ନନ୍ଦକୁଣ୍ଡ ପୁଷ୍କରିଣୀ ସମସ୍ୟା: ୧୦ ଅଧିକାରୀଙ୍କୁ ଲୋକ ଅଦାଲତଙ୍କ ନୋଟିସ୍‌

୧କୋଟି ଟଙ୍କା କ୍ଷତି ପୂରଣ ଦାବି

ପୁରୁଣା ଭୁବନେଶ୍ୱର: ଅବହେଳିତ ଭାବେ ପଡ଼ିଥିବା ଐତିହ୍ୟ ନନ୍ଦକୁଣ୍ଡ ପଷ୍କରିଣୀକୁ କେତେକ ବିଲଡର୍‌ ଅସାଧୁ ଉପାୟରେ ଜବରଦଖଲ କରିଛନ୍ତି। ଏନେଇ ଲୋକ ଅଦାଲତରେ ମାମଲା କରାଯିବା ସହ ଆଜି ୧୦ଜଣ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନୋଟିସ୍‌ ହୋଇଛି। ଗତ ମଇ ୨୮ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ପୁଷ୍କରିଣୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ପୁଣି ଭୁବନେଶ୍ୱର ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ଏଥିରେ ସେମାନଙ୍କୁ ଆସନ୍ତା ଜୁନ୍‌ ୨୩ତାରିଖରେ ଲୋକ ଅଦାଲତରେ ହାଜିର ହୋଇ ଜବାବ ଦାଖଲ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଠାକୁରାଣୀ ପୂଜା ପାଉଥିବା ବଡ଼ ମଠ ବା ଭାରତୀ ମଠ ଅଧୀନରେ ରହିଛି ଐତିହ୍ୟ ନନ୍ଦକୁଣ୍ଡ ପୁଷ୍କରିଣୀ। ଏହା ସମ୍ପୂର୍ଣ୍ଣ ଭାବେ ଦଳରେ ଭର୍ତ୍ତି ହୋଇ ରହିଛି। ସେଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ଆଖପାଖର ଲୋକମାନଙ୍କ ପାଇଁ ରହିବା ମୁସ୍କିଲ ହୋଇପଡ଼ିଛି। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହି ପୁଷ୍କରିଣୀକୁ କେତେକ ଜବର ଦଖଲକାରୀ ବାଲି ପକାଇ ପୋତିବା ସହ ସେଠାରେ ଘର କରିବା ଆରମ୍ଭ କରିଦେଇଛନ୍ତି। ତେବେ ପୂର୍ବରୁ ଏନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ଏହାର ପୁନରୁଦ୍ଧାର ଓ ଜବର ଦଖଲ ଉଚ୍ଛେଦ ନିର୍ଦେଶ ଜାରି କରାଯାଇଥିଲା। ଏନେଇ ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡାଙ୍କ ପକ୍ଷରୁ ଲୋକ ଅଦାଲତରେ ୫୫/୨୦୧୮ ନଂରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଭୁବନେଶ୍ୱର ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ଦେବୋତ୍ତର ବିଭାଗ କମିସନର, ବିଏମ୍‌ସି କମିଶନର, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ରାଜସ୍ୱ ନିରୀକ୍ଷକ, ନଗର ସ୍ୱାସ୍ଥ୍ୟ ଅଧିକାରୀ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ବିଡିଏ ଉପାଧ୍ୟକ୍ଷଙ୍କୁ ନୋଟିସ୍‌ କରାଯାଇଛି। ଏହା ସହ ସେମାନଙ୍କୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିବା ନେଇ ଆଇନଜୀବୀ ଶ୍ରୀ ପୂଜାପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର