ମରଣଯନ୍ତା ଆଇଗିଣିଆ ଟ୍ରାଫିକ୍‌ ଛକ : ଦୁଇ ମାସରେ ୧୨ ଦୁର୍ଘଟଣା, ୬ ମୃତ

ଭୁବନେଶ୍ୱର : ଦିନ ଥିଲା ରାଜଧାନୀର ସବୁଠାରୁ ଦୁର୍ଘଟଣାପ୍ରବଣ ଥିଲା ଖଣ୍ଡଗିରି ଛକ। ଏଥିପାଇଁ ଏହି ଛକକୁ ଉଭୟ କମିସନରେଟ୍‌ ପୁଲିସ ଓ ପରିବହନ ବିଭାଗ ବ୍ଲାକସ୍ପଟ୍‌ ଘୋଷଣା କରିଥିଲେ। କିନ୍ତୁ ଖଣ୍ଡଗିରି ଛକରେ ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭ ହେବା ପରେ ଆଇଗିଣିଆ ଛକ ଦୁର୍ଘଟଣାପ୍ରବଣ ଛକ ପାଲଟି ଯାଇଛି। ପ୍ରତିଦିନ ଏହି ଛକରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଗତ ଦୁଇ ମାସରେ ଏହି ଛକରେ ୧୨ଟି ବଡ଼ ଦୁର୍ଘଟଣା ଘଟି ସାରିଲାଣି। ଏଥିରେ ୬ଜଣଙ୍କ ଜୀବନ ଯାଇଛି। ଆଇଗିଣିଆ ଛକରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ କିଛି ଦିନ ତଳେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ତାଙ୍କ ଟିମ୍‌ ଏହି ଛକ ପରିଦର୍ଶନ କରିଥିଲେ। କେଉଁ କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଛି, କେମିତି ଦୁର୍ଘଟଣାକୁ ରୋକା ଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଟ୍ରାଫିକ୍‌ ଡିସିପି ସାଗରିକା ସେହି ଛକରେ କେତୋଟି ନିୟମ ପାଳନ କରିବାକୁ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ କିଛି ଦିନ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବା ପରେ ଏବେ ଅବସ୍ଥା ପୂର୍ବବତ୍‌।

ନିୟମ ଥିଲା, ଆଇଗିଣିଆ ପଟୁ ରଙ୍ଗରୁଟରେ ଜାତୀୟ ରାଜପଥକୁ ଆସୁଥିବା ଗାଡ଼ି ମୋଟରକୁ ଅଟକାଇ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ସେହିପରି ୧୬ ନମ୍ବର ଜାତୀୟ ରାଜପଥରେ ଆଳୁଗଦି ପଟୁ ଆସୁଥିବା ଗାଡ଼ି ମୋଟରକୁ ନାଲି କପଡ଼ା ଦେଖାଇ ଅଟକାଇବା ପରେ କସମୋପଲ୍ଲୀ ପଟେ ଥିବା ଗାଡ଼ି ମୋଟରକୁ ଛାଡ଼ିବେ। ଛକରେ ସବୁବେଳେ ୩ଜଣ କର୍ମଚାରୀ ୩ ପଟୁ ଆସୁଥିବା ଗାଡ଼ି ମୋଟରକୁ ନିୟନ୍ତ୍ରଣ କରିବେ। ଏଥିପାଇଁ ଏକ ଟ୍ରାଫିକ ପୋଷ୍ଟ ମଧ୍ୟ ନିର୍ମାଣ କରାଗଲା। ଟ୍ରାଫିକ ପୋଷ୍ଟ ଉପରେ ଠିଆ ହୋଇ ଗାଡି ମୋଟର ନିୟନ୍ତ୍ରଣ କରିବେ। କିନ୍ତୁ ଏବେ ଏହି ନିୟମକୁ ପାଳନ କରାଯାଉନାହିଁ। ଫଳରେ ସେଠାରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି।

ତେବେ ଏ ସମ୍ପର୍କରେ କେତେକ ଟ୍ରାଫିକ କର୍ମଚାରୀ କହିଛନ୍ତି, ଟ୍ରାଫିକ୍‌ ପୋଷ୍ଟ ଉପରେ ଠିଆ ହୋଇ ଡ୍ୟୁଟି କରିବା ସୁରକ୍ଷିତ ମନେ ହେଉନାହିଁ। ସଂଧ୍ୟା ବେଳେ ପରିସ୍ଥିତି ଏପରି ହେଉଛି ଗାଡି ମୋଟର ଚଢ଼ି ଯିବାର ଆଶଙ୍କା ରହଛି।

ଟ୍ରାଫିକ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଇଗିଣିଆ ଟ୍ରାଫିକ୍‌ ପୋଷ୍ଟ ଏବେ ରାଜଧାନୀର ସବୁଠାରୁ ଦୁର୍ଘଟଣା ପ୍ରବଣ ଛକ। ଏ ସମ୍ପର୍କରେ ଆମେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଅବଗତ କରାଇଛୁ। ସେଠା‌ରେ ଲାଇଟ୍‌ ବ୍ୟବସ୍ଥା କରାଗଲା ପରେ ହିଁ ଟ୍ରାଫିକ ପୋଷ୍ଟ ଉପରେ ଠିଆ ହୋଇ କର୍ମଚାରୀମାନେ ସୁରକ୍ଷିତ ଭାବେ ଡ୍ୟୁଟି କରିପାରିବେ।

ସମ୍ବନ୍ଧିତ ଖବର