ଦିବ୍ୟାଙ୍ଗଙ୍କ ଭୂମି ବାସଗୃହ ଅଧିକାର ପାଇଁ ମିଳିତ ଉଦ୍ୟମ ଜରୁରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ବିଜୁ ପକ୍କା ଘର ଯୋଜନା ଓ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଓ ସହରାଞ୍ଚଳ ଆବାସ ଯୋଜନାରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷିତ ରହିଛି। ହେଲେ ଏହାର ସୁଫଳ ଯୋଗ୍ୟ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚି ପାରୁନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତଭାବେ ଉଦ୍ୟମ କଲେ ଦିବ୍ୟାଙ୍ଗମାନେ ଏହି ଅଧିକାର ସାବ୍ୟସ୍ତ କରି ପାରିବେ। ଏଥିରେ ବେସରକାରୀ ସଂଗଠନଙ୍କର ମଧ୍ୟ ଏକ ଗୁରୁଦାୟିତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଛି। ଗୋ-ଇଣ୍ଡିଆ ଚାରିଟି ଫାଉଣ୍ଡେସନ୍‌ ପକ୍ଷରୁ ରେଡକ୍ରସ୍‌ ଭବନ ପରିସରରେ ଦିବ୍ୟାଙ୍ଗଙ୍କର ଏହି ଅଧିକାରକୁ ନେଇ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହି ମତପ୍ରକାଶ ପାଇଛି ବୋଲି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଭଗବାନ ପତି ସୂଚନା ଦେଇଛନ୍ତି। ମୁଖ୍ୟଅତିଥି ଭାବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ କହିଛନ୍ତି, ସରକାର ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି। ତୃଣମୂଳସ୍ତରରୁ ଉପଯୁକ୍ତ ଦିବ୍ୟାଙ୍ଗ ଚିହ୍ନଟ ହୋଇ ତାଲିକାଭୁକ୍ତ ହେଲେ ଯାଇ ଏହି ଲକ୍ଷ୍ୟ ପୂରଣ ହେବ।

ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ଭିନକ୍ଷମ କମିସନର ଡ. ମିନତି ବେହେରା, ଓଡ଼ିଶା ଦୁର୍ନୀତି ନିବାରଣ ସଂଘ ସଭାପତି ତଥା ଆଇନଜୀବୀ ସୁଧିର ମହାନ୍ତି ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ଏହି ଅଧିକାରକୁ କିଭଳି ସାବ୍ୟସ୍ତ କରାଯିବ ସେ ନେଇ ମତବ୍ୟକ୍ତ କରିଛନ୍ତି। ସରକାରଙ୍କ ବସୁନ୍ଧରା, ମୋ ଘର ଡିହ, ବିଜୁ ପକ୍କା ଘର ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଭୂମି ଓ ଘର ଆବଣ୍ଟିତ କରିବା ପାଇଁ ଚାଲିଥିବା କାର୍ଯ୍ୟ ଯେଭଳି ତ୍ୱରାନ୍ଵିତ ହୋଇପାରିବ ସେ ନେଇ ସୁପାରିସ ହୋଇଥିଲା। ୨୦୨୨ ସୁଦ୍ଧା ଯେଭଳି ସମସ୍ତ ଦିବ୍ୟାଙ୍ଗ ହିତାଧିକାରୀ ଭୂମି ଓ ଗୃହ ପାଇପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଜରୁରୀ ବୋଲି ମତପ୍ରକାଶ ପାଇଥିଲା। ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦେଶନାମା ଆସିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଗତ ଜାନୁଆରି ୧୮ ତାରିଖରେ ସରକାରଙ୍କ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଅଧିକାର ଆଇନ-୨୦୧୬ କାର୍ଯ୍ୟକାରୀ କରିବା ନେଇ ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛିି।

ସମ୍ବନ୍ଧିତ ଖବର