ଶ୍ରୀମନ୍ଦିର ପରେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ପାଳି : ହଟିବ ଜବରଦଖଲ, ବଢ଼ିବ ସୌନ୍ଦର୍ଯ୍ୟ

ମଙ୍ଗଳବାରଠାରୁ ମନ୍ଦିର ଚତୁଃପାର୍ଶ୍ବର ସର୍ଭେ, ସାମିଲ ହେବେ ବିଏମ୍‌ସି, ବିଡିଏ, ଜିଏ, ମନ୍ଦିର ପ୍ରଶାସନ, ବିନ୍ଦୁସାଗର ଓ କୋଟିତୀର୍ଥ ଲେନ୍‌ରେ ବି ହେବ ସର୍ଭେ

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଳି। ଭୁବନେଶ୍ୱରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଶୋଭା ବୃଦ୍ଧି ସହ ଏହାର ଚତୁଃପାର୍ଶ୍ବରୁ ଜବରଦଖଲ ହଟାଯିବ। ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମନ୍ଦିରର କେଉଁ ପାର୍ଶ୍ବରେ କେତେ ଜମି ଜବରଦଖଲ ହୋଇଛି? କେତେ ସରକାରୀ ଜମି ରହିଛି? ସ୍ଥିତିବାନ ପ୍ଲଟ କେ‌କେ ରହିଛି? ଏସବୁ ବିଷୟରେ ଆଲୋଚନା‌ ହୋଇଛି। ତେବେ ଆସନ୍ତା ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ମନ୍ଦିର ଚତୁଃପାର୍ଶ୍ବ ସର୍ଭେ କରାଯିବ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ), ସାଧାରଣ ପ୍ରଶାସନ(ଜିଏ) ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ମିଳିତ ଭାବେ ଏହି ସର୍ଭେ କରିବେ। ଅନୁଧ୍ୟାନ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଆଜି ବିଡିଏରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ମନ୍ଦିରର ଚାରିପାଖରେ ଏବେ ଜମି ଜବରଦଖଲ ହୋଇଛି। କେଉଁ ପାର୍ଶ୍ବରେ ଅଧିକ ତ ଆଉ କେ‌ଉଁ ପାଖରେ କମ୍‌ ଜମି ମାଡ଼ି ବସିଛନ୍ତି। ଅନେକ ଉଠାଦୋକାନୀ, ବ୍ୟବସାୟୀ ମଧ୍ୟ ବର୍ଷ ବର୍ଷ ଧରି ନିଜ ବେପାର ଜମାଇଛନ୍ତି। ଯେଉଁଥିପାଇଁ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଭିଡ଼ ହେଉଛି। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଦେବୀ ପାଦହରା ପୁଷ୍କରିଣୀର ସୌନ୍ଦର୍ଯ୍ୟ ନଜର ଆଢ଼ୁଆଳରେ ରହୁଥିବା ବେଳେ ବଢ଼େଇବାଙ୍କ ଛକରୁ ହସ୍ପିଟାଲ ଆଡ଼କୁ ଯାଇଥିବା ରାସ୍ତାରେ ଅନେକ ସମୟରେ ଭିଡ଼ ରହୁଛି। ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ମନ୍ଦିର ପାଚେରିଠାରୁ ଉତ୍ତର ପାର୍ଶ୍ବରେ ରାସ୍ତା ସମେତ ପ୍ରାୟ ୭୦ଫୁଟ ପର୍ଯ୍ୟନ୍ତ ସ୍ଥାନ ଖାଲି ରହିଛି। ସେହିପରି ପୂର୍ବ ପାର୍ଶ୍ବରେ ୭୦ରୁ ୮୦ ଫୁଟ୍‌, ପୂର୍ବ-ଦକ୍ଷିଣ କୋଣରେ ୩୦ ଫୁଟ୍‌, ଦକ୍ଷିଣ ପାର୍ଶ୍ବରେ ୩୦ରୁ ୩୫ ଫୁଟ୍‌ ଜମି ଖାଲି ରହିଛି। ଦକ୍ଷିଣ-ପଶ୍ଚିମ କୋଣରେ ୨୦ ଫୁଟ୍‌, ପଶ୍ଚିମ ୩୦ରୁ ୩୫ଫୁଟ୍‌ ଖାଲି ଜମି ପରେ କୋଠା ରହିଛି। ପୂର୍ବ ଓ ଉତ୍ତର ପାର୍ଶ୍ବରେ ଥିବା ସ୍ଥିତିବାନ ପ୍ଲଟର ମାଲିକମାନେ ଘର ସମ୍ମୁଖରେ ସରକାରୀ ଜମି ମାଡ଼ି ବସିଥିବା ବୈଠକରୁ ଜଣାପଡ଼ିଛି।

କେବଳ ସେତିକି ନୁହେଁ, ମନ୍ଦିର ଚାରିପାଖରେ ଅନେକ ସରକାରୀ ବିଲଡିଂ ଓ କାର୍ଯ୍ୟାଳୟ ବି ରହିଛି। ନିର୍ଦ୍ଧାରିତ ଜମିଠାରୁ ଅଧିକ ବାଟ ପର୍ଯ୍ୟନ୍ତ ଉକ୍ତ ସରକାରୀ କାର୍ଯ୍ୟାଳୟର ପରିସର ବୃଦ୍ଧି କରାଯାଇଛି। ଏହି ମନ୍ଦିରର ଚାରିପାଖରେ ବ୍ଲଡ୍‌ ବ୍ୟାଙ୍କ୍‌, ସ୍କୁଲ, ହସ୍ପିଟାଲ ଆଦି ରହିଛି। ହାଟ, ମନ୍ଦିର କାର୍ଯ୍ୟାଳୟ, ପାର୍କ ମଧ୍ୟ ଏହାର ଚତୁଃପାର୍ଶ୍ବରେ ରହିଛି। ସେଗୁଡ଼ିକୁ ହଟାଇବା ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦୁଇ ଦିନ ଧରି ୩ଟି ଅଞ୍ଚଳକୁ ସର୍ଭେ ହେବ। ପ୍ରଥମତଃ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖକୁ ସର୍ଭେ କରାଯିବ। କେଉଁ ପାର୍ଶ୍ବରେ କେତେକ ସ୍ଥିତିବାନ ପ୍ଲଟ ରହିଛି, ତାହାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିସହ ସରକାରୀ ଜମିଗୁଡ଼ିକ ବି ସର୍ଭେ ହେବ। ସ୍ଥିତିବାନ ଓ ସରକାରୀ ଜମି ବ୍ୟତୀତ ଆଉ କେଉଁ ବର୍ଗର କେତେ ଜମି ରହିଛି, ତାହାକୁ ବି ଅନୁଧ୍ୟାନ ପରିସରଭୁକ୍ତ କରାଯିବ। ମନ୍ଦିର ବ୍ୟତୀତ ବିନ୍ଦୁସାଗର ଚତୁଃପାର୍ଶ୍ବ ଓ କୋଟିତୀର୍ଥ ଲେନ୍‌ ଅଞ୍ଚଳ ବି ସର୍ଭେ ହେବ। ସର୍ଭେରେ ୪ଟି ବିଭାଗର ଅଧିକାରୀ ସାମିଲ ହେବେ। କେତେ ଫୁଟ୍‌ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ, ତାହାର କୌଣସି ନିର୍ଦ୍ଦିଷ୍ଟ ପରିସର ଧାର୍ଯ୍ୟ ହୋଇନାହିଁ। ଏବେ କେବଳ ଜମି ସର୍ଭେ ହେବ। ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯଦି ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୁଏ, ତେବେ କଷ୍ଟକର ହେବ। ମନ୍ଦିର ପାଚେରିଠାରୁ ୭୦ ମିଟର ମଧ୍ୟରେ ପ୍ରାୟ ୮୦୦ ପରିବାର ରହୁଛନ୍ତି। ୩୦୦ରୁ ଅଧିକ ଦୋକାନ ତଥା ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ‌‌‌ତେଣୁ ସେମାନଙ୍କୁ ଉଚ୍ଛେଦ କରିବା ଓ ଥଇଥାନ କରିବା କଷ୍ଟକର ବ୍ୟାପର ହେବ। ତେଣୁ ମନ୍ଦିର ଚାରିପାଖରେ ଯେଉଁ ସରକାରୀ ଜମି ଓ ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲ ହୋଇଛି, ତାହାକୁ ମୁକ୍ତ କରିବାକୁ ପ୍ରାଥମିକତା ଦିଆଯିବ। ସେପଟେ ମନ୍ଦିର ଚାରି ପାଖରୁ ହଟାଇବା ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଏବେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଶୁଣା ଯାଇ ନଥିବାରୁ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ବିଡିଏ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ହରିଶ୍ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଲିଙ୍ଗରାଜ ମନ୍ଦିର ପରିଚାଳନାର ଇଣ୍ଟରିମ୍‌ ଟ୍ରଷ୍ଟବୋର୍ଡର ସଭାପତି ଅରୁଣ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନାଲ ଡପୁଟି କମିସନର ରୂପକ ପଟ୍ଟନାୟକ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର