ଗର୍ଭପାତ ସମୟସୀମା ୨୪ ସପ୍ତାହକୁ ବୃଦ୍ଧି ହେଉ

ଭୁବନେଶ୍ବର: ଗର୍ଭପାତ ଆଇନ ସମ୍ବନ୍ଧରେ ସଚେତନତା ଅଭାବ ଏବଂ ନିୟମକୁ ଜଳାଞ୍ଜଳି ଦେଇ ଅସୁରକ୍ଷିତ ଗର୍ଭପାତ ଯୋଗୁଁ ମହିଳାମାନେ ଘୋର ବିପଦରେ ପଡ଼ୁଛନ୍ତି। ଭାରତରେ ୫୦ ପ୍ରତିଶତ ବେଆଇନ ଗର୍ଭପାତ ହେଉଛି। ଅସୁରକ୍ଷିତ ଗର୍ଭପାତ ଯୋଗୁଁ ହିଁ ୮ ପ୍ରତିଶତ ମା’ ଅକାଳରେ ପ୍ରାଣ ହରାଉଛନ୍ତି। ଓଡ଼ିଶା ମାତୃ ମୃତ୍ୟୁହାରରେ ୪ର୍ଥ ସ୍ଥାନରେ ପହଞ୍ଚିଲାଣି।

ସୂଚନାଯୋଗ୍ୟ ଗର୍ଭପାତ ଅଧିନିୟମ ମୁତାବକ, ବିବାହିତ ଅବା ଅବିବାହିତ ଯେକୌଣସି ମହିଳା ୨୦ ସପ୍ତାହ ପରେ ଗର୍ଭପାତ କରିବାକୁ ହେଲେ ନ୍ୟାୟାଳୟର ଆଶ୍ରୟ ନେବାକୁ ପଡ଼ିବ ବୋଲି ନିୟମ ରହିଛି। କିନ୍ତୁ ୨୦ ସପ୍ତାହ ମଧ୍ୟରେ ଜଣେ ନିଜର ଗର୍ଭଧାରଣ ସମ୍ବନ୍ଧରେ ପରିପକ୍ବ ଭାବେ ଉପଲବ୍ଧି କରିନଥାଇପାରେ କିମ୍ବା ଅନେକ ଜିଲ୍ଲାରେ ଗର୍ଭପାତ ପାଇଁ ସ୍ବତନ୍ତ୍ର ଭାବେ ସରକାରଙ୍କ ପଞ୍ଜୀକୃତ ଚିକିତ୍ସାନୁଷ୍ଠାନ ନଥିବା କାରଣରୁ ଏହା ବିଳମ୍ବ ହେଉଛି। ତେଣୁ ଗର୍ଭପାତ ସମୟକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଶର୍ମିଷ୍ଠା ଚୌଧୁରୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ୨୦୧୭ରୁ ନ୍ୟାୟାଳୟର ରାୟ ସତ୍ତ୍ବେ ରାଜ୍ୟସଭାରେ ଅଟକି ରହିଥିବାରୁ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ‘କ୍ଲାପ୍‌’ ଅନୁଷ୍ଠାନର ସଭାପତି ଡ. ବିକାଶ ଦାସ ଦାବି କରିଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ବୋଲି ଡ. ଦାସ କହିଛନ୍ତି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଗର୍ଭପାତ ପାଇଁ ସ୍ବତନ୍ତ୍ର ଭାବେ ପଞ୍ଜୀକୃତ ଚିକିତ୍ସାନୁଷ୍ଠାନ ଏତେ ସଂଖ୍ୟାରେ ନଥିବାରୁ କେଉଁ ହସ୍ପିଟାଲ୍‌, କେଉଁ ଜିଲ୍ଲାରେ ଏଥିପାଇଁ ପଞ୍ଜୀକୃତ ହୋଇଛନ୍ତି ସେ ବାବଦରେ ୱେବ୍‌ସାଇଟ୍‌ରେ ତଥ୍ୟ ରଖାଯାଉ ବୋଲି ଡ. ଦାସ କହିଛନ୍ତି। ଡାକ୍ତର ସେବା ମହାପାତ୍ର କିନ୍ତୁ ଗର୍ଭପାତ କରିବା ଅପେକ୍ଷା ଗର୍ଭନିରୋଧକ ପଦ୍ଧତିକୁ ଆପଣେଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ସମାଜସେବୀ ଶୁଭଶ୍ରୀ ଦାସଙ୍କ କହିବା ଅନୁଯାୟୀ, ଅନେକ ଭାବନ୍ତି କେବଳ ବିବାହିତ ଦମ୍ପତି ହିଁ ଗର୍ଭପାତ କରିପାରିବେ। ଫଳରେ ଅନେକ ଲୋକଲଜ୍ଜା ଭୟରେ ଶେଷ ମୁହୂର୍ତରେ ଗର୍ଭପାତ କରିବାକୁ ଆସି ବହୁ ସମସ୍ୟା ଭୋଗନ୍ତି। ତେଣୁ ଏ ବାବଦରେ ମଧ୍ୟ ସଚେତନତାର ଆବଶ୍ୟକତା ରହିଛି। କ୍ଲାପ୍‌ ପକ୍ଷରୁ ରୋଟାରି ଭବନରେ ଏ ସମ୍ପର୍କରେ ସୂଚନା ଦିଆଯିବା ଅବସରରେ ଜସ୍ମିନ୍‌ ମଲ୍‌ ଓ ପୁରୁଷୋତ୍ତମ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର