇଁ ଅନଲାଇନ୍‌ ସେବା କେନ୍ଦ୍ର, ଶତାଧିକ ପୁସ୍ତକକୁ ନେଇ ପାଠାଗାର ଆଦି ଉପଲବ୍ଧ ହେବ। ଏହାବାଦ୍‌ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏଥିପାଇଁ ୨.୯୯କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଏହା ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଶେଷ ହେବ ବୋଲି ଟାର୍ଗେଟ ରହିଛି।

୨୫୬ କାର୍‌ ରହିବା ପାଇଁ ବହୁତଳ କାର୍‌ ପାର୍କିଂ

ସହିଦନଗରରେ ଦୁର୍ଗା ପୂଜା ପଡ଼ିଆ ନିକଟରେ ଆରମ୍ଭ ହୋଇଛି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା। ଡିସେମ୍ବର ୨୭, ୨୦୧୭ରୁ କାମ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ଡିସେମ୍ବର ୨୬ରେ ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ଯୋଜନା ହୋଇଛି। ଏଥିପାଇଁ ୨୮.୮୭କୋଟି ଖର୍ଚ୍ଚ ହେବ। ଏହି ବହୁତଳ କାର୍‌ ପାର୍କିଂ ନିର୍ମାଣ ହେଲେ ବାଣୀବିହାରରୁ ରୁପାଲି ଛକ ମଧ୍ୟରେ, ସହିଦନଗର ଅଞ୍ଚଳରେ ପାର୍କିଂ ସମସ୍ୟା ରହିବନି। ଏଠାରେ ୦.୭୦ଏକର ଜମିରେ ୧,୦୦,୧୪୯ ବର୍ଗଫୁଟର ଏହି ପାର୍କିଂସ୍ଥଳୀ ନିର୍ମାଣ ହେବ। ଏଥିରେ ୨୫୬ଟି କାର୍‌ ପାର୍କିଂ ବ୍ୟବସ୍ଥା ରହିବ। ଏହା ଜି ୨+୪ ହେବ। ବେସମେଣ୍ଟରେ ଦୁଇ ମହଲା ରହିବ। ପ୍ରଥମ ତିନି ମହଲା ପାର୍କିଂ ପାଇଁ ରହିବ। ବାକି ଦୁଇ ମହଲା ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର ହେବ।

ସମ୍ବନ୍ଧିତ ଖବର