ପୁଣି ବୁଡ଼ିଲା ଭୁବନେଶ୍ୱର, ହଜାର ହଜାର ଲୋକ ଜଳବନ୍ଦୀ

ଭୁବନେଶ୍ୱର:ଗତ ୧୬ ତାରିଖ ଦିନ ଲଗାଣ ବର୍ଷରେ ଭୁବନେଶ୍ୱର ସହର ବୂଡ଼ିଥିଲା। ସେତେପେଳେ ବିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ପମ୍ପ ଯୋଗେ ବ୍ୟବସ୍ଥା କରାଯାଇଥିଲା। ଏହାର ୪ ଦିନ ପରେ ପୁଣି ଥରେ ଆହୁରି ଭୟଙ୍କର ହୋଇଛି ଭୁବନେଶ୍ୱରର ଜଳବନ୍ଦୀ ଅବସ୍ଥା। ସହରରଏ ମୁଣ୍ଡରୁ ଆରମ୍ଭ କରି ସେ ମୁଣ୍ଡ ଯାଏ ସବୁଆଡ଼େ ଜଳବନ୍ଦୀର କରୁଣ ଚିତ୍ର। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି ମୁଷଳ ଧାରାରେ ବର୍ଷା । ଆଉ ଏହି ବର୍ଷା ଯୋଗୁଁ ଭୁବନେଶ୍ୱରରେ କେଉଁଠି ଘର ଭିତରେ ପାଣି ପଶିଗଲାଣି ତ କେଉଁଠି ରାସ୍ତା ବୁଡ଼ି ଯାଇଥିିବାରୁ ଲୋକେ ପଦାକୁ ବାହାରି ପାରୁ ନାହାଁନ୍ତି। ରାତିରେ ଶୋଇଥିବା ଲୋକେ ସକାଳୁ ଉଠିଲା ବେଳକୁ ଘରେ ପାଣି ପଶିଥିବା ଦେଖିବାକୁ ପାଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ସହରର ପୁରୁଣା ଭୁବନେଶ୍ୱର ଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ଡମାଣାଯାଏ. ଏପଟେ ରସୁଲଗଡ଼, ପଳାଶୁଣି ଠାରୁ ଆରମ୍ଭ କରି ଜୟଦେବ ବିହାର, ନୂଆପଲ୍ଲୀ ସବୁ ଅଞ୍ଚଳରେ ବର୍ଷା ପାଣିକୁ ନେଇ ଭାଳେଣି। ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା ରାତି ୨ଟା ପର ଠାରୁ ବଢ଼ିବା ସହିତ ସମଗ୍ର ଭୁବନେଶ୍ୱରକୁ ଜଳାର୍ଣ୍ଣବ କରି ଦେଇଛି। ଜୟଦେବ ବିହାର ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିବା ବେଳେ ନୟାପଲ୍ଲୀ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଜାତୀୟ ରାଜପଥର ଇସ୍କନ ମନ୍ଦିର ପାଖରେ ବର୍ଷାଜଳ ଠିକ୍‌ ଭାବେ ନିଷ୍କାସନ ହୋଇ ପାରୁ ନ ଥିବାରୁ ସେଠାରେ ସମୁଦ୍ର ଭଳି ଅବସ୍ଥା ଭୁବନେଶ୍ୱରର କଦର୍ଯ୍ୟ ଚିତ୍ରକୁ ବଖାଣୁଛି।

ସେହିପରି ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଗନ୍ନାଥନଗର ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଉବୁଟୁବୁ। ଜଗନ୍ନାଥନଗରର ଓ ଝାରପଡ଼ାକୁ ସଂଯୋଗ କରୁଥିବା ଏକ ନମ୍ବର ରୋଡ୍‌ ଉପରେ ପ୍ରାୟ ଅଣ୍ଟାଏ ଉଚ୍ଚର ପାଣି। ସେହିପରି ଜଗନ୍ନାଥନଗର – ପାଣ୍ଡରା ରାସ୍ତାର ବାଳିଆପଟା ବସ୍ତି ସମ୍ମୁଖ ରାସ୍ତାରେ ପ୍ରାୟ ୩ ଫୁଟ୍‌ର ପାଣି ଯୋଗୁଁ ସେହି ରାସ୍ତାରେ ଗାଡ଼ି ଚଳାଚଳ ଏକ ରକମ ବନ୍ଦ। ଏତଦ୍‌ବ୍ୟତୀତ ନିଗମାନନ୍ଦ ନଗର ରୋଡ୍‌ ନମ୍ବର ୧, ରୋଡ୍‌ ନମ୍ବର -୨ରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଯୋଗୁଁ ଲୋକେ ବାହାରକୁ ବାହାରି ପାରୁ ନାହାଁନ୍ତି।

ସେହିପରି ମହାଦେବନଗରର ଆଶୀର୍ବାଦବିହାରର ରାସ୍ତା ଉପରେ ୩ ଫୁଟ୍‌ ପାଣି ଯୋଗୁଁ ଲୋକେ ଜଳବନ୍ଦୀ।ଏଭଳି ପରିସ୍ଥିତିରେ ଲୋକେ କଣ କରିବେ ତାହା ସ୍ଥିର କରି ପାରୁ ନାହାଁନ୍ତି। ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ଅଧପନ୍ତରିଆ, ଡ୍ରେନ ସଫା ହୋଇ ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ଏପରି କଦର୍ଯ୍ୟ ଅବସ୍ଥା ସୃଷ୍ଟି କରିଛି। ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଜରୁରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର