ନୂଆପଲ୍ଲୀ : କଲ୍ୟାଣ ମଣ୍ଡପ ଜାଗାରେ କୋଠା ନୁହଁ, ପାର୍କ କର

ଭୁବନେଶ୍ବର : ସହରର ସର୍ବପୁରାତନ ନୂଆପଲ୍ଲୀ କଲ୍ୟାଣ ମଣ୍ଡପ ଭାଙ୍ଗିବା ପରେ ସେହି ସ୍ଥାନରେ ସରକାରଙ୍କ ପକ୍ଷରୁ ୬ ମହଲା ବିଶିଷ୍ଟ କୋଠା ନିର୍ମିତ ହେବାକୁ ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ବିରୋଧ କରିଛନ୍ତି। କୋଠା ବଦଳରେ ସେଠାରେ ଆବଶ୍ୟକ ହେଉଥିବା ସର୍ବସାଧାରଣ ଉଦ୍ୟାନ ତଥା ପାର୍କ କରିବାକୁ ଦାବି କରାଯାଇଛି। ଶ୍ରୀ ମହାବୀର ସାମାଜିକ ସଂଗଠନ, ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘ, କସ୍ତୁରି ମିହଳା ସଂଗଠନ ଏବଂ ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ର ପକ୍ଷରୁ ଆ‌ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଞ୍ଚଳବାସୀ ଏହି ଦାବି ଉଠାଇଛନ୍ତି। ପୂର୍ବରୁ ଏହି କଲ୍ୟାଣ ମଣ୍ଡପକୁ ସମ୍ପୃକ୍ତ ଅଞ୍ଚଳରୁ ନ ଭାଙ୍ଗିବା ପାଇଁ ଦାବି କରାଯାଇଥିଲା। ମାତ୍ର ସରକାର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଣଦେଖା କରି ବଳ ପ୍ରୟୋଗ କରି ସର୍ବପୁରାତନ କଲ୍ୟାଣ ମଣ୍ଡପକୁ ଭାଙ୍ଗି ଦେଇଥିଲେ। ମଣ୍ଡପ ଭଙ୍ଗାଯିବା ପରେ ଏହି ସ୍ଥାନରେ ଏକ ଉଦ୍ୟାନ କରିବା ପାଇଁ ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ, ବିଏମ୍‌ସି କମିସନର, ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ମାତ୍ର ଏଠାରେ ସରକାର ୬ ମହଲା ବିଶିଷ୍ଟ କୋଠା କରିବା ପାଇଁ ଯାଉଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ଆମେ ଏହାର ପ୍ରତିବାଦ କରୁଛୁ ବୋଲି ନୂଆସାହି ମହାବୀର ସାମାଜିକ ସଂଗଠନର ମିଲନ କୁମାର ପାଇକରାୟ କହିଛନ୍ତି। ଯଦି ଏଠାରେ ଉଦ୍ୟାନ ବଦଳରେ କୋଠା ନିର୍ମାଣ କରାଯାଏ ତେବେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଅବସରରେ ସ୍ଥାନୀୟ ମୁରବିମାନଙ୍କ ସହ ମହିଳା, ସ୍ବେଚ୍ଛାସେବୀ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର