ଦଳିତଙ୍କ ପାଇଁ ସ୍ୱତନ୍ତ୍ର ଜୁଡିସିଆଲ କୋର୍ଟ ଗଠନ ହେଉ

ଭୁବନେଶ୍ୱର : ବର୍ତମାନ ଦଳିତ ମାରଣନୀତି ବଢ଼ି ଚାଲିଛି। ଆଟ୍ରୋସିଟି ଆଇନରେ ଦଳିତମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ଜୁଡିସିଆଲ କୋର୍ଟ ସ୍ଥାପନ ପାଇଁ ଦାବି କରିଛି ଅନୁସୂଚିତ ଜନଜାତି/ଜାତି, ସଂଖ୍ୟାଲଘୁ, ପଛୁଆ ବର୍ଗ ଏକତା ପରିଷଦ।

ଆଜି ପରିଷଦ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପରିଷଦର ମହାସଚିବ ସୁନାକର ବେହେରା କହିଲେ, କେନ୍ଦ୍ର ସରକାରଙ୍କ ଦଳିତମାରଣ ନୀତି ଯୋଗୁଁ ଦେଶର ବିଭିନ୍ନ ପ୍ରଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଜୁଡିସିଆଲ କୋର୍ଟ ଜରିଆରେ ତ୍ୱରିତ ନ୍ୟାୟ ମିଳିପାରିବ। ସେହିପରି ରାଜ୍ୟର ଗ୍ରାମାଞ୍ଚଳରେ ବାସହୀନ ଗରିବ ଲୋକଙ୍କୁ ଘରଡିହ ଓ ବାସଗୃହ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉ। ଜବୈଷୟିକ ଶିକ୍ଷା କ୍ଷେତ୍ରରେ ଆଡମିସନ୍‌ ନେବା ପାଇଁ ୮% ପରିବର୍ତେ ୧୬% ଜନସଂଖ୍ୟା ଅନୁପାତରେ ବାଧ୍ୟତାମୂଳକ ଭାବେ ସଂରକ୍ଷଣ ଦିଆଯାଉ। ରାଜ୍ୟର ଘରୋଇକରଣ କରାଯାଉଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଠିକା ନିଯୁକ୍ତି କ୍ଷେତ୍ରରେ ୩୮ପ୍ରତିଶତ ସ୍ଥାନ ଏସ୍‌ସି/ଏସ୍‌ଟିମାନଙ୍କ ପାଇଁ ସଂରକ୍ଷିତ ରଖାଯାଉ। ଓଡ଼ିଶାର ପଛୁଆବର୍ଗଙ୍କୁ ଚାକରି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷର ଓ ସଚାର କମିଟ ରିପୋର୍ଟକୁ ଲାଗୁ କରିବା ପାଇଁ ପରିଷଦ ପକ୍ଷରୁ ଦାବି ହୋଇଛି।

ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ରାଧାକାନ୍ତ ନାୟକ, ଲକ୍ଷ୍ମୀଧର ବେହେରା, ଅର୍ଜୁନ ମହାକୁଡ଼, ବନ୍ଧୁ ସେଠୀ, ମାଧବେନ୍ଦ୍ର ଗୋଚ୍ଛାୟତ, ସୟଦ ଅବୁଲ କାଲାମ ଆଜାଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର